କୋହଲିଙ୍କ ପଶ୍ଚାତଧାବନ ପରାକ୍ରମ, ନ୍ୟୁଜିଲାଣ୍ଡ ଶୃଙ୍ଖଳାରେ ସଚିନଙ୍କୁ ଟପିପାରନ୍ତି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଦିନିକିଆ ସଫଳତାରେ ଉଭୟ ସଚିନ ତେନ୍ଦୁଲକର ଓ ବିରାଟ କୋହଲିଙ୍କର ଅତୁଳନୀୟ ଅବଦାନ ରହିଛି। ଏହି ଦୁଇ ମହାନ ଖେଳାଳିଙ୍କ ପାଇଁ ଭାରତର ପଶ୍ଚାତଧାବନ ବିଜୟ ପରିସଂଖ୍ୟାନରେ ଆଶାତୀତ ଉନ୍ନତି ଘଟିଛି। ଭାରତର ପଶ୍ଚାତଧାବନ ବିଜୟରେ ସଚିନ ୧୨୪ ପାଳି ଖେଳି ସର୍ବାଧିକ ୫୪୯୦ ରନ୍ କରିଛନ୍ତି। ଏହି କ୍ଷେତ୍ରରେ ତାଙ୍କ ରନ୍ ସଂଗ୍ରହ ହାର ହେଉଛି ୫୫.୪୫। କୋହଲି ଅନ୍ୟପକ୍ଷରେ ଭାରତର ପଶ୍ଚାତଧାବନ ବିଜୟ ବେଳେ ୮୬ ପାଳି ଖେଳି ୫୩୮୮ ରନ୍ କରିଛନ୍ତି। ଏହି କ୍ଷେତ୍ରରେ ତାଙ୍କ ରନ୍ ସଂଗ୍ରହ ହାର ହେଉଛି ୯୬.୨୧। ସଚିନଙ୍କ ଏହି ନିଆରା କୀର୍ତ୍ତିମାନ ଭାଙ୍ଗିବାର ସୁଯୋଗ ଆସନ୍ତା‌ ନ୍ୟୁଜିଲାଣ୍ଡ ଶୃଙ୍ଖଳାରେ କୋହଲିଙ୍କ ପାଖରେ ରହିବ। ତେବେ ଏଠାରେ ପ୍ରଶ୍ନ ଉଠେ କୋହଲି କ’ଣ ସଚିନଙ୍କଠାରୁ ଭଲ ପଶ୍ଚାତଧାବନ ଖେଳାଳି ବା ଚେଜର? ରନ୍ ସଂଗ୍ରହରେ ସଚିନଙ୍କୁ ଟପିଗଲେ ମଧ୍ୟ କୋହଲି ତାଙ୍କଠାରୁ ଭଲ ବୋଲି କହିହେବନାହିଁ। କାରଣ ଉଭୟ ଭିନ୍ନ ଭିନ୍ନ ପିଢ଼ିର। ସଚିନ ଓ କୋହଲିଙ୍କ ମଧ୍ୟରେ କିଏ ପଶ୍ଚାତଧାବନରେ ଶ୍ରେଷ୍ଠ ଭାରତୀୟ ଦିନିକିଆ ଖେଳାଳି ବିତର୍କ ଭିତରେ କିନ୍ତୁ ସେମାନଙ୍କ ସଫଳତାରେ ବଳିଷ୍ଠ ସହଯୋଗ ଦେଇଥିବା ଖେଳାଳିଙ୍କୁ ଅଣଦେଖା କରିହେବ ନାହିଁ।

ଏହି ବିଷୟରେ ବିତର୍କ ଆରମ୍ଭ କରିବା ପାଇଁ ସଚିନଙ୍କ କ୍ରିକେଟ୍ ଜୀବନକୁ ଦୁଇ ଭାଗରେ ବିଭକ୍ତ କରାଯାଇପାରେ। ପଦାର୍ପଣରୁ ୧୯୯୬ ଏବଂ ୧୯୯୬ ମସିହାଠାରୁ ଅବସର ପର୍ଯ୍ୟନ୍ତ। ୧୯୯୬କୁ ମୂଳବର୍ଷ ନେବାର କାରଣ ହେଲା ଏହି ସମୟରେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସୌରଭ ଗାଙ୍ଗୁଲି ଏବଂ ରାହୁଲ ଦ୍ରାବିଡ଼ଙ୍କ ଭଳି ଖେଳାଳିଙ୍କ ଆବିର୍ଭାବ ହୋଇଥିଲା। ପଦାର୍ପଣରୁ ୧୯୯୬ ମସିହା ପର୍ଯ୍ୟନ୍ତ ଭାରତୀୟ ବ୍ୟାଟିଂକ୍ରମରେ ମହମ୍ମଦ ଆଝାରୁଦ୍ଦିନ, ନଭଜ୍ୟୋତ ସିଂହ ସିଦ୍ଧୁ, ଅଜୟ ଜାଦେଜାଙ୍କ ଭଳି ଖେଳାଳି ସଚିନଙ୍କୁ ସହଯୋଗ କରୁଥିଲେ। ୧୯୮୯ରୁ ୧୯୯୬ ମଧ୍ୟରେ ଭାରତ ହାସଲ କରିଥିବା ୩୧ ପଶ୍ଚାତଧାବନ ବିଜୟରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ୬ ଶତକ ହାସଲ କରିଥିଲେ। ସେଥିମଧ୍ୟରେ ସଚିନ ଏବଂ ସିଦ୍ଧୁଙ୍କର ଦୁଇଟି ଲେଖାଏଁ ଶତକ ଥିଲା। ଏହି ସମୟରେ ସଚିନଙ୍କ ରନ୍ ସଂଗ୍ରହ ହାର ଥିଲା ୪୩.୮୨। ଏହି ୭ ବର୍ଷ ମଧ୍ୟରେ ଭାରତୀୟ ବ୍ୟାଟିଂକ୍ରମ ଅନେକ ସମୟରେ ଚାପ ଆଗରେ ମୁଣ୍ଡ ନୁଆଁଇ ଦେଉଥିଲା। ଗାଙ୍ଗୁଲି, ଦ୍ରାବିଡ଼ ଆସିବା ପରେ ଏହି ସ୍ଥିତି ବଦଳି ଯାଇଥିଲା। ସଚିନ ୧୯୯୬ ମସିହାରୁ ଅବସର ପର୍ଯ୍ୟନ୍ତ ଆଝାରୁଦ୍ଦିନ, ଯୁବରାଜ ସିଂହ ଓ ଗାଙ୍ଗୁଲିଙ୍କ ଭଳି ଖେଳାଳିଙ୍କ ଗହଣରେ ଖେଳିଥିଲେ। ଏହି ସମୟରେ ସଚିନ ଭାରତର ପଶ୍ଚାତଧାବନ ବିଜୟରେ ୧୨ ଶତକ ଅର୍ଜନ କରିଥିଲେ। ସେପଟେ ମହେନ୍ଦ୍ର ସିଂହ ଧୋନିଙ୍କଠାରୁ ଭାରତୀୟ ସୀମିତ ଓଭର ଦଳର ନେତୃତ୍ବ ଗ୍ରହଣ କରିବା ପରେ କୋହଲି କେବଳ ଭାରତୀୟ ଦଳର ସଫଳତା ଧାରାକୁ ଆଗେଇ ନେଇନଥିଲେ ଏହାକୁ ଭିନ୍ନ ସ୍ତରରେ ପହଞ୍ଚାଇ ଦେଇଥିଲେ। କୋହଲିଙ୍କ ପଶ୍ଚାତଧାବନ ସଫଳତାରେ ‌ରୋହିତ ଶର୍ମା, ଶିଖର ଧାୱନ, ଗୌତମ ଗମ୍ଭୀର ଏବଂ ଧୋନିଙ୍କ ଭଳି ଖେଳାଳି ମଧ୍ୟ ମହତ୍ବପୂର୍ଣ୍ଣ ଭୂମିକା ତୁଲାଇଛନ୍ତି। ଏବେ ସଫଳ ପଶ୍ଚାତଧାବନରେ ସଚିନଙ୍କଠାରୁ କୋହଲି ମାତ୍ର ୧୦୨ ରନ୍ ପଛରେ ଅଛନ୍ତି।

ସମ୍ବନ୍ଧିତ ଖବର