ଧୋନିଙ୍କ ପାଇଁ ୱିକେଟ୍ ରକ୍ଷକ ପାଲଟିଥିଲେ କୋହଲି

ମୁମ୍ବାଇ: ଭାରତୀୟ ଅଧିନାୟକ ବିରାଟ ‌କୋହଲିଙ୍କୁ ବିଶ୍ବର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନର ମାନ୍ୟତା ମିଳେ। ସ୍ଥିର ପ୍ରଦର୍ଶନ ସହ କ୍ରିକେଟ୍ ପ୍ରତି ଥିବା ଅସାଧାରଣ ନିଷ୍ଠା ପାଇଁ ସେ ପରିଚିତ। ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ପ୍ରତି କୋହଲିଙ୍କ ମନରେ ଥିବା ଭକ୍ତି ଓ ଭଲ ପାଇବା କଥା ବି ସମସ୍ତଙ୍କୁ ଜଣା। ଖାସ୍ ଧୋନିଙ୍କ ପାଇଁ ଶୀର୍ଷକ୍ରମରେ ଖେଳୁଥିବା କୋହଲି ଏକଦା ୱିକେଟ୍ ରକ୍ଷକ ଦାୟିତ୍ବ ତୁଲାଇବାକୁ ମଧ୍ୟ ପଛାଇ ନଥିଲେ। ଏହି ଘଟଣା ୨୦୧୫ ମସିହାର ବାଂଲାଦେଶ ବିପକ୍ଷ ଦିନିକିଆରେ ଘଟିଥିଲା। ବାଂଲାଦେଶ ପାଳିର ୪୪ତମ ଓଭରରେ ଧୋନି ହଠାତ୍ ପଡ଼ିଆ ବାହାରକୁ ଯାଇଥିଲେ। ଏହି ସମୟରେ କୋହଲିଙ୍କୁ ୱିକେଟ୍ ରକ୍ଷଣ ଦାୟିତ୍ବ ତୁଲାଇବାକୁ ସେ କହିଥିଲେ।

କୋହଲି ମଧ୍ୟ ଏହାକୁ ସାଦରରେ ଗ୍ରହଣ କରିଥିଲେ। ଅବଶ୍ୟ ଗୋଟିଏ ଓଭର ପରେ ଧୋନି ଫେରିବା ସହ ନିଜ ପୁରୁଣା ଦାୟିତ୍ବକୁ ପୁଣି ଥରେ ଗ୍ରହଣ କରିଥିଲେ। ମୟଙ୍କ ଅଗ୍ରୱାଲଙ୍କ ସହ ‘ଓପନ୍ ନେଟ୍ସ ୱିଥ୍ ମୟଙ୍କ’ କାର୍ଯ୍ୟକ୍ରମରେ ଯୋଗ ଦେଲା ବେଳେ କୋହଲି ଏହି ଘଟଣାକୁ ମନେ ପକାଇଥିଲେ। କୋହଲି ୱିକେଟ୍ ରକ୍ଷଣ କରୁଥିବାର ଏକ ଫଟୋ ମୟଙ୍କ ତାଙ୍କୁ ଦେଖାଇବା ପରେ ଏହାର କାରଣ ବିଷୟରେ ମାହି ଭାଇଙ୍କୁ ପଚାର ବୋଲି କୋହଲି କହିଥିଲେ। ତେବେ ଧୋନି ତାଙ୍କୁ ସେତେବେଳେ କ’ଣ କହିଥିଲେ, ତାହା ଉପରୁ ପରଦା ଉଠାଇଥଲେ କୋହଲି। ସେ କହିଥିଲେ ମାହି ଭାଇ ମୋତେ କହିଥିଲେ, ଭାଇ ଦୁଇ ତିନି ଓଭର ପର୍ଯ୍ୟନ୍ତ ୱିକେଟ୍ ରକ୍ଷକ ଦାୟିତ୍ବରେ ରହ। ସେତେବେଳେ ମୁଁ ୱିକେଟ୍ ରକ୍ଷଣ କରିବା ସହ ପଡ଼ିଆ ବି ସଜାଉଥିଲି। ଏଣୁ ତାଙ୍କ କାମ କେତେ କଷ୍ଟକର ତାହା ହୃଦୟଙ୍ଗମ କରି ପାରିଥିଲି। ଧୋନି କିନ୍ତୁ ବାହରକୁ ଯାଇ କ’ଣ କରିଥିଲେ, ସେ କଥା କୋହଲି କହି ନଥିଲେ।

ସମ୍ବନ୍ଧିତ ଖବର