ଡାଲ୍‌ମିଆଙ୍କ ଭଳି କୋହଲି ଆମ ନାୟକ: କପିଳଦେବ

କୋଲ୍‌କାତା: ଭାରତର ପ୍ରଥମ ବିଶ୍ୱକପ୍‌ ବିଜୟୀ ଅଧିନାୟକ କପିଳ ଦେବ ମଙ୍ଗଳବାର ବର୍ତମାନର ଅଧିନାୟକ ବିରାଟ କୋହଲି ଏବଂ ସ୍ୱର୍ଗୀୟ କ୍ରିକେଟ୍‌ ପ୍ରଶାସକ ଜଗମୋହନ ଡାଲମିଆଙ୍କୁ ତୁଳନା କରିଛନ୍ତି। ଉଭୟଙ୍କୁ ପଡ଼ିଆ ଭିତର ଓ ବାହାରର ନାୟକ ଦର୍ଶାଇଛନ୍ତି। ‘ଆମେ ତୁମ ଆଡ଼କୁ ଅନାଉଛୁ (କୋହଲି), ତୁମେ ଆମ ନାୟକ, ଯେଭଳି ଥିଲେ ଡାଲମିଆ (ପଡ଼ିଆ ବାହାରେ)। ତୁମେ ସବୁକିଛି ବଦଳାଇ ଦେଇ ପାର, ଯେଭଳି ଫିଟନେସ୍‌ରେ କରିଛ। ଏଥି ପାଇଁ ଆମେ ଗର୍ବିତ ବୋଲି କପିଳ ଦେବ କହିଛନ୍ତି। ପ୍ରତି ଅଧିନାୟକ କିଛି ନା କିଛି ନୂଆ କରିଥାନ୍ତି। ତୁମେ ଫିଟନେସ୍‌ ସ୍ତରକୁ ନୂଆ ସ୍ତରକୁ ନେଇଯାଇଛ। ଆମେ କ୍ରିକେଟର୍‌ ମାନେ ଏଇଆ କହିବୁ ‘ଏଭଳି ଭଲ କାମ ଜାରି ରଖ’। ଜଗମୋହନ ଡାଲମିଆ ବାର୍ଷିକ କନ୍‌କ୍ଲେଭ୍‌ ବକ୍ତତା ପ୍ରଦାନ ଅବସରରେ ଏଭଳି ମତ ରଖିଥିଲେ ବିଗତ ଦିନର ଅଲ୍‌ ରାଉଣ୍ଡର୍‌ କପିଳଦେବ। କପିଳଙ୍କ ସହିତ ଶ୍ରୀଲଙ୍କା କ୍ରିକେଟ୍‌ ସଭାପତି ତିଲଙ୍ଗା ସୁମତିପଲା, ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ୍‌ ଏବଂ ଉଭୟ ଭାରତ ଓ ଶ୍ରୀଲଙ୍କା ଖେଳାଳି ଉପସ୍ଥିତ ଥିଲେ।

ଆମ ପାଖରେ ଦୁଇ ପ୍ରକାର ନାୟକ ଥାନ୍ତି। ପଡ଼ିଆ ଭିତରେ ଏବଂ ବାହାରେ। ଆଜିର କ୍ରିକେଟର୍‌ମାନେ ଯଦି ଉପଭୋଗ କରୁଥାନ୍ତି ତେବେ ଏହା ଡାଲମିଆଙ୍କ ପାଇଁ ସମ୍ଭବ ହୋଇଛି। ତାଙ୍କ ବିନା ଆମେ ଏବେ ସମ୍ଭବତଃ ସଂଘର୍ଷ କରିଥାନ୍ତେ। ସୂଚନାଯୋଗ୍ୟ, ୧୯୭୯ରେ ବିସିସିଆଇରେ ଯୋଗଦେବା ପରେ ଏହାକୁ ବିଶ୍ୱର ସବୁଠୁ ଧନୀ କ୍ରିକେଟ୍‌ ବୋର୍ଡରେ ପରିଣତ କରିବାରେ ପ୍ରମୁଖ ଭୂମିକା ତୁଲାଇଥିଲେ। ୧୯୮୭ ଏବଂ ୧୯୯୬ରେ ଭାରତୀୟ ଉପମହାଦେଶକୁ ବିଶ୍ୱକପ୍‌ ଆୟୋଜନ ଅଧିକାର ଆଣିବାରେ ସେ ମୁଖ୍ୟ ଥିଲେ। ୨୦୧୫ ସେପ୍ଟେମ୍ବରରେ ତାଙ୍କ ଦେହାନ୍ତ ହୋଇଥିଲା। ସେ ବିଗତ ୫୦ ବର୍ଷରେ ଶ୍ରେଷ୍ଠ କ୍ରୀଡ଼ା ପ୍ରଶାସକ ଥିଲେ ବୋଲି କପିଳ କହିଥିଲେ। ଆଗରୁ ଆମେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଭଳି ଦରମା ପାଇବାକୁ ଦାବି କରୁଥିଲୁ। ଏବେ ସେମାନେ ଭାରତୀୟଙ୍କ ଭଳି ଦରମା ଆଶା କରୁଛନ୍ତି। ଏଭଳି ପରିବର୍ତନ ଡାଲମିଆଙ୍କ ପାଇଁ ହୋଇଛି ବୋଲି କପିଳ କହିଥିଲେ।

ସମ୍ବନ୍ଧିତ ଖବର