ଲଣ୍ଡନ୍: ଚଳିତ ବିଶ୍ବକପ୍ରେ ଭଲ ବେଳା ଦେଇ ଗତି କରୁଥିବା ଭାରତୀୟ ଦଳର ପ୍ରତିଟି ଖେଳାଳି ଅଭୂଲା ମୁହୂର୍ତ ସବୁକୁ ସାଉଁଟିବାର କୌଣସି ସୁଯୋଗ ହାତଛଡ଼ା କରୁନାହାନ୍ତି। ରବିବାର ମହେନ୍ଦ୍ର ସିଂହ ଧୋନିଙ୍କ ଜନ୍ମଦିନକୁ ଧୂମଧାମରେ ପାଳିଥିବା ବେଳେ ଶନିବାର ଶ୍ରୀଲଙ୍କା ବିପକ୍ଷ ବିଜୟ ପରେ ଭାରତୀୟ ଅଧିନାୟକ ବିରାଟ କୋହଲି ଏକ ଭିନ୍ନ ରୂପରେ ନଜରକୁ ଆସିଥିଲେ। ନିଜ ଖେଳ ଜୀବନର ସବୁଠୁ ଖୁସିର ମୁହୂର୍ତରେ ଚାଲୁଥିବା ରୋହିତ ଶର୍ମାଙ୍କ ସାକ୍ଷାତକାର ନେଇଥିଲେ କୋହଲି। ରୋହିତ ଶନିବାର ଚଳିତ ବିଶ୍ବକପ୍ରେ ପଞ୍ଚମ ବିଶ୍ବକପ୍ ଶତକ ସହିତ ନୂଆ କୀର୍ତ୍ତିମାନ କରିଥିଲେ। ବିଶ୍ବକପ୍ ଇତିହାସରେ ପ୍ରଥମ ଖେଳାଳି ଭାବେ ସେ ଏଭଳି ଗୌରବ ଆଣିଥିଲେ। ଏହି ୫ ଶତକ ମଧ୍ୟରୁ ଭାରତ ମଧ୍ୟ ୪ ଥର ବିଜୟୀ ହୋଇଛି। କେବଳ ଇଂଲଣ୍ଡ ବିପକ୍ଷ ଶତକ ବେକାର ଯାଇଥିଲା। ମୋଟ ୬୪୭ ରନ୍ ସହିତ ମଧ୍ୟ ଅଗ୍ରଣୀ ରହିଛନ୍ତି। ମାତ୍ର ୨୭ ରନ୍ ହାସଲ କରିପାରିଲେ ଗୋଟିଏ ବିଶ୍ବକପ୍ରେ ସର୍ବାଧିକ ରନ୍ କରିବାରେ ସଚିନ ତେନ୍ଦୁଲକରଙ୍କ ନାମରେ ଥିବା କୀର୍ତ୍ତିମାନ (୬୭୩)କୁ ଟପିଯିବେ। ଏଭଳି ଚମତ୍କାର ଯାତ୍ରା ସମ୍ପର୍କରେ କୋହଲି ଶନିବାର ରୋହିତଙ୍କ ସହ ପ୍ରଶ୍ନୋତ୍ତୋର କାର୍ଯ୍ୟକ୍ରମରେ ଅବତୀର୍ଣ୍ଣ ହୋଇଥିଲେ। ଦଳୀୟ ଖେଳାଳିଙ୍କୁ ପ୍ରଶଂସା କରିବା ସହିତ କୋହଲି ରୋହିତଙ୍କୁ ପ୍ରଶ୍ନ କରିଥିଲେ କିଭଳି ଭାବେ ସେ ସ୍ଥିରତାର ସହ ଏତେ ମ୍ୟାଚ୍ ବିଜୟୀ ପାଳି ଖେଳିପାରୁଛନ୍ତି। ହିଟ୍ ମ୍ୟାନ୍ ତାଙ୍କ ଉତ୍ତରରେ କହିଥିଲେ, ‘ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ପ୍ରତିଯୋଗିତା ପୂର୍ବରୁ ଫର୍ମରେ ରହିବା ବଡ଼ କଥା ଥିଲା। ମୁଁ ମୋ ଫର୍ମକୁ ଜାରି ରଖିବାକୁ କେବଳ ଆଗ୍ରହୀ ଥିଲି’। ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ମ୍ୟାଚ୍ରେ ଶତକ ହାସଲ କରିବା ଆତ୍ମବିଶ୍ବାସକୁ ଆଗକୁ ନେଇଥିଲା। କୌଣସି ଦ୍ବିପାକ୍ଷିକ ଶୃଙ୍ଖଳା ଭଳି ବିଶ୍ବକପ୍ରେ ଏକାଗ୍ରତା ରଖିବା ବଡ଼ କଥା ଥିଲା’। ଶେଷକୁ ‘ମ୍ୟାନ୍ ଅଫ୍ ଦି ମ୍ୟାଚ୍’ ସେଗ୍ମେଣ୍ଟ୍ରେ କୋହଲି କହିଥିଲେ, ପରବର୍ତୀ ଦୁଇ ମ୍ୟାଚ୍ରେ ଆଉ ଦୁଇଟି ବଡ଼ ପାଳି ଖେଳ, ଆମେ ବିଶ୍ବକପ୍ ଜିତିକି ଯିବା।
Advertisment
Sambad is now on WhatsApp
Join and get latest news updates delivered to you via WhatsApp