ପଣ୍ଟିଂ, ଲାରା ଓ କାଲିସଙ୍କୁ ଟପିଲେ କୋହଲି; ସଚିନ ଓ କୋହଲିଙ୍କ କ୍ଲବ୍‌ରେ ରୋହିତ

୫ ବର୍ଷ ପରେ ଭାରତର ପ୍ରଥମ ଘରୋଇ ଶୃଙ୍ଖଳା ପରାଜୟ

ନୂଆଦିଲ୍ଲୀ: ଚେନ୍ନାଇରେ ବୁଧବାର ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ତଥା ନିର୍ଣ୍ଣାୟକ ଦିନିକିଆରେ ଭାରତ ପରାସ୍ତ ହୋଇଥିଲେ ମଧ୍ୟ ପୂର୍ବତନ ଅଧିନାୟକ ବିରାଟ କୋହଲି ତାଙ୍କ ଅର୍ଦ୍ଧଶତକୀୟ ପାଳି ଅବସରରେ ତିନିଟି ମାଇଲଖୁଣ୍ଟ ଛୁଇଁଛନ୍ତି। ସେ ୭୨ ବଲ୍‌ରୁ ୫୪ ରନ୍‌ କରି ଆଉଟ୍‌ ହେବା ପୂର୍ବରୁ ଘରୋଇ ମାଟିରେ ଦିନିକିଆ ଆନ୍ତର୍ଜାତିକ ଫର୍ମାଟ୍‌ରେ ସର୍ବାଧିକ ରନ୍‌ କରିବାରେ ପୂର୍ବତନ ଅଷ୍ଟ୍ରେଲୀୟ ଅଧିନାୟକ ରିକି ପଣ୍ଟିଂଙ୍କୁ ଟପି ଯାଇଥିଲେ। ପଣ୍ଟିଂ ୧୫୩ ମ୍ୟାଚ୍‌ରୁ ୫୪୦୬ ରନ୍‌ କରିଥିଲା ବେଳେ ୩୪ ବର୍ଷ ବୟସ୍କ କୋହଲି ୧୧୦ ମ୍ୟାଚ୍‌ ଖେଳି ୫୪୪୭ ରନ୍‌ ନିଜ ନାମରେ ରଖିଛନ୍ତି। ଫଳରେ ଏହି ତାଲିକାରେ କୋହଲି ଏବେ ଭାରତୀୟ କିଂବଦନ୍ତି ସଚିନ ତେନ୍ଦୁଲକର (୧୬୪ ମ୍ୟାଚ୍‌, ୬୯୭୬ ରନ୍‌)ଙ୍କ ପଛକୁ ଦ୍ବିତୀୟ ବ୍ୟାଟର ରହିଛନ୍ତି।

ଅନ୍ୟ ଏକ ମାଇଲଖୁଣ୍ଟ ଭାବେ ଘରୋଇ ଦିନିକିଆ ଆନ୍ତର୍ଜାତିକରେ ଅଷ୍ଟ୍ରେଲିଆ ବିପକ୍ଷରେ ସର୍ବାଧିକ ୫୦+ ସ୍କୋର୍‌ ତାଲିକାରେ କୋହଲି ୱେଷ୍ଟଇଣ୍ଡିଜ୍‌ର ବ୍ରାଏନ୍‌ ଲାରାଙ୍କୁ ଟପି ଯାଇଥିଲେ। ବୁଧବାର ଚେନ୍ନାଇରେ କୋହଲି ୧୯ତମ ଅର୍ଦ୍ଧଶତକ ଜମାଇଥିଲା ବେଳେ ଲାରାଙ୍କ ନାମରେ ୧୮ ଅର୍ଦ୍ଧଶତକ ଥିଲା। କୋହଲି (୧୯) ମଧ୍ୟ ଅନ୍ୟତମ ପୂର୍ବତନ ୱେଷ୍ଟଇଣ୍ଡିଜ୍‌ ତାରକା ଦେଶମଣ୍ଡ ହେନ୍ସ (୧୯)ଙ୍କ ସମକକ୍ଷ ହୋଇଛନ୍ତି। ଫଳରେ ଅଷ୍ଟ୍ରେଲିଆ ବିପକ୍ଷରେ ଏଭଳି ସଫଳତା ହାତେଇବାରେ କୋହଲି ଏବେ ‌ହେନ୍ସଙ୍କ ସହ ଯୁଗ୍ମ ତୃତୀୟ ବ୍ୟାଟର୍‌ ହୋଇଛନ୍ତି। କେବଳ ସଚିନ ତେନ୍ଦୁଲକର (୨୪) ଏବଂ ଭିଭିଆନ୍‌ ରିଚାର୍ଡସ (୨୩) ଅଷ୍ଟ୍ରେଲିଆ ବିପକ୍ଷରେ ସର୍ବାଧିକ ଘରୋଇ ଦିନିକିଆ ଅର୍ଦ୍ଧଶତକ ହାସଲ କରିବା ତାଲିକାରେ ପ୍ରଥମ ଦୁଇ ସ୍ଥାନରେ ରହିଛନ୍ତି।

