କୋହଲି, ବୁମ୍‌ରା ଶୀର୍ଷରେ ସ୍ଥିର:ଭାରତ ପାଇଁ ସୁଯୋଗ

ଦୁବାଇ,: ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳା ଆସନ୍ତା ୧୨ ତାରିଖରୁ ଆରମ୍ଭ ହେବ। ଏହି ଶୃଙ୍ଖଳାରେ ୩ ମ୍ୟାଚ୍‌ ଖେଳିବା ପରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡ୍‌ ଗସ୍ତ କରି ସେଠାରେ ୫ ଦିନିକିଆ ମ୍ୟାଚ୍‌ ଖେଳିବ। ଏହି ୮ ମ୍ୟାଚ୍‌ ଭାରତ ପାଇଁ ଆଇସିସି ଦିନିକିଆ ମାନ୍ୟତାରେ ଶୀର୍ଷରେ ଥିବା ଇଂଲଣ୍ଡ୍‌ର ନିକଟତର ହେବାର ସୁଯୋଗ ରଖିବ। ଇଂଲଣ୍ଡ୍‌ ସର୍ବାଧିକ ୧୨୬ ପଏଣ୍ଟ୍‌ ସହ ଦିନିକିଆ ଦଳଗତ ମାନ୍ୟତାର ଶୀର୍ଷରେ ରହିଛି। ଏହା ପଛକୁ ୧୨୧ ପଏଣ୍ଟ୍‌ ପାଇ ଭାରତ ଦ୍ବିତୀୟରେ ଏବଂ ନ୍ୟୁଜିଲାଣ୍ଡ୍‌ (୧୧୩) ତୃତୀୟରେ ଅଛି। ଯଦି ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ୍‌ ବିପକ୍ଷ ୮ ଯାକ ମ୍ୟାଚ୍‌ ଜିତିନିଏ, ତେବେ ଭାରତର ପଏଣ୍ଟ୍‌ ସଂଖ୍ୟା ୧୨୫କୁ ବଢ଼ିଯିବ। ଫଳରେ ମାତ୍ର ୧ ପଏଣ୍ଟ୍‌ ପଛରେ ରହି ଇଂଲଣ୍ଡର ନିକଟତର ହୋଇଯିବ। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ବିପକ୍ଷ ୫ ମ୍ୟାଚ୍‌ ଶୃଙ୍ଖଳାକୁ ମୂଳପୋଛ କରିପାରିଲେ ପାକିସ୍ତାନ ଗୋଟିଏ ସ୍ଥାନ ଉପରକୁ ଉଠିପାରିବ। ନଚେତ୍‌ ଦକ୍ଷିଣ ଆଫ୍ରିକା ଚତୁର୍ଥରୁ ତୃତୀୟକୁ ଲମ୍ଫ ମାରିବ। ଶ୍ରୀଲଙ୍କା ଅଷ୍ଟମ ସ୍ଥାନରେ ରହିଥିଲେ ମଧ୍ୟ ଗୋଟିଏ ପଏଣ୍ଟ୍‌ ହରାଇ ୭୮ରେ ପହଞ୍ଚିଛି। ଦଳଗତ ମାନ୍ୟତାରେ ଭାରତ ଦ୍ବିତୀୟ ସ୍ଥାନରେ ରହିଥିଲେ ବି ଭାରତୀୟ ଖେଳାଳି ଦିନିକିଆ ମାନ୍ୟତାର ଉଭୟ ବ୍ୟାଟିଂ ଓ ବୋଲିଂରେ ଶୀର୍ଷ ସ୍ଥାନ ମାଡ଼ି ବସିଛନ୍ତି। ଅଧିନାୟକ ବିରାଟ କୋହଲି ବ୍ୟାଟ୍‌ସମ୍ୟାନ୍‌ଙ୍କ ମାନ୍ୟତା ତାଲିକାରେ ଶୀର୍ଷରେ ଅପରିବର୍ତିତ ରହିଥିଲା ବେଳେ ରୋହିତ ଶର୍ମା ମଧ୍ୟ ଦ୍ବିତୀୟରେ ସ୍ଥିର ରହିଛନ୍ତି। ସେହିପରି ବୋଲରଙ୍କ ମାନ୍ୟତାରେ ଯଶ୍‌ପ୍ରୀତ୍‌ ବୁମ୍‌ରା ଶୀର୍ଷରେ ଦୃଢ଼ ରହିଥିଲା ବେଳେ ଆଫ୍‌ଗାନିସ୍ତାନ ସ୍ପିନର ରସିଦ୍‌ ଖାନ୍‌ (ଦ୍ବିତୀୟ)ଙ୍କ ପଛକୁ ଚାଇନାମ୍ୟାନ୍‌ ସ୍ପିନର କୁଲ୍‌ଦୀପ୍‌ ଯାଦବ ତୃତୀୟରେ ରହିଛନ୍ତି। ଅନ୍ୟ ଭାରତୀୟଙ୍କ ମଧ୍ୟରେ ଶିଖର ଧାୱନ୍‌ (୯) ବ୍ୟାଟ୍‌ସମ୍ୟାନ୍‌ଙ୍କ ମାନ୍ୟତାର ଶୀର୍ଷ-୧୦ରେ ରହିଥିଲା ବେଳେ ବୋଲରଙ୍କ ମାନ୍ୟତାରେ ଲେଗ୍‌ ସ୍ପିନର ୟୁଜ୍‌ବେନ୍ଦର ଚହଲ୍‌ ଇଂଲଣ୍ଡ୍‌ର ଆଦିଲ୍‌ ରସିଦ୍‌ଙ୍କ ସହ ଯୁଗ୍ମ ଷଷ୍ଠ ସ୍ଥାନ ପାଇଛନ୍ତି।

ସମ୍ବନ୍ଧିତ ଖବର