କୋହଲି ଓ ସ୍ପିନରଙ୍କ କୃତି: ୫୫୮ ରନ୍‌, ୩୩ ଓ୍ଵିକେଟ୍‌

ସେଞ୍ଚୁରିଅନ୍‌: ଦକ୍ଷିଣ ଆଫ୍ରିକା ବିପକ୍ଷ ୬ ଟିକିଆ ଦିନିକିଆ ଶୃଙ୍ଖଳା ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଶୃଙ୍ଖଳା ଥିଲା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହି ଶୃଙ୍ଖଳାରେ ସେ ତିନିଟି ଶତକ, ଗୋଟିଏ ଅର୍ଧଶତକ ଏବଂ ୧୮୬ର ହାରାହାରିରେ ଅବିଶ୍ୱସନୀୟ ୫୫୮ ରନ୍‌ କରିଥିଲେ। ତିନି ଥର ଅପରାଜିତ ରହିବା ସହ ଥରେ ରନ୍‌ ଆଉଟ୍‌ ହୋଇଥିଲେ। କୋହଲି ଯେମିତି ଏହି ଶୃଙ୍ଖଳାରେ ନିଜ ଖେଳର ସର୍ବଶ୍ରେଷ୍ଠ ସ୍ତରରେ ଥିଲେ। ଲଗାତାର ଦୁଇଟି ରନ୍‌ ଚେଜ୍‌ ବା ଫିଛିଲା ବ୍ୟାଟିଂ ବିଜୟରେ ସେ ଶତକ ଅର୍ଜନ କରିଥିଲେ। ତୃତୀୟ ଦିନିକିଆରେ ସେ ପୂରା ୫୦ ଓଭର ବ୍ୟାଟିଂ କରିବା ସହ କେବଳ ଦୌଡ଼ିକରି ୧୦୦ ରନ୍‌ କରିଥିଲେ। କୌଣସି ଦକ୍ଷିଣ ଆଫ୍ରିକା ବୋଲର ତାଙ୍କୁ ଅଡ଼ୁଆରେ ପକାଇବାର ଗୋଟିଏ ହେଲେ ବି ଘଟଣା ପୂରା ଶୃଙ୍ଖଳାରେ ଦେଖିବାକୁ ମିଳି ନଥିଲା। କେବଳ କ୍ରିସ୍‌ ମୋରିସ୍‌ ଏବଂ ଆନ୍ଦିଲ ଫେଲୁକ୍ୱାଓ କୋହଲିଙ୍କୁ ଥରେ ଲେଖାଏଁ ଆଉଟ୍‌ କରିବାକୁ ସକ୍ଷମ ହୋଇଥିଲେ। କୌଣସି ଦ୍ୱିପାକ୍ଷିକ ଶୃଙ୍ଖଳାରେ ୫୦୦ରୁ ଅଧିକ ରନ୍‌ କରିବାରେ ମଧ୍ୟ କୋହଲି ପ୍ରଥମ ଖେଳାଳି ହୋଇଥିଲେ। ଏହି କ୍ରମରେ ସେ ଅନ୍ୟତମ ଭାରତୀୟ ରୋହିତ ଶର୍ମା (୬ ମ୍ୟାଚ୍‌ ୪୯୧ ରନ୍‌, ଅଷ୍ଟ୍ରେଲିଆ ବିପକ୍ଷରେ)ଙ୍କୁ ଅତିକ୍ରମ କରିଥିଲେ।
କୋହଲିଙ୍କ ଭଳି ଦୁଇ ଯୁବ ସ୍ପିନର ୟୁଜବେନ୍ଦ୍ର ଚହଲ ଏବଂ କୁଲଦୀପ ଯାଦବ ମଧ୍ୟ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ଅନ୍ୟ ସମସ୍ତ ବୋଲର ମିଳିତ ଭାବେ ୪୧ ଓ୍ଵିକେଟ୍‌ ଅକ୍ତିଆର କରିଥିଲା ବେଳେ ଏହି ଦୁଇ ଜଣ ଏକାଠଇ ୩୩ ଓ୍ଵିକେଟ୍‌ କରାୟତ କରିଥିଲେ। ସେଥିମଧ୍ୟରୁ କୁଲଦୀପ ୧୩.୮୮ ହାରରେ ୧୭ ଏବଂ ଚହଲ ୧୬.୩୭ ହାରରେ ୧୬ ଓ୍ଵିକେଟ୍‌ ପାଇଥିଲେ। ଦକ୍ଷିଣ ଆଫ୍ରିକାରେ ଭାରତୀୟ ସ୍ପିନରଙ୍କର ଏହା ସର୍ବଶ୍ରେଷ୍ଠ ପ୍ରଦର୍ଶନ ଥିଲା। ଅନ୍ୟ ପକ୍ଷରେ ପୂରା ଶୃଙ୍ଖଳାରେ ଦକ୍ଷିଣ ଆଫ୍ରିକା ସ୍ପିନରମାନେ ମାତ୍ର ତିନିଟି ଓ୍ଵିକେଟ୍‌ ଅକ୍ତିଆର କରିଥିଲେ। ଶୃଙ୍ଖଳାରେ ମୋଟ ୮ ତିନି ଓ୍ଵିକେଟ୍‌ ସଫଳତା ଦେଖିବାକୁ ମିଳିଥିଲା। ସେଥିମଧ୍ୟରୁ ୬ଟି କୁଲଦୀପ ଏବଂ ଚହଲ ହାସଲ କରିଥିଲେ। କୁଲଦୀପ ଚାରିଟି ତିନି ଓ୍ଵିକେଟ୍‌ ସଫଳତା ଲାଭ କରିଥିଲେ। ଚହଲ ତିନି ଥର ଏଭଳି ସଫଳତା ପାଇଥିଲେ। ଅନ୍ୟ ତିନିଟି ୩ ଓ୍ଵିକେଟ୍‌ ସଫଳତା ଲୁଙ୍ଗି ଏନଗିଡ଼ି (୨) ଓ ସାର୍ଦୁଲ ଠାକୁର ହାସଲ କରିଥିଲେ। ଶୃଙ୍ଖଳାରେ କୋହଲି, ଶିଖର ଧାଓ୍ଵନ ଏବଂ ରୋହିତ ଶର୍ମା ମିଳିତ ଭାବେ ୫ ଶତକ ଏବଂ ୩ ଅର୍ଧଶତକ ବଳରେ ୧୦୫୧ ରନ୍‌ କରିଥିଲେ। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକାର ଶୀଷ ୩ ବ୍ୟାଟ୍ସମ୍ୟାନ୍‌ ମିଳିତ ଭାବେ ମାତ୍ର ୫୩୮ ରନ୍‌ କରିଥିଲେ।

