କ୍ରିକେଟର୍‌ଙ୍କ ମଧ୍ୟରେ କୋହଲିଙ୍କ ସାମାଜିକ ଗଣମାଧ୍ୟମ ଅନୁଗାମୀ ସଂଖ୍ୟା ସର୍ବାଧିକ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଆଉ ଏକ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି। ସାମାଜିକ ଗଣମାଧ୍ୟମରେ ତାଙ୍କ ଅନୁଗାମୀଙ୍କ ସଂଖ୍ୟା ଯେ କୌଣସି କ୍ରିକେଟର୍‌ଙ୍କ ମଧ୍ୟରେ ସର୍ବାଧିକ ରହିଛି। ଟ୍ବିଟର, ଫେସବୁକ୍ ଓ ଇନଷ୍ଟାଗ୍ରାମରେ କୋହଲିଙ୍କର ମୋଟ ୯ କୋଟି ଅନୁଗାମୀ ଅଛନ୍ତି। କୋହଲିଙ୍କର ଟ୍ବିଟର, ଫେସବୁକ୍ ଓ ଇନଷ୍ଟାଗ୍ରାମରେ ୩ କୋଟି ଲେଖାଏଁ ଅନୁଗାମୀ ଅଛନ୍ତି। ଏହି ତାଲିକାରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ୭ କୋଟି ୪୬ ଲକ୍ଷ ଅନୁଗାମୀ ସହ ଦ୍ବିତୀୟ ସ୍ଥାନରେ ରହିଛନ୍ତି। କୋହଲି ସାମାଜିକ ଗଣମାଧ୍ୟମରେ ତୁଳନାତ୍ମକ ଭାବେ ଅଧିକ ସକ୍ରିୟ ରହିବା ତାଙ୍କ ଅନୁଗାମୀ ସଂଖ୍ୟା ୪ କୋଟି ଟପିବାର ମୁଖ୍ୟ କାରଣ ବୋଲି କୁହାଯାଉଛି। ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ସାମାଜିକ ଗଣମାଧ୍ୟମରେ ଅଧିକ ସକ୍ରିୟ ନଥିଲେ ମଧ୍ୟ ସେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଏହି ତିନିଟି ପ୍ଲାଟଫର୍ମରେ ଧୋନିଙ୍କର ଅନୁଗାମୀ ସଂଖ୍ୟା ୪ କୋଟି ୩୬ ଲକ୍ଷ। ରୋହିତ ଶର୍ମାଙ୍କର ସାମାଜିକ ଗଣମାଧ୍ୟମରେ ଅନୁଗାମୀ ସଂଖ୍ୟା ୩ କୋଟି ୬୨ ଲକ୍ଷରୁ ଅଧିକ ରହିଛି। ଏହା ପରେ ସୁରେଶ ରାଇନା ଅଛନ୍ତି। ରାଇନାଙ୍କ ଅନୁଗାମୀ ସଂଖ୍ୟା ହେଉଛି ୨ କୋଟି ୮୮ ଲକ୍ଷ। ଯୁବରାଜ ସିଂହ (୨ କୋଟି ୬୨ ଲକ୍ଷ), ହରଭଜନ ସିଂହ (୨ କୋଟି ୩ ଲକ୍ଷ) ଓ ଏବି ଡି’ଭିଲିୟର୍ସ (୧ କୋଟି ୮୮ ଲକ୍ଷ) ଯଥାକ୍ରମେ ଷଷ୍ଠ, ସପ୍ତମ ଓ ଅଷ୍ଟମ ସ୍ଥାନ ଅଧିକାର କରିଛନ୍ତି। ଭାରତୀୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନ (୧ କୋଟି ୭୮ ଲକ୍ଷ) ନବମ ସ୍ଥାନରେ ଥିଲା ବେଳେ ୱେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ କ୍ରିସ ଗେଲ୍ (୧ କୋଟି ୫୦ ଲକ୍ଷ) ଦଶମ ସ୍ଥାନ ଅଧିକାର କରିଛନ୍ତି।

ସମ୍ବନ୍ଧିତ ଖବର