ଚେନ୍ନାଇ: ବାଂଲାଦେଶ ବିପକ୍ଷ ଟେଷ୍ଟ୍‌ ଶୃଙ୍ଖଳା ପାଇଁ ଭାରତୀୟ କ୍ରିକେଟ୍‌ ଦଳ ‌ଚେନ୍ନାଇର ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମ୍‌ରେ ଅଭ୍ୟାସ ଆରମ୍ଭ କରିଛି। ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ୧୯ ତାରିଖରେ ଖେଳାଯିବ। ଭାରତୀୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ପାଇଁ ଏହି ଟେଷ୍ଟ୍‌ ଆହ୍ବାନପୂର୍ଣ୍ଣ ହେବାକୁ ଯାଉଛି। ଏହା ତାଙ୍କର ପ୍ରଥମ ଟେଷ୍ଟ୍‌ ହୋଇଥିଲା ବେଳେ ତାଙ୍କ ପ୍ରଶିକ୍ଷଣରେ ଭାରତ ପ୍ରଥମ ଥର ଘରୋଇ ପରିବେଶରେ ମ୍ୟାଚ୍‌ ଖେଳିବ। ଗମ୍ଭୀରଙ୍କ ସହିତ ନୂଆ ବୋଲିଂ ପ୍ରଶିକ୍ଷକ ମର୍ନେ ମୋର୍କେଲ ଓ ସହକାରୀ ପ୍ରଶିକ୍ଷକ ଅଭିଷେକ ନାୟର ମଧ୍ୟ ଦଳ ସହିତ ଶୁକ୍ରବାର ଏକାଠି ହୋଇଛନ୍ତି। 

Advertisment

ଅଗଷ୍ଟରେ ଶ୍ରୀଲଙ୍କାରେ ପରାଜୟକୁ ଭାରତୀୟ ଦଳ ଚେନ୍ନାଇରେ ଭୁଲାଇବାକୁ ଚେଷ୍ଟା କରିବ। ପ୍ରଶିକ୍ଷକ ହେବା ପରେ ଗମ୍ଭୀରଙ୍କ ଏହି ପ୍ରଥମ ଶୃଙ୍ଖଳା ଖରାପରୁ ଆରମ୍ଭ ହୋଇଥିଲା। ଏବେ ଘରୋଇ ଶୃଙ୍ଖଳାରେ ପୂର୍ବ ତ୍ରୁଟି ସୁଧାରିନେବାକୁ ସୁଯୋଗ ଆସିଛି। ଏହାକୁ ଦୃଷ୍ଟିରେ ରଖି ଅଭ୍ୟାସ ସମୟରେ ରନ୍‌ ମେସିନ୍‌ ବିରାଟ କୋହଲି ନେଟ୍ସରେ ପାଖାପାଖି ୪୫ ମିନିଟ୍‌ ବିତାଇଥିଲା ବେଳେ ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମ୍‌ରା ଅଧିକ ସମୟ ପର୍ଯ୍ୟନ୍ତ ବୋଲିଂ କରିଥିବା ଦେଖାଯାଇଛି। ଶିବିରରେ ସାମିଲ ହେବାକୁ କୋହଲି ଲଣ୍ଡନରୁ ସିଧାସଳଖ ଆସି ଚେନ୍ନାଇରେ ପହଞ୍ଚିଥିଲେ। ୩ବର୍ଷ ପରେ ସେ ଚେନ୍ନାଇରେ ଟେଷ୍ଟ୍‌ ମ୍ୟାଚ୍‌ ଖେଳିବାକୁ ଯାଉଛନ୍ତି। ଏଠାରେ କୋହଲି ‌ତାଙ୍କର ପ୍ରଥମ ଟେଷ୍ଟ୍‌ ‌ଶତକ ଅର୍ଜନ କରିଥିବାରୁ ଏହା ତାଙ୍କ ପାଇଁ ସ୍ମରଣୀୟ ସ୍ଥାନ ହୋଇଯାଇଛି। ତାଙ୍କ ବ୍ୟତୀତ ଗୁରୁବାର ଅଧିନାୟକ ରୋହିତ ଶର୍ମା, ବୁମ୍‌ରା, କେଏଲ୍‌ ରାହୁଲ ଓ ଋଷଭ ପନ୍ତ ଚେନ୍ନାଇରେ ପହଞ୍ଚିଛନ୍ତି। ଦଲିପ ଟ୍ରଫି ମ୍ୟାଚ୍‌ ଶେଷ କରିବା ପରେ ସର୍ଫରାଜ ଖାନ୍‌ ବିଳମ୍ବରେ ଦଳ ସହ ଯୋଗଦେବେ। 

ଅନ୍ୟପକ୍ଷରେ ବାଂଲାଦେଶ ସକରାତ୍ମକ ଚିନ୍ତାଧାରା ନେଇ ଭାରତକୁ ଆସୁଛି। ପାକିସ୍ତାନ ବିପକ୍ଷରେ ୨-୦ରେ ଶୃଙ୍ଖଳା ମୂଳପୋଛ କରିଥିବା ବାଂଲାଦେଶକୁ ତାହାର ଡବ୍‌ଲ୍ୟୁଟିସି ପଏଣ୍ଟ୍‌ ବଢ଼ାଇବାକୁ ହେଲେ ଭାରତ ବିପକ୍ଷରେ ପୂର୍ବ ପ୍ରଦର୍ଶନ ଦୋହରାଇବାକୁ ହେବ। ଡବ୍‌ଲ୍ୟୁଟିସି ତାଲିକାରେ ଭାରତ ଏବେ ଶୀର୍ଷରେ ଥିବା ବେଳେ ବାଂଲାଦେଶ ଚତୁର୍ଥରେ ରହିଛି।