ଆଇସିସି ଟେଷ୍ଟ୍‌ ମାନ୍ୟତା: କୋହଲି ଉଠିଲେ, ଜାଦେଜା ଖସିଲେ

ନୂଆଦିଲ୍ଲୀ,: ଐତିହାସିକ ଇଡେନ୍‌ ଗାର୍ଡେନ୍‌ରେ ସୋମବାର ଶେଷ ହୋଇଥିବା ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟରେ ଦମ୍‌ଦାର ଅପରାଜିତ ଶତକ ଜମାଇଥିବା ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଆଇସିସି ଟେଷ୍ଟ ମାନ୍ୟତାରେ ଉପରକୁ ଉଠିଯାଇଛନ୍ତି। ନିଜର ୫୦ତମ ଆନ୍ତର୍ଜାତିକ ଶତକ ହାସଲ କରିଥିବା କୋହଲି ମଙ୍ଗଳବାର ପ୍ରକାଶିତ ମାନ୍ୟତା ତାଲିକାରେ ଅଷ୍ଟ୍ରେଲିଆର ଡେଭିଡ୍‌ ଓ୍ଵର୍ନରଙ୍କୁ ପଛକୁ ଠେଲି ଦେଇ ପଞ୍ଚମ ସ୍ଥାନ ପାଇଛନ୍ତି। ତେବେ ଅନ୍ୟ ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ଙ୍କ ମଧ୍ୟରେ ଚେତେଶ୍ୱର ପୂଜାରା ଚତୁର୍ଥ ସ୍ଥାନ ବଜାୟ ରଖିଥିଲା ବେଳେ ଲୋକେଶ ରାହୁଲ୍‌ ଅଷ୍ଟମ ସ୍ଥାନ ପାଇଛନ୍ତି। ବ୍ୟାଟ୍‌ସମ୍ୟାନ୍‌ଙ୍କ ତାଲିକାରେ ତିନି ଭାରତୀୟ ଶୀର୍ଷ-୧୦ରେ ସ୍ଥାନ ଦଖଲ କରିଥିଲା ବେଳେ ବୋଲିଂ ମାନ୍ୟତାରେ ଦୁଇ ସ୍ପିନର ରବୀନ୍ଦ୍ର ଜାଦେଜା ଓ ରବିଚନ୍ଦ୍ରନ୍‌ ଅଶ୍ୱିନ୍‌ ଶୀର୍ଷ-୧୦ରେ ଅପରିବର୍ତିତ ରହିଛନ୍ତି। ତେବେ ଅଶ୍ୱିନ୍‌ ଚତୁର୍ଥ ସ୍ଥାନରେ ସ୍ଥିର ରହିଥିଲା ବେଳେ ଜାଦେଜା ଗୋଟିଏ ସ୍ଥାନ ହରାଇ ତୃତୀୟକୁ ଖସି ଯାଇଛନ୍ତି। ଦ୍ରୁତ ବୋଲରଙ୍କୁ ସୁହାଉଥିବା ଶ୍ରୀଲଙ୍କା ବିପକ୍ଷ ଇଡେନ୍‌ ଗାର୍ଡେନ୍‌ ଟେଷ୍ଟରେ ଉଭୟ ପାଳିରେ ମାତ୍ର ଗୋଟିଏ ଲେଖାଏଁ ଓଭର ବୋଲିଂ କରିଥିବା ଜାଦେଜା ଓ୍ଵିକେଟ୍‌ ଶୂନ୍ୟ ରହିବାରୁ ବୋଲରଙ୍କ ମାନ୍ୟତାରେ ଦ୍ୱିତୀୟ ସ୍ଥାନ ହରାଇଥିଲା ବେଳେ ଅଲ୍‌ରାଉଣ୍ଡ୍‌ର ମାନ୍ୟତାରେ ମଧ୍ୟ ଶୀର୍ଷ ସ୍ଥାନକୁ ଲମ୍ଫ ଦେବାର ସୁଯୋଗ ହାତଛଡ଼ା କରିଥିଲେ। ଅଲ୍‌ରାଉଣ୍ଡର ମାନ୍ୟତାରେ ଜାଦେଜା ଦ୍ୱିତୀୟ ଓ ଅଶ୍ୱିନ୍‌ ଚତୁର୍ଥ ସ୍ଥାନରେ ଅପରିବର୍ତିତ ରହିଗଲେ। ହେଲେ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟରେ ୮ ଓ୍ଵିକେଟ୍‌ ଅକ୍ତିଆର କରି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିବା ଦ୍ରୁତ ବୋଲର ଭୁବନେଶ୍ୱର କୁମାର ୮ ସ୍ଥାନ ଲମ୍ଫ ଦେଇ ଜୀନବର ଶ୍ରେଷ୍ଠ ମାନ୍ୟତା ଭାବେ ୨୯ତମ ସ୍ଥାନରେ ପହଞ୍ଚିଛନ୍ତି। ସେହିପରି ଇଡେନ୍‌ ଗାର୍ଡେନ୍‌ରେ ୬ ଓ୍ଵିକେଟ୍‌ ନେଇଥିବା ଅନ୍ୟତମ ଦ୍ରୁତ ବୋଲର ମହମ୍ମଦ ସାମି ମଧ୍ୟ ଗୋଟିଏ ସ୍ଥାନ ଉଠି ଅଷ୍ଟାଦଶ ମାନ୍ୟତାରେ ପହଞ୍ଚିଛନ୍ତି।

ସମ୍ବନ୍ଧିତ ଖବର