କୋହଲିଙ୍କ ‘କୋଡ଼ିଏ ହଜାର’ କୀର୍ତ୍ତିମାନ

ପୋର୍ଟ ଅଫ୍ ସ୍ପେନ୍: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଆଉ ଏକ ବିଶ୍ବ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି। ‌ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ତିନି ଟିକିଆ ଏକଦିବସୀୟ ଶୃଙ୍ଖଳାରେ ଦୁଇଟି ଶତକ ସହ ମୋଟ ୨୩୪ ରନ୍ କରିଥିବା କୋହଲି କ୍ରିକେଟ୍ ଇତିହାସର ପ୍ରଥମ ବ୍ୟକ୍ତି ଭାବେ ଗୋଟିଏ ଦଶନ୍ଧି ଭିତରେ ୨୦,୦୦୦ ଅନ୍ତର୍ଜାତୀୟ ରନ୍ (ଟ୍ବେଣ୍ଟି-୨୦, ଦିନିକିଆ ଏବଂ ଟେଷ୍ଟ) ପୂରଣ କରିଛନ୍ତି। ମୋଟ ଉପରେ ସେ ୨୦,୫୦୨ ରନ୍ କରିଛନ୍ତି। ହେଲେ ସେଥିମଧ୍ୟରୁ ଚଳିତ ଦଶନ୍ଧିର ହେଉଛି ୨୦,୦୧୮ ରନ୍ । କୋହଲି ଏହି କୀର୍ତ୍ତିମାନ ବୁଧବାର ଖେଳା ଯାଇଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ଦିନିକିଆରେ ୪୩ତମ ଶତକ ହାସଲ କରିବା ଅବସରରେ କରିଛନ୍ତି। ୩୦ ବର୍ଷୀୟ କୋହଲି ୨୦୧୦ରେ ଟ୍ବେଣ୍ଟି-୨୦ ଏବଂ ଟେଷ୍ଟ ପଦାର୍ପଣ କରିଥିଲେ। ତେବେ ୨୦୦୮ରେ ଦିନିକିଆ ଖେଳ ଜୀବନ ଆରମ୍ଭ କରି ସାରିଥିଲେ। ୨୦୦୮ରୁ ୨୦୧୦ ମଧ୍ୟରେ ସେ ୪୮୪ ରନ୍ କରିଥିଲେ। ଚଳିତ ଦଶନ୍ଧି ଆରମ୍ଭ ହେବା (୨୦୧୦ରୁ) ପରଠାରୁ ଆଜି ପର୍ଯ୍ୟନ୍ତ କୋହଲି ୨୦,୦୧୮ ରନ୍ କରିଛନ୍ତି। ଚଳିତ ଦଶନ୍ଧି ଶେଷ ହେବାକୁ ଆହୁରି ଗୋଟିଏ ବର୍ଷରୁ ଅଧିକ ସମୟ ବାକି ଥିବାରୁ କୋହଲି ୨୧,୦୦୦ ରନ୍ ଟପି ଯିବାର ମଧ୍ୟ ଯଥେଷ୍ଟ ସମ୍ଭାବନା ରହିଛି। ଏହି କ୍ରମରେ ସେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂଙ୍କୁ କାଟିଛନ୍ତି। ପଣ୍ଟିଂ ୨୦୦୦ରୁ ୨୦୧୦ ମଧ୍ୟରେ ୧୮୯୬୨ ରନ୍ କରିଥିଲେ। ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଲରାଉଣ୍ଡର ଜ୍ୟାକ୍ କାଲିସ୍ ୨୦୦୦ରୁ ୨୦୧୦ ମଧ୍ୟରେ ୧୬୭୭୭ ରନ୍ କରି ତୃତୀୟ ସ୍ଥାନରେ ରହିଛନ୍ତି। ଶ୍ରୀଲଙ୍କାର କିମ୍ବଦନ୍ତୀ କ୍ରିକେଟର ମାହେଲା ଜୟବର୍ଧନେ (୧୬୩୦୪) ଓ କୁମାର ସାଙ୍ଗାକାରା (୧୫୯୯୯) ରନ୍ କରିଛନ୍ତି। ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର (୧୫୯୬୨) ଓ ରାହୁଲ ଦ୍ରାବିଡ଼ (୧୫୮୫୩) ଷଷ୍ଠ ଓ ସପ୍ତମ ସ୍ଥାନରେ ଅଛନ୍ତି। ଏହା ସହିତ କୋହଲି ମଧ୍ୟ ଅଧିନାୟକ ଭା‌ବେ ସର୍ବାଧିକ ଶତକ ହାସଲରେ ପଣ୍ଟିଂଙ୍କଠାରୁ ମାତ୍ର ଗୋଟିଏ ଶତକ ପଛରେ ଅଛନ୍ତି।

ସମ୍ବନ୍ଧିତ ଖବର