ସହାୟତା ପାଇଁ କୋହଲି ମୋତେ ଅନୁରୋଧ କରିଥିଲେ: ସଚିନ

ମୁମ୍ବାଇ: ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକର ୨୦୧୩ ନଭେମ୍ବରରେ ଭାରତ ପାଇଁ ତାଙ୍କର ଶେଷ ମ୍ୟାଚ୍‌ ଖେଳିଥିଲେ। ସେତେବେଳକୁ ବିରାଟ କୋହଲି ଆନ୍ତର୍ଜାତିକ କ୍ରିକେଟ୍‌ରେ ୫ ବର୍ଷ ଅତିବାହିତ କରିସାରିଥିଲେ। ସେତେବେଳଠୁ ଉଭୟ ସଚିନ୍‌ ବନାମ କୋହଲି ବିତର୍କର ଅନ୍ତ ଘଟୁନି। ତେବେ କୋହଲିଙ୍କ ପ୍ରତି ନିଜର ପ୍ରାରମ୍ଭିକ ଧାରଣାକୁ ନେଇ ସଚିନ୍‌ ଏକ ଖୁଲାସା କରିଛନ୍ତି। କୋହଲି ଆନ୍ତର୍ଜାତିକ ଦୃଶ୍ୟପଟ୍ଟକୁ ୨୦୦୮ରେ ପ୍ରବେଶ କରିଥିଲେ। ପଦାର୍ପଣରୁ ହିଁ କୋହଲି ତାଙ୍କ ଚମକ ଛାଡ଼ିଥିଲେ। ସେ ନିଜକୁ ଜଣେ ପ୍ରତିଷ୍ଠିତ କ୍ରିକେଟର୍‌ ଭାବେ ପରିଚିତ କରାଇଥିଲେ। ତେବେ କୋହଲି ଏକଦା ତାଙ୍କ ସହ ସମୟ ବିତାଇବାକୁ ତାଙ୍କୁ ଅନୁରୋଧ କରିଥିବା କଥା ମନେ ପକାଇଛନ୍ତି ସଚିନ।

‘‘ବିରାଟ ଜଣେ ଉତ୍ତମ ବନ୍ଧୁ। ତେଣୁ ଗତ ଦଶନ୍ଧୀ ଧରି ତାଙ୍କ କ୍ୟାରିୟରକୁ କିପରି ଶାଣିତ କରିଥିଲେ ତାହା ଦେଖି ମୁଁ ଅତ୍ୟନ୍ତ ଖୁସୀ ଥିଲି। ସେ କିପରି କ୍ରିକେଟ୍‌ ପାଗଳ ଥିଲେ ଏବଂ ରନ୍‌ ପାଇଁ ଭୋକିଲା ରହିଥିଲେ ତାହାକୁ ମୁଁ ଦଳର ସଦସ୍ୟ ଭାବେ ନିକଟରୁ ମଧ୍ୟ ଦେଖିଥିଲି। ସେବେଠାରୁ ସେ କଠୋର ପରିଶ୍ରମ ବଳରେ ନିଜର ଜୀବନଶୈଳୀକୁ କିପରି ବଦଳାଇଥିଲେ ତାହା ସ୍ମରଣୀୟ’’ ବୋଲି ସଚିନ୍‌ ଏକ ସାକ୍ଷାତକା‌ରରେ କହିଥିଲେ। ଆମେ ସମସ୍ତେ ଆମମାନଙ୍କ କ୍ୟାରିୟରର କିଛି ପର୍ଯ୍ୟାୟରେ ମହାନ୍‌ଙ୍କ ସଂସ୍ପର୍ଶରେ ଆସିବାକୁ ଚାହିଁଥାଉ ଏବଂ ବିଶେଷକରି ସେମାନଙ୍କ ପିଢ଼ି ଉପରେ ପ୍ରଭାବ ଛାଡ଼ିଥିବା, ପ୍ରେରିତ କରିଥିବା କିଛି ଖେଳାଳିଙ୍କୁ ପାଖରେ ପାଇବାର ଲାଳସା ରଖିଥାଉ। ଏହିପରି ଏକ ଘଟଣାକ୍ରମ ଉପରୁ ପରଦା ହଟାଇଛନ୍ତି ସଚିନ। କୋହଲି ନିଜ କ୍ୟାରିୟର ମଧ୍ୟରେ କିପରି ସଚିନ୍‌ଙ୍କ ସହାୟତା ଲୋଡିଥିଲେ ସେ ନେଇ ବର୍ଣ୍ଣନା କରିଛନ୍ତି ମାଷ୍ଟର ବ୍ଲାଷ୍ଟର। ଇଂଲଣ୍ଡ ବିପକ୍ଷ ୨୦୧୪ ଗସ୍ତରେ ନୈରାଶ୍ୟଜନକ ପ୍ରଦର୍ଶନ ନେଇ କୋହଲି ବିଚଳିତ ଥାଆନ୍ତି। କ’ଣ କରିବେ ଏବଂ କିପରି ତ୍ରୁଟି ସୁଧାରିବେ ସେ ଚିନ୍ତାରେ ଘାରି ହେଉଥାଆନ୍ତି। ଖେଳାଳିମାନଙ୍କୁ ସବୁବେଳେ ସହାୟତା ଯୋଗାଇଦେବା ଏବଂ ସେମାନଙ୍କ ସହ ଜ୍ଞାନ ବାଣ୍ଟିବାର ବିଶ୍ବାସ ମୁଁ ରଖିଥାଏ। ସେତିକି ବେଳେ ଦିନେ କୋହଲି ମୋ ସହ ଯୋଗାଯୋଗ କରିଥିଲେ। ମୋ ସହ କିଛି ସମୟ ବିତାଇବା ଏବଂ ଆଲୋଚନା କରିବାକୁ ଚାହୁଥିବା କଥା କହିଥିଲେ। ତାଙ୍କ ଅନୁ‌ରୋଧକୁ ରକ୍ଷା କରି ସେହି ୨୦୧୪ରେ ଆମେ ଏକାଠି ହୋଇଥିଲୁ। ଗୋଟିଏ ଦୁଇଟି ଦିଗ ଉପରେ ଗଭୀର ଆଲୋଚନା କରିଥିଲୁ। ଏହାପରେ ଆନ୍ତର୍ଜାତିକ କ୍ରିକେଟ୍‌ରେ କୋହଲିଙ୍କ ଯାଦୁକୁ ସମସ୍ତେ ଅନୁଭବ କରିଥିଲେ ବୋଲି ସଚିନ୍‌ ପୁରୁଣା ଦିନକୁ ମନେ ପକାଇ କହିଥିଲେ।

ସମ୍ବନ୍ଧିତ ଖବର