ଦୁବାଇ: ଆର୍ସିବି ତଥା ଭାରତୀୟ କ୍ରିକେଟ୍ ଦଳର ଚର୍ଚିତ ଅଧିନାୟକ ବିରାଟ କୋହଲି ୨୦୧୬ ଆଇପିଏଲ୍ରେ ୯୭୩ ରନ୍ କରିଥିଲେ। ୟୁଏଇରେ ଚାଲିଥିବା ଚଳିତ ଆଇପିଏଲ୍ର ପ୍ରଥମ ତିନିଟି ମ୍ୟାଚ୍ରେ କିନ୍ତୁ ସେ ଆଶାଜନକ ପ୍ରଦର୍ଶନ କରି ପାରି ନାହାନ୍ତି। ବିଶ୍ବ କ୍ରିକେଟ୍ର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ର ମାନ୍ୟତା ଲାଭ କରିଥିବା କୋହଲି ଏହି ତିନି ମୁକାବିଲାରୁ ଯଥାକ୍ରମେ ୧୪, ୧ ଓ ୩ ରନ୍ କରିଛନ୍ତି। ତାଙ୍କ ଦଳ ଅବଶ୍ୟ ୩ ମ୍ୟାଚ୍ରୁ ଦୁଇଟି ବିଜୟ ପାଇଛି। କୋହଲି ୩ ପାଳିରୁ ୧୮ ରନ୍ କରିବା କିନ୍ତୁ ତାଙ୍କ ପ୍ରଶଂସକଙ୍କୁ ବ୍ୟଥିତ କରିଛି। ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା କିବଂଦନ୍ତି କ୍ରିକେଟର୍ ସୁନିଲ ଗାଭାସ୍କର କିନ୍ତୁ କୋହଲିଙ୍କ ଫର୍ମକୁ ନେଇ ବିଶେଷ ଚିନ୍ତିତ ନାହାନ୍ତି। ଆଇପିଏଲ୍-୨୦୨୦ ଶେଷ ହେଲା ବେଳକୁ କୋହଲି ୪୦୦ରୁ ୫୦୦ ରନ୍ କରିଥିବେ ବୋଲି ସେ ଦୃଢ଼ ଆଶା ପୋଷଣ କରିଛନ୍ତି। ସେହିଭଳି ଏହି ପ୍ରତିଯୋଗିତା ଶେଷ ଆଡ଼କୁ କୋହଲି ପ୍ରଥମ କିଛି ମ୍ୟାଚ୍ର ରନ୍ ନିଅଣ୍ଟକୁ ସଫଳତାର ସହ ଭରଣା କରିଦେବେ ବୋଲି କହିଛନ୍ତି। କୋହଲିଙ୍କ ନିରବ ଆରମ୍ଭ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଗାଭାସ୍କର କହିଛନ୍ତି ‘‘ସମସ୍ତେ ଜାଣିଛନ୍ତି କୋହଲି ଜଣେ ମହାନ ଓ ଉଚ୍ଚସ୍ତରୀୟ ଖେଳାଳି। ମାତ୍ର ତିନିଟି ମ୍ୟାଚ୍ରେ ତାଙ୍କ ବ୍ୟାଟ୍ ଶାନ୍ତ ରହିବା କିଛି ଫରକ ପକାଇବ ନାହିଁ। ଲିଗ୍ ଶେଷ ବେଳକୁ ସେ ଏହାକୁ ଭରଣା କରିନେବେ। ଚଳିତ ବର୍ଷ କୋହଲି ୪୦୦ରୁ ୫୦୦ ରନ୍ କରିପାରିବେ। ୨୦୧୬ରେ ସେ ପାଖାପାଖି ୧୦୦୦ ରନ୍ କରିଥିଲେ। ସେଥିମଧ୍ୟରେ ୪ ଶତକ ଥିଲା। ଚଳିତ ବର୍ଷ ସେ ହୁଏତ ଏହି ସଫଳତାକୁ ଦୋହରାଇ ନପାରନ୍ତି। ହେଲେ ପାଖାପାଖି ୫୦୦ ରନ୍ କରିବାରେ ବିଶେଷ ଅସୁବିଧା ହେବ ନାହିଁ ବୋଲି ମୁଁ ଭାବୁଛି’’। ଏହା ପୂର୍ବରୁ ଗାଭାସ୍କର କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ନେଇ ଦେଇଥିବା ବୟାନ ପାଇଁ ବିବାଦୀୟ ହୋଇଥିଲେ। କୋହଲି କେବଳ ଅନୁଷ୍କାଙ୍କ ବୋଲିଂ ଖେଳି ଆଇପିଏଲ୍-୨୦୨୦କୁ ଆସିଥିବା ଗାଭାସ୍କର ଧାରାବିବରଣୀ ଦେଲା ବେଳେ କହିଥିଲେ। ଏହାକୁ ଅନୁଷ୍କା ତୀବ୍ର ସମାଲୋଚନା କରିଥିଲେ। ସେଥିପାଇଁ ଗାଭାସ୍କରଙ୍କୁ ମଧ୍ୟ ସଫେଇ ଦେବାକୁ ପଡ଼ିଥିଲା।
ଆଇପିଏଲ୍-୨୦୨୦ ଶେଷ ବେଳକୁ କୋହଲି ୪୦୦-୫୦୦ ରନ୍ କରିଥିବେ: ଗାଭାସ୍କର
/sambad/media/post_attachments/wp-content/uploads/2019/07/gavaskar-.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)