କୋହଲିଙ୍କ ୭,୦୦୦ ଟେ୍ଵଣ୍ଟି-୨୦ ରନ୍‌: ରାଜକୋଟ୍‌ରେ ଭାରତର ପ୍ରଥମ ପରାଜୟ

ରାଜକୋଟ୍‌: ଶନିବାର ରାତିରେ ଖେଳା ଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେ୍ଵଣ୍ଟି-୨୦ରେ ୬୫ ରନ୍‌ର ପାଳି ଖେଳି ଭାରତୀୟ ଅଧିନାୟକ ବିରାଟ କୋହଲି ଆଉ ଏକ ନିଆରା କ୍ଲବରେ ସାମିଲ ହୋଇଛନ୍ତି। କ୍ରିସ୍‌ ଗେଲ୍‌ (୧୦,୫୭୧), ବ୍ରେଣ୍ଡନ ମ୍ୟାକଲମ୍‌ (୮,୨୪୫), କିରଣ ପୋଲାର୍ଡ (୭.୫୮୯), ଡେଭିଡ୍‌ ଓ୍ଵାର୍ନର (୭,୫୭୨), ବ୍ରାଡ୍‌ ହଜ୍‌ (୭,୩୩୮), ଡେ୍ଵନ୍‌ ସ୍ମିଥ୍‌ (୭୨୭୦) ଓ ସୋଏବ ମଲ୍ଲିକ (୭,୨୨୬)ଙ୍କ ପରେ ଟେ୍ଵଣ୍ଟି-୨୦ରେ ୭,୦୦୦ ରନ୍‌ ଟପିବାରେ କୋହଲି ଅଷ୍ଟମ ଖେଳାଳି ହୋଇଥିଲେ। ଏଥିଲାଗି ସେ ୨୧୨ ପାଳି ନେଇଥିଲେ। ଯାହା ଗେଲ୍‌ଙ୍କ ପଛକୁ ଦ୍ୱିତୀୟ ସର୍ବାଧିକ। ଗେଲ୍‌ ମାତ୍ର ୧୯୨ ପାଳିରେ ଏହି ମାଇଲଖୁଣ୍ଟ ଛୁଇଁଥିଲେ। ଅନ୍ତର୍ଜାତୀୟ ଟେ୍ଵଣ୍ଟି-୨୦ରେ କୋହଲି (୫୪ ମ୍ୟାଚ୍‌, ୧୯୪୩ ରନ୍‌) ନ୍ୟୁଜିଲାଣ୍ଡର ବ୍ରେଣ୍ଡନ ମ୍ୟାକଲମଙ୍କ (୭୧ ମ୍ୟାଚ୍‌, ୨୧୪୦ ରନ୍‌) ପଛକୁ ଦ୍ୱିତୀୟ ସର୍ବାଧିକ ରନ୍‌ କରିଥିଲେ। କୋହଲି ମଧ୍ୟ ତୃତୀୟ ବ୍ୟାଟ୍ସମ୍ୟାନ୍‌ ଭାବେ ଟେ୍ଵଣ୍ଟି-୨୦ରେ ୨୦୦ ଚୌକା ମାରିଲେ। ତାଙ୍କ ପୂର୍ବରୁ ତିଲକରତ୍ନେ ଦିଲସାନ୍‌ (୨୨୩) ଓ ମହମ୍ମଦ ସେହଜାଦ (୨୦୦) ଏହି ସଫଳତା ଲାଭ କରିଥିଲେ।

 ରାଜକୋଟରେ ଥିବା ସୌରାଷ୍ଟ୍ର କ୍ରିକେଟ ସଂଘ ଷ୍ଟାଡିୟମରେ ଭାରତ ଶନିବାର ପ୍ରଥମ ଟେ୍ଵଣ୍ଟି-୨୦ ପରାଜୟ ବରଣ କଲା। ଏହା ପୂର୍ବରୁ ୨୦୧୩ ମସିହାରେ ଏଠାରେ ଖେଳା ଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଏକମାତ୍ର ଅନ୍ତର୍ଜାତୀୟ ଟେ୍ଵଣ୍ଟି-୨୦ ମ୍ୟାଚ୍‌କୁ ଭାରତ ୬ ଓ୍ଵିକେଟ୍‌ରେ ଜିତି ନେଇଥିଲା।

 ମହେନ୍ଦ୍ର ସିଂହ ଧୋନି ୪୯ ରନ୍‌ କରି ଅର୍ଧଶତକରୁ ବଞ୍ଚିତ ହେଲେ। ଆଉ ୧ ରନ୍‌ କରି ପାରିଥିଲେ ଅନ୍ତର୍ଜାତୀୟ ଟେ୍ଵଣ୍ଟି-୨୦ରେ ସେ ନିଜ ଦ୍ୱିତୀୟ ଅର୍ଧଶତକ ହାସଲ କରିଥାଆନ୍ତେ। ଧୋନି ତାଙ୍କ ଏକମାତ୍ର ଅନ୍ତର୍ଜାତୀୟ ଟେ୍ଵଣ୍ଟି-୨୦ ଅର୍ଧଶତକ ଚଳିତ ବର୍ଷ ଫେବ୍ରୁଆରିରେ ଇଂଲଣ୍ଡ ବିପକ୍ଷରେ ବେଙ୍ଗାଲୁରୁରେ ହାସଲ କରିଥିଲେ।

