ଦୁବାଇ: ଆଇପିଏଲ୍-୧୩ର ଆଉ ଏକ ବଡ଼ ଲଢ଼େଇରେ ମଙ୍ଗଳବାର ଡେଭିଡ୍ ୱାର୍ନରଙ୍କ ସନ୍ରାଇଜର୍ସ ହାଇଦ୍ରାବାଦକୁ ୧୦ ରନ୍ରେ ହରାଇଛି ବିରାଟ କୋହଲିଙ୍କ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି)। ଆଜି ଆର୍ସିବି ପ୍ରଥମେ ବ୍ୟାଟିଂ କରି ୧୬୪ ରନ୍ର ବିଜୟ ଲକ୍ଷ୍ୟ ଦେଇଥିଲା। ଜବାବରେ ସନ୍ରାଇଜର୍ସ ହାଇଦ୍ରାବାଦ ୧୯.୪ ଓଭରରେ ସମସ୍ତ ୱିକେଟ୍ ହରାଇ ୧୫୩ ରନ୍ କରିବା ସହ ପରାଜିତ ହୋଇଥିଲା।
ଅଧିନାୟକ ଭାବେ କୋହଲିଙ୍କ ୫୦ତମ ବିଜୟ
୧୬୪ ରନ୍ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ସନ୍ରାଇଜର୍ସ ହାଇଦ୍ରାବାଦ ମାତ୍ର ୧୮ ରନ୍ରେ ଅଧିନାୟକ ଡେଭିଡ୍ ୱାର୍ନର (୬)ଙ୍କୁ ଦୁର୍ଭାଗ୍ୟଜନକ ଭାବେ ରନ୍ଆଉଟ୍ରେ ହରାଇଥିଲା। ଏହା ପରେ ମନୀଷ ପାଣ୍ଡେ (୩୪) ଓ ଜନି ବେୟାରଷ୍ଟୋ (୬୧) ଦ୍ବିତୀୟ ୱିକେଟ୍ରେ ୭୧ ରନ୍ ଯୋଡ଼ି ସ୍ଥିତି ସୁଧାରି ନେଇଥିଲେ। ତେବେ ସ୍ପିନର ୟୁଜବେନ୍ଦ୍ର ଚହଲ ଦୁଇଟି ବଲ୍ରେ ବେୟାରଷ୍ଟୋ ଓ ବିଜୟ ଶଙ୍କର(୦)ଙ୍କୁ ଆଉଟ୍ କରି ଆର୍ସିବିକୁ ମ୍ୟାଚ୍କୁ ଫେରାଇ ଆଣିଥିଲେ। ଏହା ପରେ ସନ୍ରାଇଜର୍ସ ଅପ୍ରତ୍ୟାଶିତ ଓ ନାଟକୀୟ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୯.୪ ଓଭରରେ ଅଲଆଉଟ୍ ହୋଇ ଯାଇଥିଲା। ତିନିଟି ଋତୁ ପରେ ଆର୍ସିବି ବିଜୟରୁ ତା’ର ଅଭିଯାନ ଆରମ୍ଭ କରିଥିଲା ବେଳେ ଅଧିନାୟକ ଭାବେ ବିରାଟ କୋହଲି ୫୦ତମ ବିଜୟ ପାଇ ମହେନ୍ଦ୍ର ସିଂହ ଧୋନି (୧୦୫), ଗୌତମ ଗମ୍ଭୀର (୭୧)ଓ ରୋହିତ ଶର୍ମା (୬୦)ଙ୍କ କ୍ଲବ୍ରେ ସ୍ଥାନ ପାଇଥିଲେ। ସେପଟେ ପ୍ରତିପକ୍ଷ ଅଧିନାୟକ ଡେଭିଡ୍ ୱାର୍ନର (୪୮ ମ୍ୟାଚ୍) ଆଇପିଏଲ୍ରେ ଅଧିନାୟକ ଦାୟିତ୍ବ ତୁଲାଇବାରେ ଶ୍ରୀଲଙ୍କାର କୁମାର ସାଙ୍ଗାକାରା (୪୭)ଙ୍କୁ ଟପିଥିଲେ। ଆଇପିଏଲ୍ରେ ସର୍ବାଧିକ ମ୍ୟାଚ୍ରେ ଅଧିନାୟକ ଦାୟିତ୍ବ ତୁଲାଇଥିବା