ନୂଆଦିଲ୍ଲୀ : ବର୍ତ୍ତମାନ ସମୟରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ବିଶ୍ବର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ ଗଣନା କରାଯାଉଛି। ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ ଏକାଧିକ କୀର୍ତ୍ତିମାନ ଭାଙ୍ଗିସାରିଛନ୍ତି। ତାଙ୍କ ଆନ୍ତର୍ଜାତିକ କ୍ରିକେଟ୍ ଜୀବନ ମଧ୍ୟରେ ଟେଷ୍ଟ୍ରେ ୨୭ ଓ ଦିନିକିଆରେ ୪୩ ଶତକ ମାରିସାରିଲେଣି। ମୋଟ ୮୬ ଟେଷ୍ଟ୍ରୁ ସେ ୭୨୪୦, ୨୪୮ ଦିନିକିଆରୁ ୧୧୮୬୭ ଓ ୮୧ ଟ୍ବେଣ୍ଟି-୨୦ରୁ ୨୭୯୪ ରନ୍ କୋହଲି ସଂଗ୍ରହ କରିସାରିଛନ୍ତି। ତିନିପ୍ରକାର ଫର୍ମାଟ୍ରେ କୋହଲିଙ୍କ ହାରହାରି ରନ୍ ୫୦ରୁ ଉର୍ଦ୍ଧ୍ବ ରହିଛି। ସେ ଜଣେ ଦକ୍ଷ ବ୍ୟାଟ୍ସମ୍ୟାନ ହୋଇଥିବା ସହ ବିଶ୍ବର ଶ୍ରେଷ୍ଠ ଅଧିନାୟକ ଭାବେ ମଧ୍ୟ ସେ ପରିଚୟ ତିଆରି କରିପାରିଛନ୍ତି। ତେବେ ତାଙ୍କ ଭିତରେ ଗଭୀର ଆତ୍ମବିଶ୍ବାସ ରହିଥିବାରୁ ତାହା ତାଙ୍କୁ ବିଶ୍ବର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ ଗଢିତୋଳିଥିବା ପୂର୍ବତନ ଭାରତୀୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ କୃଷ୍ଣମଚାରି ଶ୍ରୀକାନ୍ତ କହିଛନ୍ତି। ଇଂଲଣ୍ଡର ପୂର୍ବତନ ଅଧିନାୟକ ନାସିର ହୁସେନ ଓ ଭାରତୀୟ ଦଳର ପୂର୍ବତନ ସଦସ୍ୟ ଭିଭିଏସ୍ ଲକ୍ଷ୍ମଣଙ୍କ ସହ ହୋଇଥିବା ଏକ ଆଲୋଚନାରେ ଶ୍ରୀକାନ୍ତ ବିରାଟ କୋହଲିଙ୍କୁ କପିଳ ଦେବଙ୍କ ସହ ତୁଳନା କରିଥିଲେ। ଶ୍ରୀକାନ୍ତଙ୍କ କହିବାନୁସାରେ, ସେ କପିଳ ଦେବଙ୍କ ସହ ଓ ତାଙ୍କ ଅଧୀନରେ ଖେଳିଛନ୍ତି। ତେଣୁ ଉଭୟଙ୍କ ମଧ୍ୟରେ ଯେଉଁ ଆତ୍ମବିଶ୍ବାସ ରହିଛି, ସେଥିପାଇଁ ବିରାଟ କୋହଲିଙ୍କୁ ସେ କପିଳ ଦେବଙ୍କ ସହ ତୁଳନା କରିବାକୁ ପଛାଇନାହାନ୍ତି। ସେହିଭଳି ଲକ୍ଷ୍ମଣ ଓ ହୁସେନ ମଧ୍ୟ କୋହଲିଙ୍କର ଭୂୟଶୀ ପ୍ରଶଂସା କରିଥିଲେ। ହୁସେନ କହିଥିଲେ ‘‘କୋହଲି ନିଜ ପରିସଂଖ୍ୟାନକୁ ନେଇ ଆଦୌ ଚିନ୍ତିତ ନଥାଆନ୍ତି। ବରଂ ସେ ଜୟ/ପରାଜୟକୁ ଅଧିକ ଗୁରୁତ୍ବ ଦିଅନ୍ତି। ମୁଁ ଥରେ ଭାରତର ପୂର୍ବତନ ପ୍ରଶିକ୍ଷକ ଡଙ୍କାନ ଫ୍ଲେଚରଙ୍କ ସହ କଥା ହେଉଥିଲି, ସେ କହିଥିଲେ ଏହି ଯୁବକଙ୍କ ଉପରେ ନଜର ରଖିଥାଅ, ସେ ଜଣେ ଯୋଦ୍ଧା, ଲଢ଼ିବାକୁ କେବେ ବି ଭୁଲି ନଥାଆନ୍ତି।’’ ଲକ୍ଷ୍ମଣ ବି କୋହଲିଙ୍କ ଲଢ଼ୁଆ ପ୍ରବୃତ୍ତିକୁ ବେଶ୍ ପସନ୍ଦ କରିଥିଲେ। ତେବେ ମାତ୍ରାଧିକ କ୍ରିକେଟ୍ ଖେଳିଥିବାରୁ ତାଙ୍କ ଖେଳ ଜୀବନ ଅକାଳରେ ଶେଷ ହୋଇଯିବା ନେଇ ଆଶଙ୍କା ଜାହିର କରିଥିଲେ।
କୋହଲିଙ୍କୁ କପିଳଙ୍କ ସହ ତୁଳନା କଲେ ଶ୍ରୀକାନ୍ତ
/sambad/media/post_attachments/wp-content/uploads/2020/04/k.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)