ନୂଆଦିଲ୍ଲୀ: ବିରାଟ କୋହଲିଙ୍କ ବ୍ୟାଟିଂ ଉପରେ ସମସ୍ତଙ୍କ ନଜର ରହିଥାଏ। ଏହି ଭାରତୀୟ ଅଧିନାୟକ ଏକଦା ଶତକ ପରେ ଶତକ ହାସଲ କରୁଥିଲା ବେଳେ ଏବେ ପ୍ରାୟ ୨ ବର୍ଷ ଧରି ତାଙ୍କ ବ୍ୟାଟ୍‌ରୁ ତାହା ଦେଖିବାକୁ ମିଳିନି। ଯଦିଓ ସେ ଅର୍ଦ୍ଧଶତକ ଜମାଉଛନ୍ତି, ତେବେ ଏହାକୁ ଶତକରେ ରୂପାନ୍ତରିତ କରିବାରେ ବିଫଳ ହେଉଛନ୍ତି। ଫଳରେ ଶତକୀୟ ପାଳି ଅଭାବରୁ ଲୋକମାନେ ମଧ୍ୟ ତାଙ୍କ ନେତୃତ୍ବକୁ ନେଇ ପ୍ରଶ୍ନ ଉଠାଇଲେଣି। ଏପରିକି ଦଳକୁ ନେତୃତ୍ବ ଦେବାର ଚାପ ତାଙ୍କ ବ୍ୟାଟିଂକୁ ପ୍ରଭାବିତ କରୁଛି ବୋଲି ଅଧିକାଂଶ ମତ ରଖୁଛନ୍ତି। କିନ୍ତୁ ପୂର୍ବତନ ଅଧିନାୟକ ତଥା କିଂବଦନ୍ତି କପିଳ ଦେବ ଏକ୍ଷେତ୍ରରେ କୋହଲିଙ୍କୁ ପୂର୍ଣ୍ଣ ସମର୍ଥନ କରିଛନ୍ତି। ସେ ଏଭଳି ଆଶଙ୍କାକୁ ମଧ୍ୟ ଏଡ଼ାଇ ଯାଇଛନ୍ତି। ଭାରତକୁ ପ୍ରଥମ ଥର ଦିନିକିଆ କ୍ରିକେଟ୍‌ରେ ବିଶ୍ବ ବିଜେତା କରାଇଥିବା କପିଳ ଦେବଙ୍କ କହିବା କଥା ହେଲା ଅଧିନାୟକ ହେବାର ପ୍ରଥମ ପର୍ଯ୍ୟାୟରେ କୋହଲି ଯେତେ ସ୍କୋର୍‌ କରିଥିଲେ ତା ପୂର୍ବରୁ ସେତେ ରନ୍‌ କରିନଥିଲେ। ଅଧିନାୟକ ଭାବେ କୋହଲି ୬୫ ଟେଷ୍ଟ୍‌ରୁ ୫୫୦୦ରୁ ଅଧିକ ସ୍କୋର୍‌ କରିଛନ୍ତି। ଯେଉଁଥିରେ ୨୦ ଶତକ ଏବଂ ୧୭ ଅର୍ଦ୍ଧଶତକ ସାମିଲ ରହିଛି।

Advertisment

ପୁଣି ଅଧିନାୟକ ଭାବେ ସେ ଦିନିକିଆ ଆନ୍ତର୍ଜାତିକରେ ୨୧ ଶତକ ଏବଂ ୨୭ ଅର୍ଦ୍ଧଶତକ ସହ ୯୫ ମ୍ୟାଚ୍‌ରୁ ପ୍ରାୟ ୫୫୦୦ ରନ୍‌ ସ୍କୋର୍‌ କରିଛନ୍ତି। ଏହିସବୁ ବର୍ଷଗୁଡ଼ିକରେ ସେ ଯେତେବେଳେ ରନ୍‌ ସ୍କୋର୍‌ କରୁଥିଲେ କେହି ବି ନେତୃତ୍ବ ଚାପ ପାଇଁ ତାଙ୍କ ବ୍ୟାଟିଂ ପ୍ରଭାବିତ ହେଉଥିଲା ବୋଲି କହୁନଥିଲେ। ଆଉ ଏବେ ଯେତେବେଳେ ତାଙ୍କ ବ୍ୟାଟିଂ ସାମାନ୍ୟ ନିମ୍ନଗାମୀ ହୋଇଛି ସମାଲୋଚକମାନେ ହଠାତ୍‌ ‌ଚେଇଁ ଉଠିଛନ୍ତି। କୋହଲି ଯେତେବେଳେ ଦ୍ବିଶତକ ଏବଂ ଶତକ ଜମାଉଥିଲେ ସେତେବେଳେ କ’ଣ ଚାପରେ ରହୁନଥିଲେ? ତେଣୁ ବ୍ୟାଟିଂ ଫର୍ମ ସହ ସଂଘର୍ଷ କରିବା ତାଙ୍କ ନେତୃତ୍ବ ପାଇଁ ହିଁ ଦାୟୀ ନୁହେଁ। ବରଂ ସମସ୍ତଙ୍କୁ ଧୈର୍ଯ୍ୟ ରଖିବାକୁ କପିଳ ପରାମର୍ଶ ଦେଇଛନ୍ତି। କପିଳଙ୍କ କହିବା କଥା ହେଲା ଟେଷ୍ଟ୍‌ରେ କୋହଲିଙ୍କ ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର୍‌ ଅପରାଜିତ ୨୫୪ ରହିଛି। ତେଣୁ ଥରେ କୋହଲି ତାଙ୍କ ପୁରୁଣା ଫର୍ମ ଫେରିପାଇଲେ ସେ ବଡ଼ ଶତକ କେବଳ କାହିଁକି ଆମକୁ ୩୦୦ ସ୍କୋର୍‌ ମଧ୍ୟ ଭେଟିଦେଇପାରିବେ। ଯାହାକି ତାଙ୍କ ପୂର୍ବରୁ ମାତ୍ର ୨ ଜଣ ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ ହାସଲ କରିଛନ୍ତି। କୋହଲି ଏବେ ଅଭିଜ୍ଞ ଏବଂ ପୋଖତ ଖେଳାଳି ବନିଗଲେଣି। ଏପରିକି ଫିଟ୍‌ନେସ୍‌ ଦୃଷ୍ଟିରୁ ମଧ୍ୟ ସେ ଖୁବ୍‌ ସଶକ୍ତ। କେବଳ ସେ ନିଜକୁ ଚିହ୍ନିବା ଏବଂ ସ୍କୋର୍‌ କରିବା ଲକ୍ଷ୍ୟ ରଖନ୍ତୁ ବୋଲି କପିଳ ପରାମର୍ଶ ଦେଇଛନ୍ତି।