ଅନୁଷ୍କା ଆସିବା ପରେ ବଦଳିଛି କୋହଲିଙ୍କ ଭାଗ୍ୟ

ନୂଆଦିଲ୍ଲୀ: ଭାରତୀୟ ଅଧିନାୟକ ବିରାଟ କୋହଲି ୨୦୧୩ ମସିହାରେ ବଲିଉଡ୍‌ ତାରକା ଅନୁଷ୍କା ଶର୍ମାଙ୍କ ପ୍ରେମରେ ପଡ଼ିଥିଲେ। ୨୦୧୭ରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ୨୦୦୮ରେ ଦିନିକିଆରୁ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ କୋହଲି। ୨୦୧୦ରେ ‌ଟ୍ବେଣ୍ଟି-୨୦ ଏବଂ ୨୦୧୧ରେ ଟେଷ୍ଟ୍‌ ଖେଳ ଆରମ୍ଭ କରିଥିଲେ ଏହି ଦିଲ୍ଲୀ ତାରକା। ବିବାହ ପରେ କୋହଲି ‌ଶ୍ରେଷ୍ଠ ପ୍ରଦର୍ଶନ କରିପାରିବେନି ବୋଲି କିଛି କ୍ରୀଡ଼ା ସମୀକ୍ଷକ ସମାଲୋଚନା କରି କହିଥିଲେ। କିନ୍ତୁ ସେ ସେହିବର୍ଷ ୩ ଥର ଟେ‌ଷ୍ଟ୍‌ ଶୃଙ୍ଖଳାରେ ୬୦୦ରୁ ଅଧିକ ଲେଖାଏଁ ରନ୍‌ କରିଥିଲେ। ତାଙ୍କ ପୂର୍ବରୁ କେବଳ ସୁନିଲ ଗାଭାସ୍କର ଏବଂ ରାହୁଲ ଦ୍ରାବିଡ଼ ଗୋଟିଏ ବର୍ଷରେ ଦୁଇ ଥର ୬୦୦ରୁ ଅଧିକ ରନ୍‌ କରିପାରିଥିଲେ। ୨୦୧୭ରେ ସେ ସବୁ ଫର୍ମାଟ୍‌ରେ ମୋଟ ୨୮୧୮ ରନ୍‌ କରିଥିଲେ। ତାଙ୍କ ଆଗରେ କୁମାର ସାଙ୍ଗକାରା (୨୮୬୮ ରନ୍‌, ୨୦୧୪) ଏବଂ ରିକି ପଣ୍ଟିଂ (୨୮୩୩ ରନ୍‌, ୨୦୦୫) ରହିଛନ୍ତି। ଏଥିସହ କୋହଲି ଟେଷ୍ଟ୍‌ ଅଧିନାୟକ ଭାବେ ୧୨ ଶତକ ପୂର୍ଣ୍ଣ କରି ଶୀର୍ଷ ସ୍ଥାନ ଦଖଲ କରିଥିଲେ। ଏକ୍ଷେତ୍ରରେ ସୁନିଲ ଗାଭାସ୍କର, ମହମ୍ମଦ ଆଝାରୁଦ୍ଦିନ୍‌ ଓ ସଚିନ ତେନ୍ଦୁଲକର (୧୧ ଲେଖାଏଁ)ଙ୍କୁ ପଛରେ ପକାଇ ଦେଇଥିଲେ। ସେ ମଧ୍ୟ ଲଗାତାର ୯ ‌ଶୃଙ୍ଖଳା ଜିତିବାରେ ପଣ୍ଟିଂଙ୍କ ସହ ସମକକ୍ଷ ହୋଇଥିଲେ। ଏ ପର୍ଯ୍ୟନ୍ତ କୋହଲି ୫୨ ଅନ୍ତର୍ଜାତୀୟ ଶତକ ହାସଲ କରିସାରିଲେଣି।

ସମ୍ବନ୍ଧିତ ଖବର