କୋହଲିଙ୍କ ନିଆରା ହ୍ୟାଟ୍ରିକ୍

ନୂଆଦିଲ୍ଲୀ: ଆଡିଲେଡ୍ ଦିନିକିଆରେ ଶତକ (୧୦୪ ରନ୍, ୧୧୨ ବଲ୍) ଅର୍ଜନ କରି ଭାରତୀୟ ଅଧିନାୟକ ବିରାଟ କୋହଲି ନିଆରା ହ୍ୟାଟ୍ରିକ୍ କରିଛନ୍ତି। ଗତ ତିନି ବର୍ଷ ହେବ ଜାନୁଆରି ୧୫ ତାରିଖରେ ଲଗାତାର ଶତକ ଅଜର୍ନ କରିବାର ଅନନ୍ୟ ସଫଳତା ସେ ଲାଭ କରିଛନ୍ତି। ଏହି ଧାରା ୨୦୧୭ରେ ଆରମ୍ଭ ହୋଇଥିଲା। ସେହିବର୍ଷ ଜାନୁଆରି ୧୫ରେ ‌କୋହଲି ପୁନେଠାରେ ଇଂଲଣ୍ଡ ବିପକ୍ଷରେ ୧୦୨ ବଲ୍‌ରୁ ୧୨୨ ରନ୍‌ର ପାଳି ଖେଳିଥିଲେ। ଗତବର୍ଷ ଏହି ଧାରାକୁ ଆଗେଇ ନେଇ ସମାନ ତାରିଖରେ କୋହଲି ସେଞ୍ଚୁରିଅନ୍‌ରେ ଆଉ ଏକ ଚମତ୍କାର ଶତକ (୧୫୩, ୨୧୭ ବଲ୍ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ) ହାସଲ କରିଥିଲେ। ମଙ୍ଗଳବାର ଆଡିଲେଡ୍‌ରେ ସେହି ଜାନୁଆରି ୧୫ ତାରିଖରେ ତାଙ୍କ ବ୍ୟା‌ଟ୍‌ରୁ ଲଗାତାର ତୃତୀୟ ଶତକ ଦେଖିବାକୁ ମିଳିଥିଲା। ୨୦୧୭ ଏବଂ ୨୦୧୯ ଶତକ ଦିନିକିଆରେ ହାସଲ କରିଥିଲା ବେଳେ ୨୦୧୮ ଶତକ କୋହଲି ଟେଷ୍ଟ୍‌ କ୍ରିକେଟରେ ଅର୍ଜନ କରିଥିଲେ। ଏଣୁ ଜାନୁଆରି ୧୫ କୋହଲିଙ୍କ ପାଇଁ ବେଶ୍ ଭାଗ୍ୟଶାଳୀ ବୋଲି ଚର୍ଚା ହେଉଛି। ପଛୁଆ ବ୍ୟାଟିଂରେ ମଧ୍ୟ ଏହା ତାଙ୍କର ୨୪ତମ ଶତକ ଥିଲା। ସେଥିପାଇଁ କୋହଲିଙ୍କୁ ପଛୁଆ ବ୍ୟାଟିଂର ସମ୍ରାଟ ବା ଚେଜ୍ ମାଷ୍ଟରର ଉପାଧୀ ମିଳିଛି। ଏହି ବିଷୟରେ ନିଜ ମତ ରଖିବାକୁ ଯାଇ କୋହଲି କହିଥିଲେ ଯେ ମୁଁ ଯାହା କହେ, ତାହା କରି ଦେଖାଇବାକୁ ଚେଷ୍ଟା କରେ। ଆମେ କେବଳ ଘରେ ନୁହଁ, ବିଶ୍ବ ସ୍ତରରେ ମଧ୍ୟ ବିଜୟୀ ହେବାକୁ ଚାହୁଁଛୁ। ଆମ ପାଖରେ ପ୍ରତିଭା ରହିଛି। କେବେ କେବେ ଭାରତ ପାଇଁ ଖେଳୁଥିବାର ଗର୍ବକୁ ବାହାରକୁ ଆଣିବାକୁ ପଡ଼ିଥାଏ। ଏହା କରିବା ଦ୍ବାରା ଶରୀରରେ ଅସୀମ ଶକ୍ତି ଶିହରଣ ହୋଇଥାଏ।

