ସଚିନ, ସୌରଭ ଓ ଦ୍ରାବିଡ଼ କ୍ଲବ୍‌ରେ କୋହଲି

ନୂଆଦିଲ୍ଲୀ: ଭାରତୀୟ ଅଧିନାୟକ ବିରାଟ କୋହଲି ଆଉ ଏକ କୀର୍ତ୍ତିିମାନର ଅଧିକାରୀ ହୋଇଛନ୍ତି। ସାଉଥମ୍ପଟନ୍‌ ଟେଷ୍ଟ୍‌ରେ ୪୯ ରନ୍‌ର ପାଳି ଖେଳି ସେ ଚତୁର୍ଥ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଭାବେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୧୮,୦୦୦ ରନ୍‌ ପୂରଣ କରିଛନ୍ତି। ଏହା କରି କୋହଲି ଭାରତୀୟ କ୍ରିକେଟ୍‌ର ତିନି ମହାରଥୀ ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି ଏବଂ ରାହୁଲ ଦ୍ରାବିଡ଼ଙ୍କ କ୍ଲବ୍‌ରେ ଯୋଗ ଦେଇଛନ୍ତି। ସେହିଭଳି ବ୍ରାଏନ ଲାରାଙ୍କୁ ଟପି ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୧୮,୦୦୦ ରନ୍‌ କରିବାରେ ବିଶ୍ୱର ଦ୍ରୁତତମ ଖେଳାଳି ହୋଇଛନ୍ତି। ୨୯ ବର୍ଷୀୟ କୋହଲି ୩୮୨ ପାଳିରେ ଏହି ମାଇଲଖୁଣ୍ଟ ଛୁଇଁଥିଲା ବେଳେ ଲାରା ୪୧୧ ଏବଂ ସଚିନ ୪୧୨ ପାଳି ନେଇଥିଲେ। ଭାରତୀୟଙ୍କ ମଧ୍ୟରେ ସର୍ବାଧିକ ଅନ୍ତର୍ଜାତୀୟ ରନ୍‌ରେ ସଚିନ (୬୬୪ ମ୍ୟାଚ୍‌, ୩୪,୩୫୭ ରନ୍‌) ଶୀର୍ଷରେ ଅଛନ୍ତି। ତାଙ୍କ ପରେ ଦ୍ରାବିଡ଼ (୫୦୯ ମ୍ୟାଚ୍‌, ୨୪,୨୦୮ ରନ୍‌) ଥିଲା ବେଳେ ସୌରଭ ଗାଙ୍ଗୁଲି (୪୨୪ ମ୍ୟାଚ୍‌, ୧୮,୫୭୫ ରନ୍‌) ତୃତୀୟ ସ୍ଥାନରେ ରହିଛନ୍ତି। କୋହଲି ଏମାନଙ୍କ ପଛକୁ (୩୪୩ ମ୍ୟାଚ୍‌, ୧୮,୦୨୮ ରନ୍‌) ରହିଛନ୍ତି।

୩୮ବର୍ଷ ତଳର କୀର୍ତ୍ତିମାନ ଭାଙ୍ଗିଲେ ଭାରତୀୟ ଦ୍ରୁତ ବୋଲର
ସାଉଥମ୍ପଟନ୍‌: ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ ଦ୍ରୁତ ବୋଲର ଈଶାନ୍ତ ଶର୍ମା (୧୮), ଯଶ୍‌ପ୍ରୀତ ବୁମରା (୧୪), ମହମ୍ମଦ ସାମି (୧୪), ହାର୍ଦିକ ପାଣ୍ଡ୍ୟା (୧୩) ଓ ଉମେଶ ଯାଦବ (୧୩) ଗୋଟିଏ ଶୃଙ୍ଖଳାରେ ସର୍ବାଧିକ ଓ୍ଵିକେଟ୍‌ ନେବାର ଭାରତୀୟ କୀର୍ତ୍ତିମାନ କରିଛନ୍ତି। ସେମାନେ କପିଳ ଦେବ (୩୨), କର୍ସନ ଘାବ୍ରି (୧୫) ଓ ରୋଜର ବିନ୍ନି (୧୧)ଙ୍କ ନାମରେ ଥିବା ୩୮ ବର୍ଷ ତଳର କୀର୍ତ୍ତିମାନକୁ ଭାଙ୍ଗି ଦେଇଛନ୍ତି। କପିଳ, ଘାବ୍ରି ଓ ବିନ୍ନି ୧୯୭୯-୮୦ ମସିହାରେ ପାକିସ୍ତାନ ବିପକ୍ଷରେ ୫୮ ଓ୍ଵିକେଟ୍‌ ନେଇଥିଲେ। ସାଂପ୍ରତିକ ଭାରତୀୟ ଦଳରେ ଥିବା ଦ୍ରୁତ ବୋଲରମାନେ ମିଳିତ ଭାବେ ୫୯ ଓ୍ଵିକେଟ୍‌ ଅକ୍ତିଆର କରିଛନ୍ତି। ୧୯୯୧-୯୨ରେ ଅଷ୍ଟ୍ରେଲିଆ ବିପକ୍ଷରେ କପିଳ ଦେବ (୨୫) ମନୋଜ ପ୍ରଭାକର (୧୯) ଓ ଜଭାଗଲ ଶ୍ରୀନାଥ (୧୦) ନେଇଥିବା ୫୭ ଓ୍ଵିକେଟ୍‌ ଏହି କ୍ଷେତ୍ରରେ ତୃତୀୟ ସ୍ଥାନରେ ରହିଛି।

ସମ୍ବନ୍ଧିତ ଖବର