ଚାରୁଲତାଙ୍କୁ ଦେଇଥିବା ପ୍ରତିଶ୍ରୁତି ରଖିଲେ କୋହଲି

ଅବଶିଷ୍ଟ ବିଶ୍ବକପ୍ ମ୍ୟାଚ୍‌ର ଟିକେଟ ଦେଲେ

ଲଣ୍ଡନ: ଭାରତୀୟ କ୍ରିକେଟ୍ ଦଳର ଚର୍ଚିତ ବୟୋବୃଦ୍ଧା ପ୍ରଶଂସିକା ଚାରୁଲତା ପଟେଲଙ୍କୁ ଦେଇଥିବା ପ୍ରତିଶ୍ରୁତି ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ପୂରଣ କରିଛନ୍ତି। ତାଙ୍କ ପାଇଁ ଭାରତୀୟ କ୍ରିକେଟ୍ ଦଳର ବଳକା ବିଶ୍ବକପ୍ ମ୍ୟାଚ୍ ଟିକେଟ ଯୋଗାଡ଼ କରିଛନ୍ତି କୋହଲି। ଫଳରେ ତାଞ୍ଜାନିଆରେ ଜନ୍ମ ନେବା ସତ୍ତ୍ବେ ଭାରତୀୟ କ୍ରିକେଟ୍ ଦଳକୁ ସମର୍ଥନ ଦେଇ ଆସୁଥିବା ଚାରୁଲତା ଶନିବାରର ଭାରତ-ଶ୍ରୀଲଙ୍କା‌ ମ୍ୟାଚ୍ ସହ ଦୁଇଟି ଯାକ ସେମିଫାଇନାଲ ଏବଂ ଫାଇନାଲରେ ଦେଖିବାକୁ ମିଳିବେ।

ମଙ୍ଗଳବାରର ଭାରତ-ବାଂଲାଦେଶ ମ୍ୟାଚ୍‌ରେ ଚାରୁଲତା ଭୁଭୁଜେଲା ବଜାଇ ଭାରତୀୟ ଦଳକୁ ଶେଷ ପର୍ଯ୍ୟନ୍ତ ଉତ୍ସାହିତ କରିଥିଲେ। ବଡ଼ ପରଦାରେ କ୍ୟାମେରା ମ୍ୟାନ୍ ବାରମ୍ବାର ତାଙ୍କ ଫଟୋ ‌ଦେଖାଇବା ପରେ ସେ ସାରା ଦୁନିଆରେ ଚର୍ଚତ ହୋଇ ଯାଇଥିଲେ। ଏପରିକି ମ୍ୟାଚ୍ ଶେଷ ପରେ କୋହଲି ଏବଂ ରୋହିତ ଶର୍ମା ଚାରୁଲତାଙ୍କୁ ଭେଟି ତାଙ୍କ ଆ‌ଶୀର୍ବାଦ ଭିକ୍ଷା କରିଥିଲେ। ସେତେବଳେ କୋହଲି ତାଙ୍କୁ ଭାରତୀୟ କ୍ରିକେଟ୍ ଦଳର ବଳକା ମ୍ୟାଚ୍ ଦେଖିବାକୁ ନିମନ୍ତ୍ରଣ କରିଥିଲେ। ଏପରିକି ଏଥିଲାଗି ଟିକେଟ୍ ଯୋଗଇ ଦେବେ ବୋଲି କହିଥିଲେ। ଚାରୁ ମଧ୍ୟ କୋହଲିଙ୍କ ନିମନ୍ତ୍ରଣକୁ ସାଦରରେ ଗ୍ରହଣ କରିଥିଲେ। କୋହଲି ଚାରିଟି ମ୍ୟାଚ୍‌ର ଟିକେଟ୍ ପହଞ୍ଚାଇ ଦେଇଥିବା ଚାରୁଲତାଙ୍କ ନାତୁଣୀ ସ୍ବୀକାର କରିଛନ୍ତି। ସେ କହିଛନ୍ତି ମଙ୍ଗଳବାର କୋହଲିଙ୍କୁ ଚାରୁଲତା ଆଲିଙ୍ଗନ କଲା ବେଳେ ‌ଦୟାକରି ଆମ ପରବର୍ତୀ ମ୍ୟାଚ୍ ଦେଖିବାକୁ ଆସ ବୋଲି ‌କୋହଲି ଅନୁରୋଧ କରିଥିଲେ। ଚାରୁଲତା କହିଥିଲେ ପୁଅ, ମୋ ପାଖରେ ଟିକେଟ ନାହିଁ। କୋହଲି କହିଥିଲେ ବ୍ୟସ୍ତ ହୁଅନି, ମୁଁ ତୁମ ପାଇଁ ଟିକେଟ୍ ବ୍ୟବସ୍ଥା କରିଦେବି। ସେ ତାଙ୍କ ପ୍ରତିଶ୍ରୁତି ରଖିଛନ୍ତି। ଆମ ପାଖରେ ଭାରତର ଶେଷ ମ୍ୟାଚ୍‌ଗୁଡ଼ିକ ଦେଖିବାର ଟିକେଟ ଅଛି। ଆମେ ଆଉ କିଛି ଟିକେଟ ପାଇଁ ଅନୁରୋଧ କରିଥିଲୁ, ହେଲେ ସେ ଅଧିକ ଟି‌କେଟ୍ ଯୋଗାଡ଼ କରି ପାରିନଥିଲେ। ମୁଁ ଗତ ୨୦ ବର୍ଷ ହେବ କ୍ରି‌କେଟ୍ ଦେଖୁଛି। ଭାରତ ଭଲ ଖେଳୁଛି। ସେମାନେ ଫାଇନାଲ୍ ଖେଳିବେ ବୋଲି ମୋର ଆଶା ଓ ବିଶ୍ବାସ ବୋଲି ଚାରୁଲତା କହିଛନ୍ତି। କୋହଲି, ରୋହିତ ଏବଂ ଧୋନି ତାଙ୍କ ପସନ୍ଦର ଖେଳାଳି ବୋଲି ସେ ମତ ରଖିଥିଲେ।

ସମ୍ବନ୍ଧିତ ଖବର