୧୫-୧-୨୦୧୭ : ୧୨୨
୧୫-୧-୨୦୧୮ : ୧୫୩
୧୫-୧-୨୦୧୯ : ୧୦୪

ଭାରତକୁ ଟେଷ୍ଟ୍‌ ମହାଶକ୍ତିରେ ପରିଣତ କରିବାକୁ ଚାହେଁ: କୋହଲି
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଐତିହାସିକ ଶୃଙ୍ଖଳା ବିଜୟ ପରେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଟେଷ୍ଟ୍‌ କ୍ରିକେଟ୍‌ର ଭବିଷ୍ୟତ ନେଇ ବେଶ୍ ଆଶାବାଦୀ ଅଛନ୍ତି। ସେଥିପାଇଁ ଟେଷ୍ଟ୍‌ କ୍ରିକେଟ୍‌ର ପ୍ରାସଙ୍ଗିକତା ଓ ମହତ୍ବ ଦୀର୍ଘ ସମୟ ପର୍ଯ୍ୟନ୍ତ ଅତୁଟ ରହିବ ବୋଲି ବୁଧବାର ଏକ ଘରୋଇ ଟେଲିଭିଜନ୍ ଚ୍ୟା‌ନେଲକୁ ସାକ୍ଷାତକାର ଦେଇ ସେ କହିଛନ୍ତି। ସେହିଭଳି ଟେଷ୍ଟ୍‌ କ୍ରିକେଟ୍‌ରେ ଭାରତକୁ ଅପ୍ରତିଦ୍ବନ୍ଦ୍ବୀ ସମ୍ରାଟରେ ପରିଣତ କରିବା ତାଙ୍କର ସ୍ବପ୍ନ ବୋଲି କୋହଲି ଏହି ଅବସରରେ ମତ ରଖିଥିଲେ। ସମଗ୍ର ବିଶ୍ବରେ ଭାରତୀୟ ଦଳର ବହୁ ପ୍ରଶଂସକ ରହିଛନ୍ତି। ଭାରତ ଆଗରେ ରହିଲେ, ଟେଷ୍ଟ କ୍ରିକେଟ୍ ଯେଉଁ ସମ୍ମାନର ହକ୍‌ଦାର ତାହା ପାଇପାରିବ। ଏହା ମୋର ଏକମାତ୍ର ଲକ୍ଷ୍ୟ ବୋଲି କହିବି ନାହିଁ। ତେବେ ଭାରତକୁ ଟେଷ୍ଟ କ୍ରିକେଟ୍‌ର ମହାଶକ୍ତି କିମ୍ବା ଦୀର୍ଘ ଦିନ ପର୍ଯ୍ୟନ୍ତ ଅତ୍ୟନ୍ତ ଶକ୍ତିଶାଳୀ ଦଳ ଭାବେ ଗଢ଼ି ତୋଳିବା ମୋର ଇଚ୍ଛା ବୋଲି କୋହଲି କହିଥିଲେ। ମୁଁ ଭାବୁଛି ଯଦି ଭାରତ ଓ ଭାରତୀୟ କ୍ରିକେଟର ଟେଷ୍ଟ କ୍ରିକେଟ୍‌କୁ ସମ୍ମାନ ଦିଏନ୍ତି, ତାହା‌ଲେ ଟେଷ୍ଟ କ୍ରିକେଟ୍ ଶୀର୍ଷରେ ରହିବ। ସାରା ବିଶ୍ବରେ ଆମର ପ୍ରଶଂସକ ରହିଛନ୍ତି, ସେମାନେ ହିଁ ଟେଷ୍ଟ୍‌କୁ ବଞ୍ଚାଇ ରଖିବାରେ ନିର୍ଣ୍ଣାୟକ ଭୂମିକା ନେବେ। ସୀମିତ ଓଭର କ୍ରିକେଟ୍ ମହତ୍ବପୂର୍ଣ୍ଣ, ହେଲେ ଆମେ ଏହାକୁ ମାତ୍ରାଧିକ ମହତ୍ବ ଦେଲେ କିମ୍ବା ଟେଷ୍ଟ୍‌ କ୍ରିକେଟ୍ ଉତ୍ପର୍ନ କରୁଥିବା ପରିସ୍ଥିତିରୁ ବର୍ତିବା ଲାଗି ଏହାକୁ ଏକ ବାହାନା ଭାବେ‌ ନେଲେ, ଆଗାମୀ ପିଢ଼ି ମାନସିକ ଦ୍ବନ୍ଦ୍ବର ସମ୍ମୁଖୀନ ହେବ। ସେମାନେ ଟେଷ୍ଟ୍‌ କ୍ରିକେଟ୍‌ର ମହତ୍ବ ବୁଝି ପାରିବେ ନାହିଁ। ଅଷ୍ଟ୍ରେଲିଆରେ ଟେଷ୍ଟ୍‌ ଶୃଙ୍ଖଳା ଜିତିବାରେ ପ୍ରଥମ ଏସୀୟ ଅଧିନାୟକ ହେବାର ଗୌରବ ଅର୍ଜନ କରିଥିବା କୋହଲି ନିଜ ନେତୃତ୍ବ ଶୈଳୀ ନେଇ କହିଥିଲେ ଯେ ମୋ ନେତୃତ୍ବ ଶୈଳୀ ଓ ଦକ୍ଷତା ସମୟ ସହ ବଦଳିଛି। ଅଧିନାୟକତ୍ବ ସବୁବେଳେ ଆହ୍ବାନଭରା ଏବଂ ଏଥିରେ ମାତ୍ରାଧିକ ଚାପ ରହିଥାଏ। ମୋ ଉପରେ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କର ଢେର ପ୍ରଭାବ ରହିଛି। ସେ ସଚ୍ଚୋଟତାର ସହ ମୋ ଦୋଷ ଦୁର୍ବଳତା କହିଥାଆନ୍ତି। ମୋ ନେତୃତ୍ବରେ କଣ ଏବଂ କେଉଁଠି ଅସୁବିଧା ରହିଛି, ତାହା ମଧ୍ୟ ସ୍ପଷ୍ଟ କରି ଦେଇଥାଆନ୍ତି। ଫଳରେ ପରବର୍ତୀ ସମୟରେ ଏହାକୁ ଠିକ୍ କରିବାକୁ ମୁଁ ଚେଷ୍ଟା କରିଥାଏ।

ସମ୍ବନ୍ଧିତ ଖବର