କ୍ରିକେଟ୍ ବାହାରେ ବି କୋହଲିଙ୍କର ଜୀବନ ଅଛି: ସ୍ମିଥ୍

ସିଡ୍‌ନି: ‘‘ଅଷ୍ଟ୍ରେଲିଆ ବିପକ୍ଷ ଶେଷ ୩ ଟେଷ୍ଟ୍‌ରେ ଭାରତୀୟ ଅଧିନାୟକ ବିରାଟ ‌କୋହଲି ନ ଖେଳିବା କେବଳ ଭାରତୀୟ କ୍ରିକେଟ୍ ଦଳ ନୁହେଁ ପ୍ରଶଂସକଙ୍କ ସହ ସମସ୍ତ ହିତାଧିକାରୀଙ୍କ ପାଇଁ ମଧ୍ୟ ଏକ ବଡ଼ କ୍ଷତି। ତେବେ ଅମକୁ ଏକଥା ମଧ୍ୟ ବୁଝିବାକୁ ହେବ ଯେ କ୍ରିକେଟ୍ ବାହାରେ ବି କୋହଲିଙ୍କର ଏକ ଜୀବନ ଅଛି। ସେ ଜଣେ ମଣିଷ ଏବଂ ସମସ୍ତଙ୍କ ଭଳି ତାଙ୍କର ମଧ୍ୟ କିଛି ବ୍ୟକ୍ତିଗତ ଦାୟିତ୍ବ ରହିଛି’’।

ପ୍ରଥମ ସନ୍ତାନର ଜନ୍ମ ପାଇଁ ଅଷ୍ଟ୍ରେଲିଆ ଗସ୍ତ ଅଧାରୁ କୋହଲି ସ୍ବଦେଶ ଫେରି ଆସିବା ଖବର ନେଇ ଚାଲିଥିବା ବିତର୍କ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଏହା କହିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭେନ୍ ସ୍ମିଥ୍। ଅଷ୍ଟ୍ରେଲିଆରେ ଖେଳିବାକୁ କୋହଲି ସବୁବେଳେ ଭଲ ପା’ନ୍ତି। ତଥାପି ନିଜ ପତ୍ନୀଙ୍କ ପାଖରେ ରହିବା ନେଇ ଯେଉଁ ନିଷ୍ପତ୍ତି ‌ନେଇଛନ୍ତି, ସେଥିଲାଗି ସେ ନିଶ୍ଚିତ ଭାବେ ପ୍ରଶଂସାର ପାତ୍ର ବୋଲି ସ୍ମିଥ୍ କହିବା ସହ ଦଳ ଚାହିଁଲେ ସେ ଅଷ୍ଟ୍ରେଲିଆର ଅଧିନାୟକ ପଦକୁ ଫେରିବେ ବୋଲି ମତ ରଖିଛନ୍ତି।

କେପଟାଉନ୍ ବଲ୍ ବିକୃତ ବିବାଦ ପରେ ସ୍ମିଥ୍ କ୍ରିକେଟ୍‌ରୁ ବର୍ଷକ ପାଇଁ ବାସନ୍ଦ ହୋଇଥିଲେ। ତାଙ୍କଠାରୁ ଅଧିନାୟକ ପଦ କାଢ଼ି ନିଆଯିବା‌ ସହ ଆଉ ଗୋଟିଏ ବର୍ଷ ପାଇଁ ଏହି ପଦକୁ ଫେରିବା ଉପରେ ଅଙ୍କୁଶ ଜାରି କରିଥିଲା କ୍ରିକେଟ୍ ଅଷ୍ଟ୍ରେଲିଆ। ତେବେ ତାଙ୍କର ଏହି ଦୁଇ ବର୍ଷିୟା ବାସନ୍ଦାଦେଶ ଅବଧି ଆସନ୍ତାବର୍ଷ ମାର୍ଚ ଶେଷ ଭାଗରେ ଶେଷ ହେବ। ଏଣୁ ଏବେଠାରୁ ତାଙ୍କୁ ଅଧିନାୟକ ପଦକୁ ଫେରାଇ ଆଣିବାକୁ କିଛି ଅଷ୍ଟ୍ରେଲୀୟ ଖେଳାଳି ଦାବି କରିବା ଆରମ୍ଭ କରି ଦେଲେଣି। ଏହି ବିଷୟରେ ନିଜ ମତ ରଖିବାକୁ ଯାଇ ସ୍ମିଥ୍ କହିଛନ୍ତି ଯେ ଏହି ବିଷୟରେ ଅନେକ ଚର୍ଚା ହେଉଛି। ମୁଁ ଭାବୁଛି ପ୍ରଶିକ୍ଷକ ଜଷ୍ଟିନ ଲାଙ୍ଗର ଏହି ପ୍ରଶ୍ନର ଉତ୍ତର ଦେଇ ସାରିଛନ୍ତି। ଏଥିନେଇ ଏକ ପ୍ରକ୍ରିୟା ରହିଛି ଏବଂ ଏହାକୁ ଅନୁସରଣ କରିବାକୁ ହେବ। ହେଲେ ଦଳର ହିତ ଦୃଷ୍ଟିରୁ ଯାହା କରିବା ଦରକାର, ତାହା ମୁଁ ଖୁସୀର ସହ କରିବି। ସଂପ୍ରତି ଟିମ୍ ପେନ୍ (ଟେଷ୍ଟ୍ ଅଧିନାୟକ) ଏବଂ ଆରୋନ ଫିଞ୍ଚ୍ (ସୀମିତ ଓଭର ଅଧିନାୟକ) ବହୁତ ଭଲ କାମ କରୁଛନ୍ତି। ଏବେ ମୁଁ ଯେଉଁଠି ଅଛି, ଭଲ ଅଛି। ମୁଁ ପୁଣି ଥରେ କହିବି ଯେ ଦଳ ଯାହା ଚାହିଁବ ମୁଁ ତାହା କରିବାକୁ ସବୁବେଳେ ପ୍ରସ୍ତୁତ ଅଛି ଓ ରହିବି ମଧ୍ୟ।

ସମ୍ବନ୍ଧିତ ଖବର