୪୦୦୦ ରନ୍‌ରେ କୋହଲି ଦ୍ରୁତତମ, ପଚିଶ ପଶ୍ଚାତଧାବନ ଶତକ

ବିରାଟ କୋହଲି ଶୁକ୍ରବାର ନିଜର ୪୧ତମ ଦିନିକିଆ ଶତକ ହାସଲ କରିଥିଲେ ମଧ୍ୟ ଭାରତକୁ ପରାଜୟ ପାର୍ଶ୍ବରେ ରହିବାକୁ ପଡ଼ିଛି। ଏହି ପାଳି ଅବସରରେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ଅଷ୍ଟମ ଏବଂ ଭାରତ ମାଟିରେ ୧୯ତମ ଦିନିକିଆ ଶତକ ହାସଲ କରିଥିଲେ। ସବୁଠାରୂ ବଡ଼ କଥା ହେଲା ଭାରତର ପଶ୍ଚାତଧାବନ ବେଳେ କୋହଲି ୨୫ ଶତକ ହାସଲ କରିଛନ୍ତି। ୩୦୦ରୁ ଊର୍ଧ୍ବ ରନ୍‌କୁ ପଶ୍ଚାତଧାବନ ବେଳେ କୋହଲିଙ୍କ ବ୍ୟାଟ୍‌ରୁ ମିଳିଥିଲା ନବମ ଶତକ।

ନିଜ ଆନ୍ତର୍ଜାତିକ କ୍ରିକେଟ୍‌ ଜୀବନରେ ବିରାଟ କୋହଲି ପୁଣି ଏକ ସଫଳତାର ଫର୍ଦ ଯୋଡ଼ିଛନ୍ତି। ଦିନିକିଆ ଆନ୍ତର୍ଜାତିକରେ ଅଧିନାୟକ ଭାବେ ୪୦୦୦ ରନ୍‌ ପୂରଣ କରିବାରେ କୋହଲି ଦ୍ରୁତତମ ବ୍ୟାଟ୍‌ସମ୍ୟାନ୍‌ ସାବ୍ୟସ୍ତ ହୋଇଛନ୍ତି। ଏ କ୍ଷେତ୍ରରେ ସେ ମଧ୍ୟ ଚତୁର୍ଥ ଭାରତୀୟ ଅଧିନାୟକ ବିବେଚିତ ହୋଇଛନ୍ତି। ତେବେ କୋହଲି ଏହି ସଫଳତା ୬୩ ପାଳିରେ ସଂଗ୍ରହ କରି ଜଣେ ଅଧିନାୟକ ଭାବେ ଦ୍ରୁତତମ କୀର୍ତିମାନ ରଖିଥିବା ଦକ୍ଷିଣ ଆଫ୍ରିକାର ଏବି ଡିଭିଲିୟର୍ସ (୭୭ ପାଳି)ଙ୍କୁ ଟପି ଯାଇଛନ୍ତି। ନାଗପୁରରେ ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ଦିନିକିଆରେ ନିଜର ୪୦ତମ ଶତକ ହାସଲ କରିଥିବା କୋହଲି ମଧ୍ୟ ଏଠାରେ ଶୁକ୍ରବାର ଖେଳିଥିବା ତୃତୀୟ ଦିନିକିଆରେ ୪୧ତମ ଶତକ ହାସଲ କରିନେଇଛନ୍ତି। ଏହି ଶତକୀୟ ପାଳିରେ ୨୭ ରନ୍‌ କରିଥିଲା ବେଳେ ହିଁ ‌କୋହଲି ୪୦୦୦ ରନ୍‌ ଟପି ଯାଇଥିଲେ। ଏଥି ସହିତ ଭାରତୀୟ ଅଧିନାୟକ ଭାବେ ୪୦୦୦ ଦିନିକିଆ ଆନ୍ତର୍ଜାତିକ ରନ୍‌ ପୂରଣ କରିସାରିଥିବା ମହେନ୍ଦ୍ର ସିଂହ ଧୋନି (୬୬୪୧), ମହମ୍ମଦ ଆଝାରୁଦ୍ଦିନ୍‌ (୫୨୩୯) ଏବଂ ସୌରଭ ଗାଙ୍ଗୁଲି (୫୧୦୪)ଙ୍କ କ୍ଲବ୍‌ରେ ନିଜ ନାମକୁ ସାମିଲ କରିଦେଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ରାଞ୍ଚି ଦିନିକିଆ ମ୍ୟାଚ୍‌ ପୂର୍ବରୁ ୩୯୭୩ ରନ୍‌ କରିସାରିଥିବା‌ କୋହଲି ମଧ୍ୟ ବିଶ୍ବର ଦ୍ବାଦଶ ଅଧିନାୟକ ଭାବେ ୪୦୦୦ ଦିନିକିଆ ରନ୍‌ ଟପିଗଲେ। ଶୁକ୍ରବାର ମ୍ୟାଚ୍‌ରେ ୧୨୩ ରନ୍‌ରେ ପାଭିଲିୟନ୍‌ ଫେରିବା ବେଳକୁ ଦିନିକିଆରେ କୋହଲିଙ୍କ ମୋଟ ରନ୍‌ ୧୦,୮୧୬ ହୋଇଛି।

ସମ୍ବନ୍ଧିତ ଖବର