କୋହଲି ପଛୁଆ ବ୍ୟାଟିଂ ବିଜୟର ରାଜା

ଦକ୍ଷିଣ ଆଫ୍ରିକା ବିପକ୍ଷ ଷଷ୍ଠ ମୁକବିଲାରେ ଭାରତୀୟ ଅଧିନାୟକ ବିରାଟ କୋହଲି ନିଜ ୩୫ତମ ଦିନିକିଆ ଶତକ ହାସଲ କରିଥିଲେ। ଭାରତର ୮ ଓ୍ଵିକେଟ୍‌ ବିଜୟରେ କୋହଲି ପଛୁଆ ବ୍ୟାଟିଂରେ ଶତକ ହାସଲ କରିବାରେ ନିଜ କୀର୍ତ୍ତିମାନକୁ ଟପି ଯାଇଥିଲେ। ପଛୁଆ ବ୍ୟାଟିଂ ବିଜୟରେ ସେ ଶୁକ୍ରବାର ଊନ୍ନବିଂଶ ଶତକ ହାସଲ କରିଥିଲେ। ବିଶ୍ୱ କ୍ରିକେଟ୍‌ରେ ଏଭଳି ବିରଳ ଶତକୀୟ ସଫଳତା ପୂର୍ବରୁ କେହି ହାସଲ କରି ନାହାନ୍ତି। କୋହଲି ୨୦୦୯ରେ ଶ୍ରୀଲଙ୍କା ବିପକ୍ଷରେ କୋଲକାତାଠାରେ ପ୍ରଥମ ପଛୁଆ ବ୍ୟାଟିଂ ବିଜୟ ଶତକ ଅର୍ଜନ କରିଥିଲେ। ଏହାପରେ ୨୦୧୦ରେ ବାଂଲାଦେଶ ବିପକ୍ଷରେ ଢାକାରେ, ୨୦୧୦ରେ ଭାଇଜାକଠାରେ ଅଷ୍ଟ୍ରେଲିଆ ବିପକ୍ଷରେ, ୨୦୧୧ରେ ନୂଆଦିଲ୍ଲୀଠାରେ ଇଂଲଣ୍ଡ ବିପକ୍ଷରେ, ୨୦୧୧ରେ ଭାଇଜାକଠାରେ େଓ୍ଵଷ୍ଟଇଣ୍ଡିଜ୍‌ ବିପକ୍ଷରେ, ୨୦୧୨ରେ ହୋବାର୍ଟରେ ଶ୍ରୀଲଙ୍କା ବିପକ୍ଷରେ, ୨୦୧୨ରେ ମିରୁପରଠାରେ ବାଂଲାଦେଶ ବିପକ୍ଷରେ, ୨୦୧୨ରେ କଲମ୍ବୋଠାରେ ଶ୍ରୀଲଙ୍କା ବିପକ୍ଷରେ, ୨୦୧୩ରେ ହରାରେଠାରେ ଜିମ୍ବାେଓ୍ଵ ବିପକ୍ଷରେ, ୨୦୧୩ରେ ଜୟପୁରଠାରେ ଅଷ୍ଟ୍ରେଲିଆ ବିପକ୍ଷରେ, ୨୦୧୩ରେ ନାଗପୁରଠାରେ ଅଷ୍ଟ୍ରେଲିଆ ବିପକ୍ଷରେ, ୨୦୧୪ରେ ଫତୁଲାଠାରେ ବାଂଲାଦେଶ ବିପକ୍ଷରେ, ୨୦୧୪ରେ ରାଞ୍ଚିରେ ଶ୍ରୀଲଙ୍କା ବିପକ୍ଷରେ, ୨୦୧୬ରେ ମୋହାଲିରେ ନ୍ୟୁଜିଲାଣ୍ଡ ବିପକ୍ଷରେ, ୨୦୧୭ରେ ପୁନେଠାରେ ଇଂଲଣ୍ଡ ବିପକ୍ଷରେ, ୨୦୧୭ରେ ଜାମାଇକାରେ େଓ୍ଵଷ୍ଟଇଣ୍ଡିଜ୍‌ ବିପକ୍ଷରେ, ୨୦୧୭ରେ କଲମ୍ବୋରେ ପୁଣି ଶ୍ରୀଲଙ୍କା ବିପକ୍ଷରେ, ୨୦୧୮ରେ ଡର୍ବାନରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମଧ୍ୟ ପଛୁଆରେ ବ୍ୟାଟିଂରେ ଶତକ ହାସଲ କରି ଭାରତକୁ ବିଜୟୀ କରାଇଥିଲେ।

ସମ୍ବନ୍ଧିତ ଖବର