କୋହଲିଙ୍କୁ ବିଶ୍ରାମ: ରୋହିତ ଦିନିକିଆ ଅଧିନାୟକ

ନାଗପୁର,: ପୂର୍ବ ସୂଚନା ଅନୁସାରେ ବିରାଟ କୋହଲିଙ୍କୁ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ଶୃଙ୍ଖଳାରୁ ବିଶ୍ରାମ ଦିଆଯାଇଛି। କିନ୍ତୁ ଦିଲ୍ଲୀରେ ଡିସେମ୍ବର ୨ ତାରିଖରୁ ଆରମ୍ଭ ହେଉଥିବା ତୃତୀୟ ଟେଷ୍ଟ୍‍ରେ ସେ ଦଳର ନେତୃତ୍ୱ ନେବେ। ରୋହିତ ଶର୍ମାଙ୍କୁ ଦିନିକିଆ ଦଳର ନେତୃତ୍ୱ ଦାୟିତ୍ୱ ମିଳିଛି। ଡିସେମ୍ବର ୧୦ରୁ ଦିନିକିଆ ଶୃଙ୍ଖଳା ଆରମ୍ଭ ହେବ। ଡିସେମ୍ବର ୨୦ରୁ କଟକରୁ ଆରମ୍ଭ ହେଉଥିବା ଶ୍ରୀଲଙ୍କା ବିପକ୍ଷ ଟେ୍ଵଣ୍ଟି-୨୦ ଶୃଙ୍ଖଳା ପାଇଁ ବିରାଟ କୋହଲି କିନ୍ତୁ ଫେରି ଆସିବେ। ବ୍ୟସ୍ତ ଖେଳସୂଚୀକୁ ନେଇ କୋହଲି ନିକଟରେ ଅସନ୍ତୋଷ ପ୍ରକାଶ କରିଥିଲେ। ୨୦୧୫ ମସିହା ପ୍ରାରମ୍ଭରୁ ସେ ମୋଟ ୧୧୩ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ସାରିଛନ୍ତି।
ସୋମବାର ବିସିସିଆଇର ଜାତୀୟ ଚୟନକର୍ତାମାନେ ନୂଆଦିଲ୍ଲୀ ଟେଷ୍ଟ୍‍ ଏବଂ ଦିନିକିଆ ଶୃଙ୍ଖଳା ଲାଗି ଦଳ ଘୋଷଣା କରିଥିବାବେଳେ ଦକ୍ଷିଣ ଆଫ୍ରିକା ଗସ୍ତ ଲାଗି ପ୍ରସ୍ତାବିତ ଖେଳାଳି ଚୟନକୁ ଟାଳିଛନ୍ତି। ଚଳିତ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ୍‍ ଶୃଙ୍ଖଳାରୁ ବିଶ୍ରାମ ପାଇଥିବା ହାର୍ଦିକ ପାଣ୍ଡ୍ୟା ଦିନିକିଆ ଦଳକୁ ଫେରିଛନ୍ତି। ୨୭ ବର୍ଷୀୟ ପଞ୍ଜାବୀ ଦ୍ରୁତ ବୋଲର ସିଦ୍ଧାର୍ଥ କଉଲ୍‌ଙ୍କୁ ନୂଆ ମୁହଁ ଭାବେ ସାମିଲ କରାଯାଇଛି। ଅଶ୍ୱିନ୍‌-ଜାଦେଜା ସ୍ପିନ୍‌ ଯୋଡ଼ିଙ୍କୁ ପୁଣି ଥରେ ସୀମିତ ଓଭରରୁ ଦୂରେଇ ରଖାଯାଇଛି। ଏମ୍‌ଏସ୍‌କେ ପ୍ରସାଦଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ ସମିତି ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ ଓ ଅକ୍ଷର ପଟେଲଙ୍କୁ ରଖିଛି। ନ୍ୟୁଜିଲାଣ୍ଡ୍‌ ବିପକ୍ଷ ଦିନିକିଆରେ ସାମିଲ ଥିବା ସାର୍ଦୁଲ ଠାକୁରଙ୍କୁ ସୁଯୋଗ ମିଳିନଥିବାବେଳେ ତାଙ୍କ ମୁମ୍ବାଇ ସାଥୀ ଶ୍ରେୟସ ଆୟରଙ୍କୁ ନିଆଯାଇଛି। କିନ୍ତୁ ଲୋକେଶ ରାହୁଲ, ମହମ୍ମଦ ସାମି, ଉମେଶ ଯାଦବ ପ୍ରମୁଖଙ୍କୁ ଦିନିକିଆ ଶୃଙ୍ଖଳାରେ ସୁଯୋଗ ଦିଆଯାଇନାହିଁ।
ଅନ୍ୟପକ୍ଷରେ ବ୍ୟକ୍ତିଗତ କାରଣରୁ ନାଗପୁର ଟେଷ୍ଟ୍‍ରୁ ଓହରିଥିବା ଶିଖର ଧାଓ୍ଵନ ତୃତୀୟ ଟେଷ୍ଟ୍‍ ଦଳରେ ସାମିଲ ହୋଇଛନ୍ତି। ମହମ୍ମଦ ସାମି ଆହତ ତାଲିକାରେ ଥିବାରୁ ବିଜୟ ଶଙ୍କରଙ୍କୁ ଦିଲ୍ଳୀ ଟେଷ୍ଟ୍‍ ଦଳରେ ରଖାଯାଇଛି।
ଭାରତୀୟ ଦଳ (ଦିଲ୍ଲୀ ଟେଷ୍ଟ୍‍): ବିରାଟ କୋହଲି (ଅଧିନାୟକ), ମୁରଲୀ ବିଜୟ, ଲୋକେଶ ରାହୁଲ, ଶିଖର ଧାଓ୍ଵନ, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାଣେ (ଉପ ଅଧିନାୟକ), ରୋହିତ ଶର୍ମା, ରିଦ୍ଧିମାନ ସାହା (ଓ୍ଵିକେଟରକ୍ଷକ), ଆର୍‌ ଅଶ୍ୱିନ୍‌, ରବୀନ୍ଦ୍ର ଜାଦେଜା, କୁଲଦୀପ ଯାଦବ, ମହମ୍ମଦ ସାମି, ଉମେଶ ଯାଦବ, ଈଶାନ୍ତ ଶର୍ମା, ବିଜୟ ଶଙ୍କର।
ଭାରତୀୟ ଦିନିକିଆ ଦଳ: ରୋହିତ ଶର୍ମା (ଅଧିନାୟକ), ଶିଖର ଧାଓ୍ଵନ, ଅଜିଙ୍କ୍ୟ ରାହାଣେ, ଶ୍ରେୟସ ଆୟର୍‌, ମନୀଷ ପାଣ୍ଡେ, କେଦାର ଯାଦବ, ଦୀନେଶ କାର୍ତିକ, ମହେନ୍ଦ୍ର ସିଂହ ଧୋନି (ଓ୍ଵିକେଟରକ୍ଷକ), ହାର୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ୍‌, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଯଶପ୍ରୀତ ବୁମରା, ଭୁବନେଶ୍ୱର କୁମାର, ସିଦ୍ଧାର୍ଥ କଉଲ୍‌।

ସମ୍ବନ୍ଧିତ ଖବର