ମ୍ୟାଚ୍‌ ରେଫରିଙ୍କୁ ଗାଳି‌ ଦେଲେ କୋହଲି

ନୋ ବଲ୍‌ ବିଦାଦ, ଟ୍ବିଟର୍‌ରେ ଝଡ଼

ବେଙ୍ଗାଲୁରୁ: ମୁମ୍ବାଇ ନିକଟରୁ ୬ ରନ୍‌ ପରାଜୟ ପରେ ବାଙ୍ଗାଲୋର୍ ଅଧିନାୟକ ବିରାଟ କୋହଲି ଏତେ କ୍ଷୁବ୍‌ଧ ହୋଇପଡ଼ିଥିଲେ ଯେ ନିଜ ଉପରୁ ନିୟନ୍ତ୍ରଣ ହରାଇଥିଲେ। ମ୍ୟାଚ୍‌ ପରେ ସେ ମ୍ୟାଚ୍‌ ରେଫରି ମନୁ ନାୟାରଙ୍କ ରୁମ୍‌ ଭିତରକୁ ଧସେଇ ପଶିଥିଲେ ଏବଂ ଉଚ୍ଚ ସ୍ବରରେ ଖରାପ ଭାଷାରେ ଗାଳି ଗୁଲଜ କରିଥିଲେ। ଏଭଳି ଚିତ୍କାର କରୁଥିବାରୁ ଆପଣ ମୋତେ ଦଣ୍ଡିତ କରିପାରନ୍ତି ବୋଲି ମଧ୍ୟ କୋହଲି କହିଥିବା ବିଶ୍ବାସ କରାଯାଉଛି। ସୂଚନାଯୋଗ୍ୟ, ନୋ ବଲ୍ ମିଳିଥିଲେ ବାଙ୍ଗାଲୋରକୁ ଗୋଟିଏ ଅତିରିକ୍ତ ରନ୍ ସହ ଅଧିକ ଏକ ବଲ୍‌ ମିଳିଯାଇଥାନ୍ତା ଏବଂ ଦକ୍ଷିଣ ଆଫ୍ରିକୀୟ ବ୍ୟାଟସମ୍ୟାନ୍‌ ଏବି ଡି’ଭିଲିୟର୍ସ ଶେଷ ବଲ୍‌କୁ ସମ୍ମୁଖୀନ ହେବାକୁ ପଡ଼ିଥାନ୍ତା। ଶେଷ ବଲ୍‌ରୁ ଛକା ଆବଶ୍ୟକ ପଡ଼ିଥିଲେ ଡି’ଭିଲିୟର୍ସଙ୍କ ପାଇଁ ଏହା ସୁଯୋଗ ବି ଆଣିଥାନ୍ତା। ଶେଷ ଓଭର ବୋଲିଂ କରିଥିବା ଲସିଥ୍‌ ମାଲିଙ୍ଗାଙ୍କ ଶେଷ ବଲ୍‌ ‘ନୋ’ ଥିଲେ ବି ଅମ୍ପାୟାରଙ୍କ ଦୃଷ୍ଟି‌ର ଆଢ଼ୁଆଳରେ ରହିଯାଇଥିଲା। ମାଲିଙ୍ଗାଙ୍କ ପାଦ ଆଗକୁ ପଡ଼ିଥିଲେ ମଧ୍ୟ ଅମ୍ପାୟାର ସୁନ୍ଦରମ ରବି ଦେଖିପାରିନଥିଲେ। ମ୍ୟାଚ୍‌ ପରେ କୋହଲି ଏହାକୁ‌ ନେଇ ତୀବ୍ର ପ୍ରତିକ୍ରିୟା ମଧ୍ୟ ପ୍ରକାଶ କରିଥିଲ। ‘ଆମେ ଆଇପିଏଲ୍ ଖେଳୁଛୁ, କ୍ଲବ୍ କ୍ରିକେଟ୍‌ ନୁହେଁ। ଅମ୍ପାୟାର ଏହାକୁ‌ ଦେଖିବାର ଥିଲା। ଏଭଳି ଭୁଲ୍ ପ୍ରତି ଅମ୍ପାୟାର ମାନେ ଅଧିକ ଶାଣିତ ଏବଂ ଯତ୍ନଶୀଳ ହେବା ଉଚିତ୍ ବୋଲି କହିଥିଲେ। ବିଜୟୀ ହେବା ସତ୍ତ୍ବେ ରୋହିତ ଶର୍ମା ମଧ୍ୟ ଏଭଳି ତ୍ରୁଟିକୁ ସ୍ବୀକାର କରିଥିଲେ। ବାସ୍ତବରେ ମୁଁ ପଡ଼ିଆ ବାହାରକୁ ଆସିବା ପରେ ନୋ ବଲ୍‌ ବିଷୟରେ ଜାଣିଥିଲି। ଏହା ଖେଳ ପାଇଁ ଭଲ ନୁହେଁ। ସେହିଭଳି ବୁମରାଙ୍କୁ ଦିଆଇଯାଇଥିବା ଏକ ୱାଇଡ୍‌ ବି ଭୁଲ ଥିଲା ବୋଲି ରୋହିତ ଦର୍ଶାଇଥିଲେ।

