କାଉଣ୍ଟି ଖେଳିବେନି କୋହଲି

ବେକ ଆଘାତ ହେଲା କାଳ, ଜୁନ୍‌ ୧୫ରେ ଦେବେ ସୁସ୍ଥତା ପରୀକ୍ଷା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲିଙ୍କ କାଉଣ୍ଟି ଖେଳିବା ଆଶା ଆଶାରେ ରହିଯାଇଛି। ଆଇପିଏଲ୍‌-୧୧ ଖେଳୁଥିଲା ବେଳେ ବେକରେ ଆଘାତ ଲାଗିଥିବାରୁ ଇଂଲଣ୍ଡ ବିପକ୍ଷ ଶୃଙ୍ଖଳା ପୂର୍ବରୁ ସେଠାକୁ ଯାଇ ‘ସରେ’ ଦଳ ପକ୍ଷରୁ କାଉଣ୍ଟି ଖେଳିବା ଯୋଜନା ଫସର ଫାଟି ଯାଇଛି। ଭାରତର ଆୟର୍ଲାଣ୍ଡ୍‌ ଏବଂ ଇଂଲଣ୍ଡ ଗସ୍ତ ପୂର୍ବରୁ ନିଜକୁ ସେଠାର ପାଣିପାଗ ସହ ଅଭ୍ୟସ୍ତ କରାଇବାକୁ କୋହଲି ସରେ ସହ ଚୁକ୍ତି କରିଥିଲେ। ତେବେ ଗତ ୧୭ ତାରିଖରେ ବେଙ୍ଗାଲୁରୁସ୍ଥିତ ଏମ୍‌ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିବା ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍‌ ବେଳେ କ୍ଷେତ୍ରରକ୍ଷଣ କରୁଥିବା ସମୟରେ କୋହଲିଙ୍କ ବେକରେ ଆଘାତ ଲାଗିଥିଲା। ସେହି ସମୟରେ ଏହି ଆଘାତ ସମସ୍ୟା ଜଟିଳ ନଥିଲା। ହେଲେ ଗତ ବୁଧବାର କୋହଲି ସ୍ୱାସ୍ଥ୍ୟ ପରୀକ୍ଷା ଲାଗି ମୁମ୍ବାଇର ଏକ ଡାକ୍ତରଖାନା ଯାଇଥିଲେ। ପରୀକ୍ଷାରେ ତାଙ୍କ ବେକ ହାଡ଼ରେ ଆଘାତ ଲାଗିଥିବା ଜଣା ପଡ଼ିଥିଲା। ଏହି ସମସ୍ୟାରୁ ମୁକୁଳିବା ଲାଗି ତାଙ୍କୁ ୩ ସପ୍ତାହ ଲାଗିଯିବ। ଫଳରେ ସେ କାଉଣ୍ଟି ଋତୁବେଳେ ଇଂଲଣ୍ଡରେ ଉପସ୍ଥିତ ରହି ପାରିବେନି ବୋଲି ଘୋଷଣା କରିଥିଲେ। ସଂପ୍ରତି ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡର ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଛନ୍ତି। ଆୟର୍ଲାଣ୍ଡ୍‌ ଏବଂ ଇଂଲଣ୍ଡ ଗସ୍ତ ପୂର୍ବରୁ କୋହଲି ପୂର୍ଣ୍ଣ ଭାବେ ସୁସ୍ଥ ହୋଇ ଯାଇଥିବେ ବୋଲି ଡାକ୍ତରୀ ଦଳ ଆଶା ରଖିଥିବା ନେଇ ବିସିସିଆଇ ସମ୍ପାଦକ ଅମିତାଭ ଚୌଧୁରୀ କହିଛନ୍ତି। ଦଳରେ ସ୍ଥାନ ପାଇବାକୁ ହେଲେ କୋହଲିଙ୍କୁ ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ୍‌ ଏକାଡେମି (ଏନ୍‌ସିଏ)ଠାରେ ଜୁନ୍‌ ୧୫ ତାରିଖରେ ସୁସ୍ଥତା ପରୀକ୍ଷା ଦେବାକୁ କୁହାଯାଇଛି। ଏଥିରେ ସଫଳ ହେଲେ ଜୁନ୍‌ ଶେଷ ସପ୍ତାହରେ ହେବାକୁଥିବା ଆୟର୍ଲାଣ୍ଡ ଏବଂ ଇଂଲଣ୍ଡ ଗସ୍ତ ଦଳରେ ସାମିଲ ହେବେ।

ସମ୍ବନ୍ଧିତ ଖବର