ଫର୍ଗୁସନ୍‌ଙ୍କ ଅତି ବିପଜ୍ଜନକ ବ୍ୟାଟ୍ସମ୍ୟାନ୍ ତାଲିକାରେ କୋହଲି, ରୋହିତ

ହାମିଲଟନ୍: ନ୍ୟୁଜିଲାଣ୍ଡ ଦ୍ରୁତ ବୋଲର ଲୋକି ଫର୍ଗୁସନ୍ ବିଶ୍ବର ଚାରି ଜଣ ଅତି ବିପଜ୍ଜନକ ବ୍ୟାଟ୍ସମ୍ୟାନଙ୍କ ତାଲିକା ପ୍ରସ୍ତୁତ କରିଛନ୍ତି। ଏହି ଚାରି ଜଣଙ୍କୁ ବୋଲିଂ କରିବା ତାଙ୍କ ପାଇଁ ସବୁବେଳେ କଷ୍ଟକର ହୋଇଥାଏ ବୋଲି କହିଛନ୍ତି। ଫର୍ଗୁସନଙ୍କ ଏହି ତାଲିକାରେ ଦୁଇ ଅଷ୍ଟ୍ରେଲୀୟ ତାରକା ଡେଭିଡ୍ ୱାର୍ନର ଓ ଷ୍ଟିଭେନ୍ ସ୍ମିଥ୍‌ଙ୍କ ସହ ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ଉପଅଧିନାୟକ ରୋହିତ ଶର୍ମା ରହିଛନ୍ତି। ଗୁରୁବାର ଏକ ସାକ୍ଷାତକାର ଅବସରରେ ଯେତେବେଳେ ତାଙ୍କୁ ପଚରାଯାଇଥିଲା ଯେ କେଉଁ ବ୍ୟାଟ୍ସମ୍ୟାନଙ୍କୁ ବୋଲିଂ କରିବା ତାଙ୍କ ପାଇଁ କଷ୍ଟକର ହୋଇଥାଏ? ସେତେବେଳେ ଫର୍ଗୁସନ୍ ତୁରନ୍ତ ରୋହିତଙ୍କ ନାଁ ନେଇଥିଲେ।

‘‘ଭଲ ପ୍ରଶ୍ନ, ହଁ ଏମିତି କିଛି ବ୍ୟାଟ୍ସମ୍ୟାନ୍ ଅଛନ୍ତି, ହେଲେ ରୋହିତ ଶର୍ମାଙ୍କୁ ବୋଲିଂ କରିବା ମୋ ପାଇଁ ସବୁବେଳେ ଆହ୍ବାନପୂର୍ଣ୍ଣ ହୋଇଥାଏ’’ ବୋଲି ସେ କହିଥିଲେ। ସେହିଭଳି ରୋହିତଙ୍କୁ ଶୀଘ୍ର ଆଉଟ୍ ନକଲେ ସେ ମ୍ୟାଚ୍ ଛଡ଼ାଇ ନେବାର ଦକ୍ଷତା ରଖନ୍ତି ବୋଲି ମତ ଦେଇଥିଲେ ଫର୍ଗୁସନ୍‌। ‘‘ରୋହିତଙ୍କୁ ଯଦି ଆପଣ ସଅଳ ପ୍ୟାଭିଲିୟନ ନପଠାନ୍ତି, ତାହାଲେ ସେ ବଡ଼ ପାଳି ଖେଳିବାର ସୁଯୋଗକୁ ଆଦୌ ହାତଛଡ଼ା କରନ୍ତି ନାହିଁ। ଲେନ୍ଥ୍‌ ‌ମୋ ପ୍ରମୁଖ ଶକ୍ତି ହୋଇଥିଲା ବେଳେ ସେ ଏହାକୁ ଅତି ସହଜରେ ଠଉରାଇ ନିଅନ୍ତି। ସେ ଜଣେ ବିଶ୍ବସ୍ତରୀୟ ଖେଳାଳି। ଷ୍ଟିଭେନ୍ ସ୍ମିଥ୍, ଡେଭିଡ୍ ୱାର୍ନର ଓ ବିରାଟ କୋହଲି ମଧ୍ୟ ବିଶ୍ବସ୍ତରୀୟ। ଶୀର୍ଷକ୍ରମରେ ଏମାନଙ୍କୁ ଆଉଟ୍ କରିପାରିଲେ ମଧ୍ୟ ଓ ନିମ୍ନକ୍ରମକୁ ବୋଲିଂ କରିବାରେ ବିଶେଷ ଅସୁବିଧା ହୁଏନି। ବ୍ୟକ୍ତିଗତ ଭାବେ କିନ୍ତୁ ରୋହିତଙ୍କର ମୁଁ ବଡ଼ ପ୍ରଶଂସକ। ସେ ଜଣେ ସ୍ବତନ୍ତ୍ର ବ୍ୟାଟର୍‌’’ ବୋଲି ସେ କହିଥିଲେ। ଫର୍ଗୁସନ୍‌ଙ୍କ ପୂର୍ବରୁ ଭାରତୀୟ କ୍ରିକେଟର ସୁରେଶ ରାଇନା ମଧ୍ୟ ରୋହିତଙ୍କୁ ଭାରତର ଦ୍ବିତୀୟ ଧୋନିର ଆ‌ଖ୍ୟା ଦେଇଥିଲେ। ‘‘ରୋହିତ ଶାନ୍ତ ରହୁନ୍ତି, ସମସ୍ତଙ୍କ କଥା ଶୁଣନ୍ତି, ଖେଳାଳିଙ୍କ ଆତ୍ମବିଶ୍ବାସ ବଢ଼ାନ୍ତି ଓ ଆଗରେ ରହି ନେତୃତ୍ବ ନେବାକୁ ଭଲ ପାଆନ୍ତି’’ ବୋଲି ରାଇନା ମତ ଦେଇଥିଲେ।

ସମ୍ବନ୍ଧିତ ଖବର