ଟ୍ବିଟର୍‌ରେ ଝଡ଼
ଗୁରୁବାରର ଏହି ନୋ ବଲ୍‌ ବିବାଦକୁ ନେଇ ଦୁଇ ଦଳର ଅଧିନାୟକ ବିରାଟ କୋହଲି ଓ ରୋହିତ ଶର୍ମା କେବଳ ପ୍ରତିକ୍ରିୟା ରଖିନଥିଲେ। ପ୍ରଶଂସକ ଏବଂ ପୂର୍ବତନ ଖେଳାଳିମାନେ ବି ଜୋରଦାର ସମାଲୋଚନା କରିଥିଲେ। ବିଶେଷ କରି ଏତେ ବୈଷୟିକ ବ୍ୟବସ୍ଥା ଆସିବା ପରେ ବି ତ୍ରୁଟି ହେବା ଦୁର୍ଭାଗ୍ୟଜନକ ବୋଲି ଅନେକ ମତ ଦେଇଛନ୍ତି। ଆମେ ଏବେ ବୈଷୟିକ ବିଶ୍ବରେ ଥିବାବେଳେ ଏଭଳି ଘଟିବା କଥା ନୁହେଁ ବୋଲି କହିଛନ୍ତି ପୂର୍ବତନ ଇଂଲଣ୍ଡ ଖେଳାଳି କେଭିନ୍ ପିଟରସନ୍‌। ଅଧିକାଂଶ ଆଗ ପାଦ ନୋ ବଲ୍ ଏବେ ନଜରରୁ ଖସିଯାଉଛି ବୋଲି କହିଥିଲେ ଦକ୍ଷିଣ ଅଫ୍ରିକା ଦଳ ଅଧିନାୟକ ଫାଫ୍ ଡୁ‌ ପ୍ଲେସିସ୍‌। ଏବର ବୈଷୟିକ ଯୁଗରେ ନୋ ବଲ୍‌ ନଜରରୁ ଖସିଯିବା କଥା ନୁହେଁ ବୋଲି କହିଛନ୍ତି ଅନ୍ୟତମ ପୂର୍ବତନ ଇଂଲିସ୍ ବ୍ୟାଟସମ୍ୟାନ୍‌ ମାଇକେଲ୍ ଭନ୍‌। ସଚିନ ତେନ୍ଦୁଲକର, ରାହୁଲ ଚୌଧୁରୀ ବି ଏହାକୁ ସମାଲୋଚନା କରିଥିଲେ।

ସମ୍ବନ୍ଧିତ ଖବର