କୋହଲିଙ୍କ ସ୍ମରଣୀୟ ଅଠର: ୨୭୩୫ ରନ୍‌

ମୁମ୍ବାଇ: ଗତ ୨୦୧୮ କ୍ୟାଲେଣ୍ଡର ବର୍ଷରେ ବିରାଟ କୋହଲି ଆନ୍ତର୍ଜାତିକ କ୍ରିକେଟ୍‌ର ୩ଟିଯାକ ଫର୍ମାଟ୍‌ରେ ମୋଟ ୩୭ ମ୍ୟାଚ୍‌ ଖେଳି ସଂଗ୍ରହ କରିଛନ୍ତି ୨୭୩୫ ରନ୍‌। ସେଥିରେ ସାମିଲ ରହିଛି ୧୧ ଶତକ ଓ ୯ ଅର୍ଧଶତକ। ସେ ୧୩ ଟେଷ୍ଟ୍‌ ଖେଳି ୧୩୨୨ ରନ୍‌ କରିଥିଲା ବେଳେ ୧୪ ଦିନିକିଆରେ ୧୨୦୨ ଏବଂ ୧୦ ଟ୍ବେଣ୍ଟି-୨୦ରେ ୨୧୧ ରନ୍‌ କରିଛନ୍ତି। ବିଶେଷକରି କୋହଲି ୨୦୧୮ରେ ବିଦେଶମାଟିରେ ହିଁ ସବୁଠୁ ଅଧିକ ମ୍ୟାଚ୍‌ ଖେଳିଥିଲେ। ବିଦେଶରେ ସେ ୧୧ ଟେଷ୍ଟ୍‌ ଖେଳିଥିଲା ବେଳେ ଘରୋଇ ମାଟିରେ ମାତ୍ର ୨ ଟେଷ୍ଟ୍‌ ଖେଳିଥିଲେ। ଦକ୍ଷିଣ ଆଫ୍ରିକା ଗସ୍ତରେ ୩ ଟେଷ୍ଟ ଖେଳି ସେ ୨୮୬ ରନ୍‌ କରିଥିଲା ବେଳେ ତାଙ୍କର ସର୍ବାଧିକ ସ୍କୋର୍‌ ଥିଲା ୧୫୩। ଇଂଲଣ୍ଡ ଗସ୍ତରେ ୫ ଟେଷ୍ଟ୍‌ରୁ ୫୯୩ ରନ୍‌ ସଂଗ୍ରହ କରିଥିଲା ବେଳେ ସର୍ବାଧିକ ସ୍କୋର୍‌ ଥିଲା ୧୪୯। ଅଷ୍ଟ୍ରେଲିଆ ଗସ୍ତରେ ୩ ଟେଷ୍ଟ୍‌ ଖେଳି ସର୍ବାଧିକ ୧୨୩ ସହାୟତାରେ ସଂଗ୍ରହ କରିଥିଲେ ମୋଟ ୨୫୯ ରନ୍‌। ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ଘରୋଇ ମାଟିରେ ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ୨ ଟେଷ୍ଟ୍‌ ଖେଳି ସଂଗ୍ରହ କରିଥିଲେ ମୋଟ ୧୮୪ ରନ୍‌। ଇଣ୍ଡିଜ୍‌ ବିପକ୍ଷରେ ତାଙ୍କର ସର୍ବାଧିକ ସ୍କୋର୍‌ ଥିଲା ୧୩୯ ରନ୍‌। ସେହିପରି ଦିନିକିଆରେ ୧୪ ମ୍ୟାଚ୍‌ ମଧ୍ୟରୁ ବିଦେଶରେ ୯ ଓ ଘରୋଇ ମାଟି‌ରେ ୫ ଖେଳିଥିଲେ। ଦକ୍ଷିଣ ଆଫ୍ରିକା ଗସ୍ତରେ ୬ ଦିନିକିଆ ଖେଳି ମୋଟ ୫୫୮ ରନ୍‌ କରିଥିଲା ବେଳେ ସର୍ବାଧିକ ସ୍କୋର୍‌ ଥିଲା ୧୬୦*। ସେହି ଗସ୍ତରେ କୋହଲି ୩ ଶତକ ଓ ଗୋଟିଏ ଅର୍ଧଶତକ ଜମାଇଥିଲେ। ଏହାପରେ ଇଂଲଣ୍ଡ ଗସ୍ତରେ ୩ ଦିନିକିଆରୁ ୨ ଅର୍ଧଶତକ ସହାୟତାରେ ୧୯୧ ରନ୍‌ କରିଥିଲା ବେଳେ ସର୍ବାଧିକ ଥିଲା ୭୫ ରନ୍‌। ଘରୋଇ ମାଟିରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ୫ ଦିନିକିଆରୁ ୩ ଶତକ ସହାୟତାରେ ସଂଗ୍ରହ କରିଥିଲେ ୪୫୩ ରନ୍‌। ସେହି ଶୃଙ୍ଖଳାରେ ତାଙ୍କର ସର୍ବାଧିକ ବ୍ୟକ୍ତିଗତ ସ୍କୋର୍‌ ଥିଲା ୧୫୭ ରନ୍‌। ଅନ୍ୟପକ୍ଷରେ ଟ୍ବେଣ୍ଟି-୨୦‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ୨ ମ୍ୟାଚ୍‌ରେ ୨୭, ଆୟର୍ଲାଣ୍ଡ୍‌ ବିପକ୍ଷ ୨ ମ୍ୟାଚ୍‌ରେ ୯, ଇଂଲଣ୍ଡ ବିପକ୍ଷ ୩ ମ୍ୟାଚ୍‌ରେ ୧୧୦ ଏବଂ ଅଷ୍ଟ୍ରେଲିଆ ବିପକ୍ଷ ୩ ମ୍ୟାଚ୍‌ରେ ୬୫ ରନ୍‌ କରିଥିଲେ। ଏହି ସବୁ ମ୍ୟାଚ୍‌ ବିଦେଶ ମାଟି‌ରେ ଖେଳିଥିଲା ବେଳେ ତାଙ୍କର ସର୍ବାଧିକ ସ୍କୋର୍‌ ଥିଲା ଅଷ୍ଟ୍ରେଲିଆ ବିପକ୍ଷ ସିଡ୍‌ନି ମ୍ୟାଚ୍‌ରେ ଅପରାଜିତ ୬୧ ରନ୍‌।

ସଚିନଙ୍କ ସବୁ କୀର୍ତ୍ତିମାନକୁ କୋହଲି ଭାଙ୍ଗିଦେବେ: ଜାହିର ଆବାସ
ଲାହୋର: ସାଂପ୍ରତିକ ସମୟରେ ବିରାଟ କୋହଲି ବିଶ୍ବର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍। ସେ ସବୁ କୀର୍ତ୍ତିମାନ ଭାଙ୍ଗିଦେବେ। ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇ ଦେବେ। ହେଲେ କେବଳ ବିରାଟ ନୁହନ୍ତି। ଭାରତ ପାଖରେ ଆହୁରି ଅନେକ ଶୀର୍ଷ ସ୍ତରୀୟ ବ୍ୟାଟ୍ସମ୍ୟାନ୍ ଅଛନ୍ତି। ରୋହିତ ଶର୍ମାଙ୍କୁ ଦେଖିଲେ ଆପଣ କେବଳ ତାଙ୍କ ଖେଳକୁ ହିଁ ଚାହିଁ ରହିଥିବେ। ତାଙ୍କ ‌ବ୍ୟାଟିଂର ସୁନ୍ଦରତାକୁ ପ୍ରଶଂସା ନ କରି ରହିପାରିବେ ନାହିଁ। ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ବ୍ୟାଟିଂରେ ଥିବା ବିବିଧତା ଅନ୍ୟ କୌଣସି ଖେଳାଳିଙ୍କ ପାଖରେ ନାହିଁ। ଆଇପିଏଲ୍ ପାଇଁ ଭାରତୀୟ କ୍ରିକେଟ୍‌ର ସ୍ତର ଏବେ ବହୁତ ବଢ଼ି ଯାଇଛି। ସେମାନେ ମଧ୍ୟ ନିଜ ଖେଳାଳିଙ୍କୁ ଅନ୍ୟ କୌଣସି ସ୍ଥାନକୁ ଯାଇ ଖେଳିବାର ଅନୁମତି ଦେଉ ନାହାନ୍ତି। ପାକିସ୍ତାନର କିମ୍ବଦନ୍ତୀ କ୍ରିକେଟର ଜାହିର ଆବାସ ଏହା କହିଛନ୍ତି। କେବଳ ଭାରତ ନୁହେଁ ଆଫଗାନିସ୍ତାନ, ବାଂଲାଦେଶ ଓ ଶ୍ରୀଲଙ୍କା କ୍ରିକେଟ୍‌ରେ ମଧ୍ୟ ବହୁତ ଉନ୍ନତି ହୋଇଥିବା ସେ ଆକଳନ କରିଛନ୍ତି। ପାକିସ୍ତାନଠାରୁ ଭାରତ ବହୁତ ଆଗକୁ ଚାଲି ଯାଇଥିବା ୭୮ ଟେଷ୍ଟ ଓ ୬୨ ଦିନିକିଆ ଖେଳିଥିବା ଆବାସ ବି ସ୍ବୀକାର କରିଛନ୍ତି। ଏଥିନେଇ ସେ କହିଛନ୍ତି, ଅତୀତରେ ଆମେ ଭାରତକୁ ନିୟମିତ ଭାବେ ହରାଉଥିଲୁ। ହେଲେ ଏବେ ଭାରତର ଘରୋଇ କ୍ରିକେଟ୍ ଢାଞ୍ଚାରେ ବହୁତ ଉନ୍ନତି ହୋଇଛି। ସେଥିପାଇଁ ସେଠାରୁ ବହୁ ବିଶ୍ବସ୍ତରୀୟ କ୍ରିକେଟର ସୃଷ୍ଟି ହେଉଛନ୍ତି। ସେପଟେ ୨୦୧୭ ଚାମ୍ପିଅନ୍ସ ଟ୍ରଫି ବିଜୟର ଉନ୍ମାଦରୁ ବାହାରକୁ ଆସିବାକୁ ସେ ଏହି ଅବସରରେ ପାକିସ୍ତାନ କ୍ରିକେଟରଙ୍କୁ ପରାମର୍ଶ ଦେଇଛନ୍ତି। ଲାହୋର ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଅନ୍ତର୍ଜାତୀୟ ଦଳ ପାକିସ୍ତାନ ଗସ୍ତ କରୁ ନାହାନ୍ତି। ଏହି କାରଣରୁ ମଧ୍ୟ ପାକିସ୍ତାନ କ୍ରିକେଟ୍ ବହୁତ ପଛକୁ ଚାଲି ଯାଇଥିବା ଆବାସ ମତ ପ୍ରକାଶ କରିଛନ୍ତି।

ଶୁଭେଚ୍ଛାର ସୁଅ
ନୂଆଦିଲ୍ଲୀ: ବିଶ୍ବର ପ୍ରଥମ ଖେଳାଳି ଭାବେ ଗୋଟିଏ ବର୍ଷରେ ଆଇସିସିର ୩ ପ୍ରମୁଖ ପୁରସ୍କାର ସହିତ ଟେଷ୍ଟ୍‌ ଓ ଦିନିକିଆ ଦଳ ନେତୃତ୍ବ ପାଇଥିବା ବିରାଟ‌ ‌କୋହଲିଙ୍କ ନିକଟକୁ ମଙ୍ଗଳବାର ଶୁଭେଚ୍ଛାର ସୁଅ ଛୁଟିଛି। ବିଶେଷ କରି ସାମାଜିକ ଗଣାମଧ୍ୟମରେ କୋହଲିଙ୍କ ଶୁଭେଚ୍ଛା ଦିନ ତମାମ ପ୍ରାଧାନ୍ୟ ବିସ୍ତାର କରିଥିଲା। ଚେତେଶ୍ବର ପୂଜାରା, ରବିଚନ୍ଦ୍ରନ୍‌ ଅଶ୍ବିନ, ବିସିସିଆଇ, ହର୍ଷ ଭୋଗ୍‌ଲେ, ଅଞ୍ଜୁମ‌ ଚୋପ୍ରା, ସୁନୀଲ ଗାଭାସ୍କରଙ୍କଠାରୁ ଆରମ୍ଭ କରି ସାଧାରଣ କ୍ରିକେଟ୍ ପ୍ରେମୀ ଓ ପ୍ରଶଂସକମାନେ ତାଙ୍କୁ ‘କିଙ୍ଗ୍‌ କୋହଲି’ ଆଖ୍ୟା ଦେଇଛନ୍ତି।

ସମ୍ବନ୍ଧିତ ଖବର