ପଣ୍ଟିଂଙ୍କ ସମକକ୍ଷ ହେଲେ କୋହଲି

ନୂଆଦିଲ୍ଲୀ: ଫିରୋଜ ଶାହା କୋଟଲା ଷ୍ଟାଡିୟମ୍‌ରେ ମ୍ୟାଚ୍‌ ଅମୀମାଂସିତ ରହିବା ସତ୍ତ୍ୱେ ଭାରତ ୧-୦ରେ ଶୃଙ୍ଖଳା ଜିତିନେଲା। ଏଥି ସହିତ ଭାରତ କ୍ରମାଗତ ନବମ ଟେଷ୍ଟ ଶୃଙ୍ଖଳା ଜିତିବାର ସଫଳତା ପାଇଲା। ପୂର୍ବରୁ କେବଳ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ହିଁ କ୍ରମାଗତ ୯ ଟେଷ୍ଟ ଶୃଙ୍ଖଳା ଜିତିବାର ଗୌରବ ପାଇଥିଲେ। ଏବେ ଭାରତ ଏହି କ୍ଲବ୍‌ରେ ସାମିଲ ହେଲା। ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ମଧ୍ୟ ତାଙ୍କ ନେତୃତ୍ୱରେ ନବମ ଶୃଙ୍ଖଳା କ୍ରମାଗତ ଜିତି ଅଷ୍ଟ୍ରେଲିଆର ରିକି ପଣ୍ଟିଂଙ୍କ ସମକକ୍ଷ ହେଲେ। ଏହି ୯ ଶୃଙ୍ଖଳା ମଧ୍ୟରେ ଭାରତ ଘରେ ୬ ଓ ବିଦେଶରେ ୩ ଜିତିଛି। ଅଷ୍ଟ୍ରେଲିଆ ମଧ୍ୟ ଅନୁରୂପ ଭାବେ ୬ ଘରୋଇ ଓ ୩ ବିଦେଶ ଶୃଙ୍ଖଳା ଜିତିଛି। ଭାରତ ଏହି ୯ ଶୃଙ୍ଖଳା ମଧ୍ୟରେ ମୋଟ ୩୦ ଟେଷ୍ଟ ଖେଳିଥିଲା ବେଳେ ୨୧ ବିଜୟ ପାଇଥିଲା ବେଳେ ମାତ୍ର ୨ଟିରେ ହାରିଛି। ଅବଶିଷ୍ଟ ୭ ଅମୀମାଂସିତ ରହିଛି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ତା’ର ୯ ଶୃଙ୍ଖଳା ମଧ୍ୟରେ ୨୬ ମ୍ୟାଚ୍‌ ଖେଳି ୨୨ ଜିତିଛି। ଆଉ ଏହି ୯ ଶୃଙ୍ଖଳା ମଧ୍ୟରେ ବିରାଟ କୋହଲି ଭାରତର ସର୍ବାଧିକ ସଫଳ ବ୍ୟାଟ୍‌ସମ୍ୟାନ୍‌ ଭାବେ ୨୭୦୭ ରନ୍‌ କରିଥିଲା ବେଳେ ରବିଚନ୍ଦ୍ରନ୍‌ ଅଶ୍ୱିନ୍‌ ୧୮୦ ଓ୍ଵିକେଟ୍‌ ନେଇ ସଫଳତମ ବୋଲର ସାବ୍ୟସ୍ତ ହୋଇଛନ୍ତି। ଅଷ୍ଟ୍ରେଲିଆ ପକ୍ଷରୁ ରିକି ପଣ୍ଟିଂ (୨୭୯୦ ରନ୍‌) ଓ ବ୍ରେଟ୍‌ ଲି (୧୩୦ ଓ୍ଵିକେଟ୍‌) ସଫଳତମ ବ୍ୟାଟ୍‌ସମ୍ୟାନ୍‌ ଓ ବୋଲର ରହିଛନ୍ତି।

