କୋହଲି କୀର୍ତି, ୧୦ ହଜାର ରନ୍‌ ପୂରଣ, ସଚିନ୍‌ଙ୍କୁ ପଛରେ ପକାଇଲେ

ବିଶାଖାପାଟଣା: ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ବୁଧବାର ଏଠାରେ ନୂଆ ବିଶ୍ବ କୀର୍ତିମାନ ପ୍ରତିଷ୍ଠା କରିଛନ୍ତି। ଦିନିକିଆ ଆନ୍ତର୍ଜାତିକରେ ସବୁଠୁ କମ୍‌ ମ୍ୟାଚ୍‌ ଓ ପାଳିରେ ସେ ୧୦,୦୦୦ ରନ୍‌ ପୂରଣ କରିବାରେ ଦ୍ରୁତତମ ସାବ୍ୟସ୍ତ ହୋଇଛନ୍ତି। ଫଳରେ ୧୭ ବର୍ଷ ଧରି ଯେଉଁ କୀର୍ତିମାନ ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକରଙ୍କ ନାମରେ ରହିଥିଲା ତାକୁ କୋହଲି ୫୪ ପାଳି ପୂର୍ବରୁ ଭାଙ୍ଗି ଦେଇଛନ୍ତି। ରନ୍‌ ମେସିନ୍‌ ଭାବେ ପରିଗଣିତ ସଚିନ୍ ୨୬୬ ମ୍ୟାଚ୍‌ ଏବଂ ୨୫୯ ପାଳିରୁ ହିଁ ୧୦,୦୦୦ ରନ୍‌ ପୂରଣ କରିଥିଲେ। ଯାହାକି ଆଜି ପର୍ଯ୍ୟନ୍ତ ଅତୁଟ ରହିଥିଲା। ସଚିନ୍‌ ୨୦୦୧ ମସିହା ମାର୍ଚ ୩୧ ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷ ଇ‌ନ୍ଦୋର ମ୍ୟାଚ୍‌ରେ ହିଁ ଏହି ମାଇଲଖୁଣ୍ଟ ଅତିକ୍ରମ କରିଥିଲେ। ସେହି ମ୍ୟାଚ୍‌ରେ ସଚିନ୍‌ ୧୩୯ ରନ୍‌କରିଥିଳେ। ହେଲେ ବୁଧବାର (୨୦୧୮ ଅକ୍ଟୋବର ୨୪ ତାରିଖ) ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦିନିକିଆ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍‌ରେ ଅପରାଜିତ ଶତକ ଜମାଇଥିବା କୋହଲି ୧୦,୦୦୦ ରନ୍‌ ଅତିକ୍ରମ କରିଗଲେ। ସେ ୨୧୩ ମ୍ୟାଚ୍‌ ଏବଂ ୨୦୫ ପାଳିରେ ହିଁ ବିଶ୍ବ କୀର୍ତିମାନ ପ୍ରତିଷ୍ଠା କରିବା ସାଙ୍ଗକୁ ନିଜର ଆଦର୍ଶ ସଚିନ୍‌ ତେନ୍ଦୁଲକରଙ୍କୁ ଟପିଗଲେ। ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଚଳିତ ଶୃଙ୍ଖଳାର ପ୍ରଥମ ଦିନିକିଆରେ ୧୪୦ ରନ୍‌ କରିଥିବା କୋହଲି ବୁଧବାର ଦ୍ବିତୀୟ ମ୍ୟାଚ୍‌ ପୂର୍ବରୁ ୧୦,୦୦୦ ରନ୍‌ ପୂରଣ କରିବା ପାଇଁ ୮୧ ରନ୍‌ ଦରକାର କରୁଥିଲେ। ହେଲେ ଏହି ମ୍ୟାଚ୍‌ରେ ସେ ୧୫୭ ରନ୍‌ କରି ଅପରାଜିତ ରହିଥିଲେ। ଏହା ମଧ୍ୟ ଥିଲା କୋହଲିଙ୍କର ୩୭ତମ ଦିନିକିଆ ଶତକ। ମ୍ୟାଚ୍‌ର ୩୭ତମ ଓଭରରେ ଆସ୍‌ଲେ ନର୍ସଙ୍କ ଏକ ବଲ୍‌ରେ ଗୋଟିଏ ରନ୍‌ ନେଇ କୋହଲି ୧୦,୦୦୦ ରନ୍‌ କରିବାରେ ଦ୍ରୁତତମ କୀର୍ତିମାନ ରଚିଥିଲେ। ବୁଧବାର ମ୍ୟାଚ୍‌ ସୁଦ୍ଧା କୋହଲି ୨୦୫ ପାଳିରୁ ମୋଟ ୧୦,୦୭୬ ରନ୍‌ କରିସାରିଲେଣି। ଦିନିକିଆ ଆନ୍ତର୍ଜାତିକରେ ଦ୍ରୁତତମ ୧୦,୦୦୦ ରନ୍‌ ପୂରଣ କରିବାରେ କୋହଲି ବିଶ୍ବର ତ୍ରୟୋଦଶ ଏବଂ ଭାରତର ପଞ୍ଚମ ବ୍ୟାଟ୍‌ସମ୍ୟାନ୍‌ ଭାବେ ପରିଗଣିତ ହୋଇଛନ୍ତି। ତାଙ୍କ ପୂର୍ବରୁ ଅନ୍ୟ ୪ ଭାରତୀୟ ଭାବେ ସଚିନ୍‌, ସୌରଭ ଗାଙ୍ଗୁଲି, ମହେନ୍ଦ୍ର ସିଂହ ଧୋନି ଓ ରାହୁଲ୍‌ ଦ୍ରାବିଡ୍‌ ଏହି ମାଇଲଖୁଣ୍ଟ ଅତିକ୍ରମ କରିସାରିଥିଲେ। ବିଶ୍ବର ଅନ୍ୟ ବ୍ୟାଟ୍‌ସମ୍ୟାନ୍‌ଙ୍କ ମଧ୍ୟରେ ରିକି ପଣ୍ଟିଂ, ଜାକ୍ସ କାଲିସ୍‌, ବ୍ରାଏନ୍‌ ଲାରା, ତିଳକରତ୍ନେ ଦିଲ୍‌ସାନ, କୁମାର ସାଙ୍ଗାକାରା, ଇଞ୍ଜାମମ୍‌ ଉଲ୍‌ ହକ୍, ସନତ୍‌ ଜୟସୂରିଆ ଓ ମାହେଲା ଜୟବର୍ଧନେ ଦ୍ରୁତତମ ୧୦,୦୦୦ ରନ୍‌ କ୍ଲବ୍‌ର ସଦସ୍ୟ ରହିଛନ୍ତି। କିମ୍ବଦନ୍ତୀ କ୍ରିକେଟର୍‌ ସଚିନ୍‌ ତାଙ୍କ ୨୮ତମ ଜନ୍ମଦିବସର ୨୪ ଦିନ ପୂର୍ବରୁ ୧୦,୦୦୦ ଦିନିକିଆ ରନ୍‌ ପୂରଣ କରିଥିଲା ବେଳେ ତାଙ୍କ କୀର୍ତିମାନକୁ ଭାଙ୍ଗି ଦେଇଥିବା କୋହଲିଙ୍କୁ ଏବେ ୨୯ ବର୍ଷ।

