କୋହଲିଙ୍କ ବୋଲିଂ ଦ୍ୱନ୍ଦ୍ୱ : ଈଶାନ୍ତ, ବୁମ୍‌ରା ଓ ସାମି ସମସ୍ତେ ନୂଆ ବଲ୍‌ରେ ବୋଲିଂ ଚାହୁଁଛନ୍ତି

ନୂଆଦିଲ୍ଲୀ : କରୋନା ସଙ୍କଟ ପାଇଁ କ୍ରିକେଟ୍ ଖେଳ ପ୍ରାୟତଃ ବନ୍ଦ ରହିଛି। ଏହି ଅପ୍ରତ୍ୟାଶିତ ବିଶ୍ରାମ ବେଳେ କିନ୍ତୁ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ଏକ ସୁଖଦ ଦ୍ବନ୍ଦ୍ବ ଘା‌ରିଛି। ଭାରତୀୟ ଦଳର ତିନି ସଫଳ ଦ୍ରୁତ ବୋଲର ମହମ୍ମଦ ସାମି, ଈଶାନ୍ତ ଶର୍ମା ଓ ଯଶପ୍ରୀତ ବୁମ୍‌ରା, ସମସ୍ତେ ନୂଆ ବଲ୍‌ରେ ବୋଲିଂ କରିବାକୁ ଚାହୁଁଛନ୍ତି। ଭାରତ ପାଖରେ ଉମେଶ ଯାଦବ, ନଭଦୀନ ସାଇନି, ସାର୍ଦୁଲ ଠାକୁର, ଦୀପକ ଚହର, ଖଲିଲ ଅହମ୍ମଦ ଓ ମହମ୍ମଦ ସିରାଜଙ୍କ ଭଳି ବୋଲର ମଧ୍ୟ ଅଛନ୍ତି। କୋହଲିଙ୍କ ଦ୍ବନ୍ଦ୍ବ ବିଷୟରେ ଅଧିକ ସୂଚନା ଦେବାକୁ ଯାଇ ସାମି କହିଛନ୍ତି ଯେ ଆମେ ତିନି ଜଣ ଯାକ (ଈଶାନ୍ତ, ବୁମ୍‌ରା, ସାମି) ନୂଆ ବଲ୍‌ରେ ବୋଲିଂ କରିବାକୁ ଚାହୁଁ। ଯେତେବେଳେ ଆମେ ନିଜ ଭିତରେ ନିଷ୍ପତ୍ତି ନେଇପାରୁନୁ, ସେତେବେଳେ ବିରାଟଙ୍କ ହସ୍ତକ୍ଷେପ ଲୋଡ଼ୁ। ହେଲେ ସେ ଆମ ଉପରେ ସବୁକଥା ଛାଡ଼ି ଦିଅନ୍ତି। ଆମେ ତିନି ଜଣ ମିଳିତ ଭାବେ ଯାହା ନିଷ୍ପତ୍ତି ନେବୁ ତାକୁ ସେ ମାନିବେ ବୋଲି କୁହନ୍ତି। ସୂଚନାଯୋଗ୍ୟ ଯେ ଭାରତୀୟ ଦଳର ସାଂପ୍ରତିକ ଦ୍ରୁତ ବୋଲିଂ ବାହିନୀ ବିଶ୍ବର ଶ୍ରେଷ୍ଠ ବୋଲି ବହୁ ପୂର୍ବତନ କ୍ରିକେଟର ମତ ଦେଇ ସାରିଛନ୍ତି। ଭାରତକୁ କପିଳ ଦେବ, ଜଭାଗଲ ଶ୍ରୀନାଥ, ଜାହିର ଖାନଙ୍କ ଭଳି ବୋଲର ସେବା ଦେଇଥିଲେ ମଧ୍ୟ ସାଂପ୍ରତିକ ବୋଲିଂ ବାହିନୀ ଶ୍ରେଷ୍ଠ ବୋଲି ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ଼ ନିକଟରେ କହିଥିଲେ। ସେ ମଧ୍ୟ ଚୂଡ଼ାନ୍ତ ଏକାଦଶ ବାହାରେ ରହୁଥିବା ସାଇନି, ସିରାଜ, ସାର୍ଦୁଲଙ୍କୁ ପ୍ରଶଂସା କରିଥିଲେ।

ସମ୍ବନ୍ଧିତ ଖବର