କୋହଲିଙ୍କ ମୋଟ ୬୧୦ ରନ୍‌ ଏକ ତିନି ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ କୌଣସି ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ଙ୍କ ପାଇଁ ସର୍ବାଧିକ ଏବଂ ମୋଟ ଉପରେ ଚତୁର୍ଥ ସର୍ବାଧିକ। ଏକ୍ଷେତ୍ରରେ କୋହଲିଙ୍କ ଉପରକୁ ଇଂଲଣ୍ଡର ଗ୍ରାହାମ୍‌ ଗୁଚ୍‌ (୭୫୨), େଓ୍ଵଷ୍ଟଇଣ୍ଡିଜ୍‌ର ବ୍ରାଏନ୍‌ ଲାରା (୬୮୮) ଓ ପାକିସ୍ତାନର ମହମ୍ମଦ ୟୁସୁଫ୍‌ (୬୬୫) ରହିଛନ୍ତି। ପୁଣି ଗୋଟିଏ ଶୃଙ୍ଖଳାରେ ୫ ବା ତା’ଠୁ କମ୍‌ ପାଳିରେ ୬୦୦ରୁ ଅଧିକ ରନ୍‌ ସଂଗ୍ରହ କରିବାରେ କୋହଲି ଅଷ୍ଟ୍ରେଲିଆର ଡନ୍‌ ବ୍ରାଡ୍‌ମ୍ୟାନ୍‌ (୮୦୬) ଓ ପାକିସ୍ତାନର ମହମ୍ମଦ ୟୁସୁଫ୍‌ (୬୬୫)ଙ୍କ କ୍ଲବ୍‌ରେ ସାମିଲ ହୋଇଛନ୍ତି। କେବଳ ସେତିକି ନୁହେଁ, କୋହଲି ତିନି ଥର ଗୋଟିଏ ଶୃଙ୍ଖଳାରେ ୬୦୦ରୁ ଅଧିକ ରନ୍‌ କରି ଭାରତୀୟ କୀର୍ତିମାନ ପ୍ରତିଷ୍ଠା କରିଛନ୍ତି। ସେ ଗାଭାସ୍କର ଓ ରାହୁଲ୍‌ ଦ୍ରାବିଡ୍‌ (ଉଭୟ ଦୁଇ ଥର)ଙ୍କୁ ଏକ୍ଷେତ୍ରରେ ପଛରେ ପକାଇ ଦେଇଛନ୍ତି। କୋହଲି ଚଳିତ ଶ୍ରୀଲଙ୍କା ଶୃଙ୍ଖଳା ପୂର୍ବରୁ ୨୦୧୪-୧୪ ବର୍ଡର-ଗାଭାସ୍କର ଟ୍ରଫି ଶୃଙ୍ଖଳାରେ ୬୯୨ ଓ ଗତବର୍ଷ ଇଂଲଣ୍ଡ ବିପକ୍ଷ ଶୃଙ୍ଖଳାରେ ୬୫୫ ରନ୍‌ କରିଥିଲେ। କେବଳ ଡନ୍‌ ବ୍ରାଡ୍‌ମ୍ୟାନ୍‌ ଏପରି ୬ ଶୃଙ୍ଖଳାରେ ୬୦୦ରୁ ଅଧିକ ରନ୍‌ କରି କୋହଲିଙ୍କ ଉପରକୁ ରହିଛନ୍ତି।

ଗୋଟିଏ ଟେଷ୍ଟରେ ୨୯୩ ରନ୍‌ କରିବାରେ କୋହଲି ପ୍ରଥମ ଭାରତୀୟ ଅଧିନାୟକ ହୋଇଛନ୍ତି। ତାଙ୍କ ପୂର୍ବରୁ ସୁନିଲ ଗାଭାସ୍କର ୧୯୭୮ ମସିହାରେ ୨୮୯ (୧୦୭ ଓ ୧୮୨*) ରନ୍‌ କରିଥିଲେ। ଅଷ୍ଟ୍ରେଲିଆର ରିକି ପଣ୍ଟିଂଙ୍କ ପରେ କୋହଲି ସପ୍ତମ ଅଧିନାୟକ ହେଲେ ଯିଏକି ଗୋଟିଏ ଟେଷ୍ଟରେ ଦ୍ୱିଶତକ ଓ ଅର୍ଧଶତକ ଜମାଇଲେ। ଗାଭାସ୍କର, ଗୁଚ୍‌, ମାର୍କ ଟେଲର, ଷ୍ଟିଫେନ୍‌ ଫ୍ଲେମିଂ, ଗ୍ରେମ୍‌ ସ୍ମିଥ୍‌ ପୂର୍ବରୁ ଏହି କ୍ଲବ୍‌ରେ ସାମିଲ ଥିଲେ। କୋହଲି ଚଳିତ ୨୦୧୭ ଋତୁରେ ଆନ୍ତର୍ଜାତିକ କ୍ରିକେଟ୍‌ରେ ୨୮୧୮ ରନ୍‌ ସଂଗ୍ରହ କରିଛନ୍ତି। ଯାହାକି ଗୋଟିଏ ବର୍ଷରେ ତୃତୀୟ ସର୍ବାଧିକ। ଏହି ତାଲିକାରେ ସିଂହଳୀ ତାରକା କୁମାର ସାଙ୍ଗାକାରା (୨୮୬୮ ରନ୍‌, ୨୦୧୪ ମସିହା) ଏବଂ ଅଷ୍ଟ୍ରେଲିଆର ରିକି ପଣ୍ଟିଂ (୨୮୩୩ ରନ୍‌, ୨୦୦୫ ମସିହା) କୋହଲିଙ୍କ ଉପରକୁ ରହିଛନ୍ତି।

ସମ୍ବନ୍ଧିତ ଖବର