ପିଙ୍କ୍‌ ବଲ ଟେଷ୍ଟ : ବିରାଟ କୋହଲିଙ୍କ ଶତକ ବଳରେ ଭାରତର ସ୍ଥିତି ସୁଦୃଢ, ଦିବାରାତ୍ର ଟେଷ୍ଟରେ ଶତକ ମାରିବାରେ କୋହଲି ପ୍ରଥମ ଭାରତୀୟ

କୋଲକତା : ଇଡେନ ଗାଡେନ୍ସଠାରେ ଚାଲିଥିବା ଐତିହାସିକ ପିଙ୍କ୍‌ ବଲ ମ୍ୟାଚରେ ଭାରତ ବାଂଲାଦେଶ ବିରୁଦ୍ଧରେ ନିଜର ସ୍ଥିତିକୁ ସୁଦୃଢ କରିଛି । ଅଧିନାୟକ ବିରୋଟ କୋହଲୀଙ୍କ ଚିତ୍ତାକର୍ଷକ ଶତକ ବଳରେ ଭାରତୀୟ ଦଳ ମଧ୍ୟାହ୍ନ ଭୋଜନ ବିରତି ସୁଦ୍ଧା ୪ ଓ୍ଵିକେଟ ହରାଇ ୨୮୯ ରନ ସଂଗ୍ରହ କରିଛି । ଆଜିର ଶତକ ସହ ବିରାଟ କୋହଲୀ ଏକ ନୂଆ କିର୍ତ୍ତିମାନ ସ୍ଥାପନ କରିଛନ୍ତି । ଭାରତର ପ୍ରଥମ ଦିବାରାତ୍ର ଟେଷ୍ଟମ୍ୟାଚରେ ସେ ଶତକ ମାରିଛନ୍ତି । ଅର୍ଥାତ ପ୍ରଥମ ଭାରତୀୟ ଭାବେ ସେ ଏକ ଦିବାରାତ୍ର ଟେଷ୍ଟମ୍ୟାଚରେ ଶତକ ମାରିଛନ୍ତି । କୋହଲି ୧୩୦ ରନରେ ଅପରାଜିତ ଅଛନ୍ତି ।

ଗତକାଲି ଭାରତ ପକ୍ଷରୁ ଦୁଇ ଓପନର ମୟଙ୍କ ଅଗ୍ରଓ୍ଵାଲ ଓ ରୋହିତ ଶର୍ମା ଯଥାକ୍ରମେ ୧୪ ଓ ୨୧ ରନ ସଂଗ୍ରହ କରିଆଉଟ ହୋଇଥିଲେ । ତେବେ ଚେତେଶ୍ୱର ପୂଜାରା ଓ ବିରାଟ କୋହଲୀଙ୍କ ସହ ମିଶି ଦଳୀୟ ଇନିଂସକୁ ସୁଧାରିଥିଲେ । ପୂଜାରା ୫୫ରନ କରି ଆଉଟ ହୋଇଥିଲେ । ଅଜିଙ୍କ ରାହାଣେ ମଧ୍ୟ ୫୧ ରନ କରିବା ସହ କୋହଲୀଙ୍କୁ ସହଯୋଗ କରିଥିଲେ । ଏବେ ରବିନ୍ଦ୍ର ଜାଦେଜା ଓ କୋହଲି କ୍ରିଜରେ ଅଛନ୍ତି । ଗତକାଲି ବାଂଲାଦେଶ ଦଳ ମାତ୍ର ୧୦୬ରେ ଅଲଆଉଟ ହୋଇଯାଇଥିଲା । ଭାରତ ପକ୍ଷରୁ ଇଶାନ୍ତ ଶର୍ମା ୫ଟି ଓ୍ଵିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର