ମାଡାମ୍‌ ତୁସାଦ୍‌ସରେ ସ୍ଥାନ ପାଇବ କୋହଲିଙ୍କ ମହମ ପ୍ରତିକୃତି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲିଙ୍କ ମହମ ପ୍ରତିକୃତି ଏବେ ଦିଲ୍ଲୀର ମାଡାମ୍‌ ତୁସାଦ୍‌ସରେ ଶୋଭା ପାଇବ। କ୍ରୀଡ଼ା କିମ୍ବଦନ୍ତୀ କପିଳ ଦେବ, ସଚିନ୍‌ ତେନ୍ଦୁଲକର ଏବଂ ଲିଓନେଲ୍‌ ମେସିଙ୍କ ମହମ ପ୍ରତିକୃତି ପାଖରେ ଏବେ କୋହଲିଙ୍କ ପ୍ରତିକୃତି ଯୋଡ଼ି ହୋଇଯିବ। ୨୦୦୬ରୁ ପ୍ରଥମ ଶ୍ରେଣୀ କ୍ରିକେଟ୍‌ ପଦାର୍ପଣ କରି ୧୯ ବର୍ଷରୁ କମ୍‌ ବିଶ୍ୱ କପ୍‌ ବିଜେତା ହେବାଠୁ ଭାରତୀୟ ଦଳର ଅଧିନାୟକ ପର୍ଯ୍ୟନ୍ତ ନିଜର ଅବିଶ୍ୱସନୀୟ ପ୍ରଦର୍ଶନ ପାଇଁ କୋହଲି ଚର୍ଚ୍ଚାରେ ରହିଥିଲା ବେଳେ ଏବେ ମାଡାମ୍‌ ତୁସାଦ୍‌ସରେ ତାଙ୍କ ମହମ ପ୍ରତିକୃତି ସ୍ଥାନ ପାଇବାକୁ ଯାଉଛି। କୋହଲି ତାଙ୍କ ପ୍ରଦର୍ଶନ ଏବଂ ପ୍ରତିଭା ବଳରେ ଅର୍ଜୁନ ପୁରସ୍କାର, ଆଇସିସି ବିଶ୍ୱ କ୍ରିକେଟର୍‌ ଅଫ୍‌ ଦି ଇୟର ସାଙ୍ଗକୁ ତିନିଥର ବିସିସିଆଇର ଆନ୍ତର୍ଜାତିକ କ୍ରିକେଟର୍‌ ଅଫ୍‌ ଦି ଇୟର ପୁରସ୍କାର ହାତେଇ ସାରିଛନ୍ତି। ତାଙ୍କ ମଧ୍ୟ ଭାରତ ସରକାର ପଦ୍ମଶ୍ରୀ ଉପାଧି ପ୍ରଦାନ କରିଛନ୍ତି। ଇତି ମଧ୍ୟରେ କୋହଲି ମାଡାମ୍‌ ତୁସାଦ୍‌ସ ଦଳକୁ ସାକ୍ଷାତ କରି ବସିବା ପ୍ରକ୍ରିୟାରେ ସହଯୋଗ କରିଛନ୍ତି। ଲଣ୍ଡନରୁ ବିଶ୍ୱର ଖ୍ୟାତିସଂପନ୍ନ ଏକ କଳାକାର ଦଳ ଭାରତ ଆସି ଦିଲ୍ଲୀରେ କୋହଲିଙ୍କୁ ଭେଟିବା ପରେ ତାଙ୍କର ସଠିକ୍‌ ଆକୃତିର ମୂର୍ତ୍ତି ତିଆରି କରିବା ପାଇଁ ୨୦୦ ପାଖାପାଖି ଶାରୀରିକ ମାପ ନେଇଛନ୍ତି। ନିଜର ଏକ ମହମ ପ୍ରତିକୃତି ମାଡାମ୍‌ ତୁସାଦ୍‌ସରେ ସ୍ଥାନ ପାଇବା ବଡ଼ ଗୌରବର କଥା ବୋଲି କୋହଲି କହିଛନ୍ତି। ସେଥିପାଇଁ ମାଡାମ୍‌ ତୁସାଦ୍‌ସ ଦଳକୁ କୋହଲି ଧନ୍ୟବାଦ ଜଣାଇଛନ୍ତି। ଅନ୍ୟପକ୍ଷରେ ପ୍ରତି ଭାରତୀୟଙ୍କ ହୃଦୟ ଓ ସମ୍ମାନ ଜିତିପାରିଥିବା କୋହଲିଙ୍କୁ ଆମର ପରର୍ବତୀ ତଥା ୨୩ତମ ମହମ ପ୍ରତିକୃତି ରୂପେ ବାଛିବା ମାଡାମ୍‌ ତୁସାଦ୍‌ସ ପାଇଁ ଗୌରବର କଥା ବୋଲି ମେର୍ଲିନ୍‌ ଏଣ୍ଟରଟେନ୍‌ମେଣ୍ଟ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ମହା ପ୍ରବନ୍ଧକ ତଥା ନିର୍ଦେଶକ ଅଂଶୁଲ୍‌ ଜୈନ୍‌ ଘୋଷଣା କରିଛନ୍ତି। ମାଡାମ୍‌ ତୁସାଦ୍‌ସର ଗୋଟିଏ ଛାତ ତଳେ ବଲିଉଡ୍‌ ଓ ହଲିଉଡ୍‌ ବିଶ୍ୱ ସାଙ୍ଗକୁ ଏତିହାସିକ ଓ ରାଜନୈତିକ ଖ୍ୟାତିସଂପନ୍ନ ବ୍ୟକ୍ତିତ୍ୱଙ୍କ ମହମ ପ୍ରତିକୃତି ଶୋଭା ପାଉଥିଲା ବେଳେ ସେମାନଙ୍କ ସହ କୋହଲି ଯୋଡ଼ିହେବା ସୌଭାଗ୍ୟର କଥା ବୋଲି ଅଂଶୁଲ୍‌ କହିଛନ୍ତି।

ସମ୍ବନ୍ଧିତ ଖବର