ଅଷ୍ଟ୍ରେଲିଆରେ ଅଷ୍ଟ୍ରେଲିଆ ବିପକ୍ଷରେ ୧୦୦୦ ରନ୍‌, ସଚିନ୍‌, ଲକ୍ଷ୍ମଣ, ଦ୍ରାବିଡ୍‌ଙ୍କ କ୍ଲବ୍‌ରେ କୋହଲି

ଆଡିଲେଡ୍‌: ଅଷ୍ଟ୍ରେଲିଆ ମାଟିରେ ଅଷ୍ଟ୍ରେଲିଆ ବିପକ୍ଷରେ ୧୦୦୦ ଟେ‌ଷ୍ଟ୍‌ ରନ୍‌ ପୂରଣ କରି ବିରାଟ କୋହଲି ଆଉ ମାଇଲଖୁଣ୍ଟରେ ପହଞ୍ଚି ଯାଇଛନ୍ତି। ପ୍ରଥମ ଟେଷ୍ଟ୍‌ର ଶନିବାର ତୃତୀୟ ଦିବସରେ ଭାରତର ଦ୍ବିତୀୟ ପାଳିରେ ୩୪ ରନ୍‌ କରି ଆଉଟ୍‌ ହେବା ପୂର୍ବରୁ କୋହଲି ଏହି ସଫଳତା ପାଇଛନ୍ତି। ଏକ୍ଷେତ୍ରରେ ସେ ଚତୁର୍ଥ ଭାରତୀୟ ଭାବେ ସଚିନ୍‌ ତେନ୍ଦୁଲକର, ଭିଭିଏସ୍‌ ଲକ୍ଷ୍ମଣ ଓ ରାହୁଲ୍‌ ଦ୍ରାବିଡ୍‌ଙ୍କ ସଫଳତା କ୍ଲବ୍‌ରେ ସାମିଲ ହୋଇଯାଇଛନ୍ତି। ସେ ମଧ୍ୟ ୨୮ତମ ବିଦେଶୀ ବ୍ୟାଟ୍‌ସମ୍ୟାନ୍‌ ଭାବେ ଏଭଳି ସଫଳତା ହାତେଇଛନ୍ତି। ଏଥିପାଇଁ କୋହଲି ମାତ୍ର ୯ ଟେଷ୍ଟ୍‌ ଖେଳିଛନ୍ତି। ଏହା ପୂର୍ବରୁ ଅଷ୍ଟ୍ରେଲିଆରେ ଅଷ୍ଟ୍ରେଲିଆ ବିପକ୍ଷରେ ସଚିନ୍‌ ୨୦ ଟେଷ୍ଟ୍‌ ଖେଳି ସର୍ବାଧିକ ୧୮୦୯ ରନ୍‌ କରିଥିଲା ବେଳେ ଲକ୍ଷ୍ମଣ ୧୫ ଟେଷ୍ଟ୍‌ରୁ ୧୨୩୬ ଏବଂ ଦ୍ରାବିଡ୍‌ ୧୫ ଟେ‌ଷ୍ଟ୍‌ରୁ ୧୧୪୩ ରନ୍‌ କରିଥିଲେ। ଅନ୍ୟ ଭାରତୀୟ ଭାବେ ବୀରେନ୍ଦ୍ର ସେହବାଗ୍‌ ଅଷ୍ଟ୍ରେଲିଆରେ ୧୦୦୦ ରନ୍‌ ପୂରଣ କରିଥିଲେ ମଧ୍ୟ ଆଇସିସି ବିଶ୍ବ ଏକାଦଶ ପାଇଁ ଏକ ମ୍ୟାଚ୍‌ ଖେଳି ୮୩ ରନ୍‌ କରିଥିବାରୁ ଏହି ତାଲିକା ବାହାରେ ରହିଛନ୍ତି। ସେ କେବଳ ୧୦ ଟେଷ୍ଟ୍‌ ଖେଳି ୯୪୮ ରନ୍‌ କରିଛନ୍ତି।

ସମ୍ବନ୍ଧିତ ଖବର