ଅନ୍ୟପକ୍ଷରେ ନିଜ ଦିନିକିଆ ଆନ୍ତର୍ଜାତିକ କ୍ୟାରିୟରରେ ଘରୋଇ ମାଟିରେ ସର୍ବାଧିକ ୫୦+ ସ୍କୋର୍‌ କରିବା ତାଲିକାରେ କୋହଲି ଦକ୍ଷିଣ ଆଫ୍ରିକାର ଜାକ୍ସ କାଲିସଙ୍କୁ ପଛରେ ପକାଇ ଦେଇଛନ୍ତି। କୋହଲିଙ୍କ ଅର୍ଦ୍ଧଶତକ ସଂଖ୍ୟା ୪୭ରେ ପହଞ୍ଚିଥିଲା ବେଳେ କାଲିସ ୪୬ ଅର୍ଦ୍ଧଶତକ ହାସଲ କରିଥିଲେ। ବ୍ୟାଟିଂ କିଂବଦନ୍ତି ସଚିନ୍ ତେନ୍ଦୁଲକର (୫୮) ଏହି ତାଲିକାରେ ସର୍ବାଗ୍ରେ ରହିଥିଲା ବେଳେ କୋହଲି ଏବେ ଦ୍ବିତୀୟ ସ୍ଥାନ ପାଇଛନ୍ତି।

ସଚିନ ଓ କୋହଲିଙ୍କ କ୍ଲବ୍‌ରେ ରୋହିତ
ଅଧିନାୟକ ରୋହିତ ଶର୍ମା ବୁଧବାର ଅଷ୍ଟ୍ରେଲିଆ ବିପକ୍ଷ ଚେନ୍ନାଇ ଦିନିକିଆ ମ୍ୟାଚ୍‌ରେ ୧୭ ବଲ୍‌ରୁ ୩୦ ରନ୍‌ କରିଥିଲେ। ସେହି ବିସ୍ଫୋରକ ପାଳିରେ ୨ ଲେଖାଏଁ ଚୌକା ଓ ଛକା ସାମିଲ ଥିଲା। ଏହି ପାଳି ଅବସରରେ ରୋହିତ ଆନ୍ତର୍ଜାତିକ କ୍ରିକେଟ୍‌ରେ ଏକ ମାଇଲଖୁଣ୍ଟ ଛୁଇଁଥିଲେ। ୩୫ ବର୍ଷ ବୟସ୍କ ରୋହିତ ତାଙ୍କ ୩୦ ରନ୍‌ ବଳରେ ଏସିଆ ମହାଦେଶରେ ୧୦,୦୦୦ ଆନ୍ତର୍ଜାତିକ ରନ୍‌ ପୂରଣ କରିବାର ଗୌରବ ବହନ କରିଥିଲେ। ଏକ୍ଷେତ୍ରରେ ସେ ମଧ୍ୟ ଅଷ୍ଟମ ଭାରତୀୟ ବ୍ୟାଟର ହୋଇଛନ୍ତି। ତାଙ୍କ ପୂର୍ବରୁ ଏହି କ୍ଲବ୍‌ରେ ସଚିନ ତେନ୍ଦୁଲକର, ବିରାଟ କୋହଲି, ରାହୁଲ ଦ୍ରାବିଡ, ବୀରେନ୍ଦ୍ର ସେହବାଗ୍‌, ଏମ୍‌ଏସ୍‌ ଧୋନି, ମହମ୍ମଦ ଆଝାରୁଦ୍ଦିନ ଏବଂ ସୌରଭ ଗାଙ୍ଗୁଲି ସଦସ୍ୟ ରହିଛନ୍ତି। ରୋହିତ ୨୪୭ ମ୍ୟାଚ୍‌ ଖେଳିଥିଲା ବେଳେ ୧୦,୦୨୬ ରନ୍ ତାଙ୍କ ନାମରେ ଯୋଡ଼ି ହୋଇଯାଇଛି। ଏସିଆରେ ରୋହିତଙ୍କ ବ୍ୟାଟିଂ ଆଭରେଜ୍‌ ମଧ୍ୟ ୪୪.୧୬ ରହିଛି।

୫ ବର୍ଷ ପରେ ଭାରତର ପ୍ରଥମ ଘରୋଇ ଶୃଙ୍ଖଳା ପରାଜୟ

ଭାରତୀୟ ଦଳ ଠିକ୍‌ ୫ ବର୍ଷ ପରେ ପ୍ରଥମ ଥର ପାଇଁ ଘରୋଇ ଶୃଙ୍ଖଳା ପରାଜୟ ବରଣ କଲା। ସଂଯୋଗବଶତଃ ଶେଷ ଥର ପାଇଁ ୨୦୧୯ ମାର୍ଚ୍ଚରେ ଭାରତ ୨-୩ରେ ଅଷ୍ଟ୍ରେଲିଆ ନିକଟରୁ ଶୃଙ୍ଖଳା ହାରିଥିଲା। ତେବେ ତା’ ପରଠୁ ଭାରତୀୟ ଦଳ ଲଗାତାର ୭ ଶୃଙ୍ଖଳା ଜିତିଥିଲା ବେଳେ ବୁଧବାର ଚେନ୍ନାଇ ମ୍ୟାଚ୍‌ ସହିତ ଅଷ୍ଟ୍ରେଲିଆଠାରୁ ୧-୨ରେ ଶୃଙ୍ଖଳା ହାରିଲା। ପୁଣି ଭାରତରେ ଭାରତ ବିପକ୍ଷରେ ପଛୁଆ ଥାଇ ଶୃଙ୍ଖଳା ଜିତିବାରେ ଅଷ୍ଟ୍ରେଲିଆ ପୂର୍ବରୁ ପାକିସ୍ତାନ ହିଁ ଶେଷ ଦଳ ଥିଲା। ପାକିସ୍ତାନ ୨୦୦୫ରେ ୬ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ପ୍ରଥମ ଦୁଇ ମ୍ୟାଚ୍‌ ହାରି ୦-୨ରେ ପଛୁଆ ରହିବା ପରେ ଲଗାତାର ପରବର୍ତୀ ୪ ମ୍ୟାଚ୍‌ ଜିତି ୪-୨ରେ ଶୃଙ୍ଖଳା କବ୍‌ଜା କରିଥିଲା।

ସମ୍ବନ୍ଧିତ ଖବର