ରୋହିତଙ୍କ ବଦଳରେ ହନୁମାଙ୍କ ସାମିଲ୍‌ର ସ୍ପଷ୍ଟୀକରଣ ଦେଲେ କୋହଲି

କିଙ୍ଗଷ୍ଟନ୍‌: ଆଣ୍ଟିଗୁଆ ଟେଷ୍ଟ୍‌ ବିଜୟକୁ ଦୁଇ ଦିନ ବିତିଗଲାଣି। ସେହି ଟେଷ୍ଟ୍‌ରେ ରୋହିତ ଶର୍ମାଙ୍କ ବଦଳରେ କାହିଁକି ହନୁମା ବିହାରୀ ଖେଳିଥିଲେ ତାହାର ସ୍ପଷ୍ଟୀକରଣ ଦେଇଛନ୍ତି ଅଧିନାୟକ ବିରାଟ କୋହଲି। ଧଳା ବଲ୍‌ରେ ଚମତ୍କାର ଖେଳି ଭାରତକୁ ବିଶ୍ବକପ୍‌ ସେମିଫାଇନାଲ୍ ପର୍ଯ୍ୟନ୍ତ ନେଇଥିବା ରୋହିତ ଶର୍ମାଙ୍କୁ ସାମିଲ କରାନଯିବା ସମ୍ପର୍କରେ ସମାଲୋଚନା ପରେ କୋହଲି ଉତ୍ତର ରଖିବାକୁ ବାଧ୍ୟ ହୋଇଛନ୍ତି। ପ୍ରଥମ ଟେଷ୍ଟ୍ ଲାଗି ଭାରତୀୟ ଦଳର ଚୂଡାନ୍ତ ଏକାଦଶକୁ ନେଇ କ’ଣ ଘଟିଲା ମୁଁ ସଚେତନ ଅଛି। ଚୂଡାନ୍ତ ଏକାଦଶରେ କାହାକୁ ନିଆଯିବ ଏବଂ କାହାକୁ ବାଦ୍ ଦିଆଯିବ ସବୁବେଳେ ଦଳର ସ୍ବାର୍ଥକୁ ନଜରରେ ରଖି ନିଆଯାଇଥାଏ। ଦଳୀୟ ସମନ୍ବୟ ସବୁଠାରୁ ଗୁରୁତ୍ବପୂର୍ଣ୍ଣ, ଏହି କାରଣରୁ ହନୁମାଙ୍କୁ ସ‌ୁଯୋଗ ମିଳିଥିଲା। ସେ ମଧ୍ୟ ଜଣେ ଫଳପ୍ରଦ ସାମୟିକ ବୋଲର। ଓଭର ହାରକୁ ପରିଚାଳନା ଆବଶ୍ୟକ ବେଳେ ସେ ସହାୟକ ହୋଇପାରନ୍ତି। ଆମେ ଗୋଷ୍ଠୀଗତ ଭାବେ ଆଲୋଚନା କରି ଶ୍ରେଷ୍ଠ ଏକାଦଶକୁ ବାଛିଥାଉ ବୋଲି କୋହଲି କହିଛନ୍ତି। ସବୁବେଳେ ଚୂଡାନ୍ତ ଏଦାକଶକୁ‌ ନେଇ ଭିନ୍ନ ମତ ପ୍ରକାଶ ପାଇଥାଏ, ଦଳର ସ୍ବାର୍ଥ ଦୃଷ୍ଟିରୁ କ’ଣ ଆବଶ୍ୟକ ଲୋକଙ୍କୁ ଜଣା’ ବୋଲି କୋହଲି କହିଥିଲେ। ମଧ୍ୟକ୍ରମରେ ଖେଳିଥିବା ବିହାରୀ ମଧ୍ୟ ଭାରତର ଉଭୟ ପାଳି (୩୨, ୯୩)ରେ ଦାୟିତ୍ବପୂର୍ଣ୍ଣ ବ୍ୟାଟିଂ କରିଥିଲେ। ମୁଁ ନିଷ୍ପତ୍ତି ନେଇଥାଏ, କିନ୍ତୁ ଯେଉଁମାନେ ହାତ ଉଠାଇଥାନ୍ତି ସେମାନେ ଏହାକୁ କାର୍ଯ୍ୟକାରୀ କରିଥାନ୍ତି। ଆମେ ସବୁ ଖେଳାଳିଙ୍କ ସହଯୋଗ ଓ ସାଥୀକୁ ଉପଭୋଗ କରିଥାଉ, ଏହା ହିଁ ଆମ ସଫଳତାର କାରଣ ବୋଲି କୋହଲି କହିଥିଲେ।

ସମ୍ବନ୍ଧିତ ଖବର