ନୂଆଦିଲ୍ଲୀ: ଭାରତୀୟ ଅଧିନାୟକ ବିରାଟ କୋହଲି ରନ୍ର ପାହାଡ଼ ସୃଷ୍ଟି କରିଛନ୍ତି। ହେଲେ ସେ ଏକାକୀ ବିଶ୍ବକପ୍ ଜିତି ପାରିବେନି। ଦଳର ଅନ୍ୟ ଖେଳାଳିମାନଙ୍କୁ ମଧ୍ୟ ଭଲ ଖେଳିବାକୁ ହେବ। ତାଙ୍କୁ ଆବଶ୍ୟକ ସମର୍ଥନ ଦେବାକୁ ପଡ଼ିବ। ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ବିଶ୍ବକପ୍ ପୂର୍ବରୁ ବୁଧବାର ଦେଇଥିବା ବିସ୍ତୃତ ସାକ୍ଷାତକାରରେ ଏହା କହିଛନ୍ତି। ସଚିନ ଏହି ଅବସରରେ ଭାରତୀୟ କ୍ରିକେଟ୍ ଦଳର ବିଭିନ୍ନ ଦିଗକୁ ନେଇ ଖୋଲାଖୋଲି ଭାବେ ମତ ଦେବା ସହ କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ ଓ ଚର୍ଚିତ ଚାରି ନମ୍ବର ସ୍ଥାନକୁ ନେଇ ନିଜ ମତାମତ ରଖିଛନ୍ତି।
ସଚିନ କହିଛନ୍ତି ଯେ ପ୍ରତ୍ୟେକ ମ୍ୟାଚ୍ରେ ଜଣେ ଦୁଇ ଜଣ ଖେଳାଳି ଭଲ ଖେଳନ୍ତି। ଦଳୀୟ ସମର୍ଥନ ବିନା କିନ୍ତୁ ଅପଣ କିଛି କରି ପାରିବେ ନାହିଁ। ଜଣେ ବ୍ୟକ୍ତି କେବେ ବି ବିଶ୍ବକପ୍ ଜିତି ପାରିବ ନାହିଁ। ଠିକଣା ସମୟରେ ସାଥୀ ଖେଳାଳିମାନେ ବି ଭଲ କରିବା ଦରକାର। ଏଭଳି ଯଦି ନଘଟେ, ତାହାଲେ ନିରାଶା ମିଳିବା ନିଶ୍ଚିତ। ୧୯୯୬, ୧୯୯୯ ଓ ୨୦୦୩ରେ ତାଙ୍କ ଉପରେ ଯେଭଳି ଚାପ ଥିଲା କୋହଲିଙ୍କ ଉପରେ ଚଳିତ ଥର ସେହି ଚାପ ରହିବ ବୋଲି ସଚିନ ଏହି ଅବସରରେ ପରୋକ୍ଷରେ ସଙ୍କେତ ଦେଇଥିଲେ। ସଚିନ କିନ୍ତୁ ଦିନିକିଆ କ୍ରିକେଟ୍ ମାତ୍ରାଧିକ ଭାବେ ବ୍ୟାଟ୍ସମ୍ୟାନଙ୍କ ଆଡ଼କୁ ଢଳିବା ନେଇ ଚିନ୍ତା ଜାହିର କରିଥିଲେ। ଦୁଇଟି ନୂଆ ବଲ୍ ବ୍ୟବହାର ଏବଂ ପଟା ପିଚ୍ ପାଇଁ ଗୋଟିଏ ଦଳ ୩୫୦ ରନ୍ କଲେ, ଅନ୍ୟ ଦଳ ଏହାକୁ ୪୫ ଓଭରରେ ହାସଲ କରିନେଉଛି। ପାଲଟା ସୁଇଂ କଳା ଧିରେ ଧିରେ ମରି ଯାଉଥିବାରୁ ସଚିନ ମଧ୍ୟ ଏଥିନେଇ ଅସନ୍ତୋଷ ଜାହିର କରିଥିଲେ। ଅନ୍ୟ ପକ୍ଷରେ ଭାରତର ୪ ନମ୍ବର ସ୍ଥାନକୁ ନେଇ ହେଉଥିବା ଚର୍ଚା ଅମୂଳକ। ଭାରତ ପାଖରେ ୪ ନମ୍ବରରେ ଖେଳିବା ଲାଗି ଏକାଧିକ ଖେଳାଳି ଅଛନ୍ତି ବୋଲି ସେ ମତ ରଖିଥିଲେ। ଭାରତୀୟ ଦଳରେ ଭଲ ସନ୍ତୁଳନ ରହିଛି। ଦଳରେ ଅନେକ ଖେଳାଳି ଅଛନ୍ତି, ଯେଉଁମାନଙ୍କର ୮ରୁ ୧୦ ବର୍ଷର ଅଭିଜ୍ଞତା ରହିଛି। କେତେକ ପ୍ରତିଭାବାନ ଯୁବ ତାରକା ମଧ୍ୟ ଅଛନ୍ତି ବୋଲି ସଚିନ କହିଥିଲେ।
କୋହଲି ଏକାକୀ ବିଶ୍ବକପ୍ ଜିତି ପାରିବେନି: ସଚିନ
/sambad/media/post_attachments/wp-content/uploads/2019/05/111-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)