ବୁଧବାର ସଚିନ୍‌ଙ୍କ ଦ୍ରୁତତମ ୧୦,୦୦୦ ରନ୍‌କୁ ଟପି ଯାଇଥିବା କୋହଲି ମଧ୍ୟ ମାଷ୍ଟର ବ୍ଲାଷ୍ଟରଙ୍କର ଆଉ ଏକ କୀର୍ତିମାନକୁ ଭାଙ୍ଗି ଦେଇଥିଲେ। ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ କୌଣସି ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ ଭାବେ ସର୍ବାଧିକ ସ୍କୋର୍‌ କରିବାର କୀର୍ତିମାନ ସଚିନ୍‌ଙ୍କ ନାମରେ ରହିଥିଲା। ସଚିନ୍‌ ଇଣ୍ଡିଜ୍‌ ବିପକ୍ଷରେ ମୋଟ ୧୫୭୩ ରନ୍‌ କରିଥିଲେ। ଯାହାକି ଏପର୍ଯ୍ୟନ୍ତ ଅତୁଟ ରହିଥିଲା। ହେଲେ କୋହଲି ବୁଧବାର ମ୍ୟାଚ୍‌ର ୨୪ତମ ଓଭର ବେଳେ ବ୍ୟକ୍ତିଗତ ୪୮ ରନ୍‌ରେ ପହଞ୍ଚିବା ବେଳେ ହିଁ ସଚିନ୍‌ଙ୍କ କୀର୍ତିମାନକୁ ଟପି ଯାଇଥିଲେ। ପୁଣି ଗୋଟିଏ କ୍ୟାଲେଣ୍ଡର ବର୍ଷରେ ମଧ୍ୟ ସର୍ବାଧିକ ଦିନିକିଆ ରନ୍‌ କରିବାର ଗୌରବ ପାଇଛନ୍ତି କୋହଲି। ସେ ଚଳିତ ବର୍ଷ ଏପର୍ଯ୍ୟନ୍ତ ୧୧ ମ୍ୟାଚ୍‌ ଖେଳି ୧୦୫୬ ରନ୍‌ କରିସାରିଲେଣି। ୨୦୦୮ ଅଗଷ୍ଟ ୧୮ ତାରିଖରେ ଦିନିକିଆ ଆନ୍ତର୍ଜାତିକ ପଦାର୍ପଣ କରିଥିବା କୋହଲି ମାତ୍ର ୧୦ ବର୍ଷର ଖେଳ ଜୀବନ ମଧ୍ୟରେ ଏତେବଡ଼ ସଫଳତା ହାତେଇ ସାରିଥିବାରୁ ଆଗକୁ ଅନେକ କିଛି କୀର୍ତିମାନ ଭାଙ୍ଗିଦେବାର ଆଭାସ ଦେଇଛନ୍ତି।

ସମ୍ବନ୍ଧିତ ଖବର