ବିଦେଶୀ ଖେଳାଳିଙ୍କ ମଧ୍ୟରେ ନିଜ ଦେଶର ଆଦାମ ଗିଲକ୍ରିଷ୍ଟ (୭୧) ଓ ସେନ୍ ୱର୍ନ (୫୫) ଙ୍କ ପଛକୁ ସେ ଏବେ ତୃତୀୟ ସ୍ଥାନରେ ରହିଛନ୍ତି। ସ୍ପିନର ୟୁଜବେନ୍ଦ୍ର ଚହଲ ତାଙ୍କ ମୋଡ଼ବଦଳାଇଲା ଭଳି ବୋଲିଂ ପାଇଁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ଦେବଦତ୍ତଙ୍କ ପଦାର୍ପଣ ଅର୍ଧଶତକ
ଆର୍ସିବିର ୨୦ ବର୍ଷୀୟ କେରଳୀ ତାରକା ଦେବଦତ୍ତ ପଡିକଲ୍ ମଙ୍ଗଳବାର ଆଇପିଏଲ୍ ପଦାର୍ପଣ କରିଥିଲେ। ପ୍ରଥମ ମ୍ୟାଚ୍ରେ ହିଁ ଏହି ବାମହାତୀ ବ୍ୟାଟ୍ସମ୍ୟାନ୍ ନିଜ ଅସାଧାରଣ ପ୍ରତିଭାର ବଳିଷ୍ଠ ପରିଚୟ ଦେଇ ଦ୍ରୁତ ଅର୍ଧଶତକ ଅର୍ଜନ କରିଥିଲେ। ୪୨ ବଲ୍ରୁ ୮ ଚୌକା ସହାୟତାରେ ୫୬ ରନ୍ର ପାଳି ଖେଳିଥିଲେ। ପଦାପର୍ଣରେ ଅର୍ଧଶତକ ଅର୍ଜନରେ ଶ୍ରୀବତ୍ସ ଗୋସ୍ବାମୀ (୨୦୦୮)ଙ୍କ ପରେ ସେ ମଧ୍ୟ ଦ୍ବିତୀୟ ଆର୍ସିବି ଖେଳାଳି ହୋଇଥିଲେ। ଆଇପିଏଲ୍ରେ ଶେଷ ଥର ପାଇଁ ୨୦୧୬ରେ ଇଂଲଣ୍ଡର ସାମ୍ ବିଲିଙ୍ଗ୍ସ ଏବଂ ଏହା ପୂର୍ବରୁ ଶେଷ ଭାରତୀୟ ଭାବେ କେଦାର ଯାଦବ (୨୦୧୦) ପଦାର୍ପଣରେ ଅର୍ଧଶତକୀୟ ପାଳି ଖେଳିଥିଲେ। ଦେବଦତ୍ତଙ୍କ ପାଇଁ ଟସ୍ ହାରି ବ୍ୟାଟିଂ କରିଥିବା ଆରସିବି ଆଜି ପାୱାର ପ୍ଲେରୁ ୫୩ ରନ୍ ଅମଳ କରିଥିଲା। ସେ ଓ ଆରୋନ ଫିଞ୍ଚ୍ (୨୯) ପ୍ରଥମ ୱିକେଟ୍ରେ ୯୦ ରନ୍ ଯୋଡ଼ିଥିଲେ। ଦୁର୍ଭାଗ୍ୟଜନକ ଭାବେ ଉଭୟ କିନ୍ତୁ ସେହି ସ୍କୋରରେ ପ୍ୟାଭିଲିୟନ ଫେରି ଯାଇଥିଲେ। ତୃତୀୟ ସ୍ଥାନରେ ଖେଳିଥିବା ଅଧିନାୟକ ବିରାଟ କୋହଲି (୧୪) ବିଫଳ ହୋଇଥିଲେ। ତେବେ ମିଷ୍ଟର ଥ୍ରୀ ସିକ୍ସ୍ଷ୍ଟି ଏବି ଡି’ଭିଲିୟର୍ସ (୫୧ ରନ୍, ୩୦ ବଲ୍, ୪ ଚୌକା, ୨ ଛକା)ଙ୍କ ବିସ୍ଫୋରକ ଅର୍ଧଶତକ ବଳରେ ଆର୍ସିବି ନିର୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୬୩ ରନ୍ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/rcb.jpg)