 ପରାଜୟ ମ୍ୟାଚ୍‌ରେ ଧୋନିଙ୍କର ଏହା ସର୍ବାଧିକ ବ୍ୟକ୍ତିଗତ ରନ୍‌ ଥିଲା। ଏହା ପୂର୍ବରୁ ୨୦୧୨ ଫେବ୍ରୁଆରି ପହିଲାରେ ଧୋନି ୪୮* ରନ୍‌ କରିବା ସତ୍ତ୍ୱେ ଭାରତ ହାରିଥିଲା।

 ଟେ୍ଵଣ୍ଟି-୨୦ରେ ନ୍ୟୁଜିଲାଣ୍ଡ ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ (୪/୩୨) ନିଜ ଶ୍ରେଷ୍ଠ ବୋଲିଂ ଚିତ୍ର ପାଇଲେ। ଏହି କ୍ରମରେ ସେ ୨୦୧୪ରେ ଶ୍ରୀଲଙ୍କା ବିପକ୍ଷରେ ୨୦ ରନ୍‌ ଦେଇ ୩ ଓ୍ଵିକେଟ୍‌ ନେବାକୁ ଟପିଲେ।

 ଭାରତ ବିପକ୍ଷ ଟେ୍ଵଣ୍ଟି-୨୦ ମ୍ୟାଚ୍‌ରେ ୪ ଓ୍ଵିକେଟ୍‌ ସଫଳତା ହାସଲ କରିବାରେ ବୋଲ୍ଟ ନ୍ୟୁଜିଲାଣ୍ଡର ପ୍ରଥମ ବୋଲର ହେଲେ। ଟିମ୍‌ ସାଉଦି ଏକମାତ୍ର ନ୍ୟୁଜିଲାଣ୍ଡ ବୋଲର ଭାବେ ପାଞ୍ଚ ଓ୍ଵିକେଟ୍‌ ସଫଳତା ପାଇଛନ୍ତି। ସେ ୨୦୧୦ରେ ପାକିସ୍ତାନ ବିପକ୍ଷରେ ଏହି ସଫଳତା ପାଇଥିଲେ।

 କଲିନ ମୁନରୋ ଓ ମାର୍ଟିନ ଗପ୍ଟିଲ ଟେ୍ଵଣ୍ଟି-୨୦ରେ ଭାରତ ବିପକ୍ଷରେ ନ୍ୟୁଜିଲାଣ୍ଡର ପ୍ରଥମ ଶତକୀୟ ପାଳି ହାସଲ କଲେ। ମୋଟ ଉପରେ ନ୍ୟୁଜିଲାଣ୍ଡର ଏହା ସପ୍ତମ ଶତକୀୟ ଟେ୍ଵଣ୍ଟି-୨୦ ଭାଗୀଦାରି ଥିଲା।

 ଟେ୍ଵଣ୍ଟି-୨୦ରେ ଦୁଇଟି ଶତକ ହାସଲ କରିବାରେ କଲିନ ମୁନ୍ରୋ ଚତୁର୍ଥ ଖେଳାଳି ହେଲେ। ଚଳିତ ବର୍ଷ ସେ ବାଂଲାଦେଶ ବିପକ୍ଷରେ ମଧ୍ୟ ଶତକୀୟ ପାଳି ଖେଳିଥିଲେ। ତାଙ୍କ ପୂର୍ବରୁ କ୍ରିସ୍‌ ଗେଲ୍‌, ବ୍ରେଣ୍ଡନ ମ୍ୟାକଲମ୍‌ ଓ ଏଲଭିନ ଲୁଇସ୍‌ ଏଭଳି ସଫଳତା ହାସଲ କରି ସାରିଛନ୍ତି।

 ପଦାର୍ପଣକାରୀ ଭାରତୀୟ ବୋଲର ମହମ୍ମଦ ସିରାଜ ଶନିବାର ୪ ଓଭରରେ ୫୩ ରନ୍‌ ବ୍ୟୟ କଲେ। ଟେ୍ଵଣ୍ଟି-୨୦ରେ ସେ ତୃତୀୟ ମହଙ୍ଗା ବୋଲି ଚିତ୍ର ପାଇଲେ। ତାଙ୍କ ଆଗରେ ଜେମ୍ସ ଆଣ୍ଡରସନ୍‌ (୬୪, ଅଷ୍ଟ୍ରେଲିଆ ବିପକ୍ଷରେ) ଓ ଯୋଗିନ୍ଦର ଶର୍ମା (୫୭, ଇଂଲଣ୍ଡ ବିପକ୍ଷରେ) ଅଛନ୍ତି।

ସମ୍ବନ୍ଧିତ ଖବର