ପର୍ଥ: ପର୍ଥ ଟେଷ୍ଟ୍ ବେଳେ ଭାରତୀୟ ଦଳ ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ପ୍ରତିପକ୍ଷ ଟିମ୍ ପେନ୍ଙ୍କ ମଧ୍ୟରେ ହୋଇଥିବା ବାକ୍ୟ ବିନିମୟ ବିବାଦ ଏକ ପ୍ରକାର ଥମିଯାଇଛି। ମ୍ୟାଚ୍ ଶେଷ ହେବା ସହିତ ଏହି ବିବାଦ ବି ଉଡ଼ିଯାଇଛି। ମଜାଳିଆ ଭାବର ଆଦାନପ୍ରଦାନକୁ ଉଭୟ ଢେର ଉପଭୋଗ କରିଥିବା ମଧ୍ୟ ସ୍ବୀକାର କରି ନେଇଛନ୍ତି। ଉଭୟ ଦଳ ଉପରେ କଡ଼ା ନଜର ରହିଛି ବୋଲି ଉଠିଥିବା ପ୍ରସଙ୍ଗକୁ କିନ୍ତୁ କୋହଲି ଅସ୍ବୀକାର କରିଛନ୍ତି। ପଡ଼ିଆରେ କୌଣସି ବ୍ୟକ୍ତିଗତ ଆକ୍ରମଣ କିମ୍ବା ଦୁର୍ବଚନ ପ୍ରୟୋଗ ହୋଇନାହିଁ। କେହି ବି ସୀମା ଅତିକ୍ରମ କରିନାହାନ୍ତି ବୋଲି କୋହଲି କହିଛନ୍ତି। ଆଡିଲେଡ୍ରେ ମଧ୍ୟ ଏଭଳି ମଜାଳିଆ କଥା ହୋଇଥିଲା। ଟେଷ୍ଟ୍ କ୍ରିକେଟ୍ ହୋଇଥିବାରୁ ଦିନର ଖେଳ ଶେଷ ଆଡ଼କୁ ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ରହିବ। କିନ୍ତୁ କୌଣସି ଭାବେ ଅନ୍ୟର ୱିକେଟ୍ ନେବା ନୁହେଁ। ଷ୍ଟମ୍ପ୍ ମାଇକ୍ରୋଫୋନ୍ ସବୁକିଛି ରେକର୍ଡ କରୁଥିଲେ ବି କୋହଲି ଏଥି ପାଇଁ ବେଫିକର। ‘ସଚୋଟତାର ସହ କହିଲେ ଜଣେ ବୋଲର ବୋଲିଂ କରୁଥିବା ବେଳେ ସେ କେବେ ବି ଷ୍ଟମ୍ପ୍ ମାଇକ୍ରୋଫୋନ୍ କି କ୍ୟାମେରା ଅନ୍ ଅଫ୍ କଥା ଚିନ୍ତା କରିନଥାଏ। ସେହିଭଳି ଜଣେ ବ୍ୟାଟିଂ କରୁଥିବା ବେଳେ ତୁମେ ଏବଂ ବଲ୍ ମଧ୍ୟରେ ଷ୍ଟାଡିୟମରେ ଆଉ କେହି ନଥିବା ଭଳି ଏକାଗ୍ରତାରେ ଥାନ୍ତି। ସେ ଦୃଷ୍ଟିରୁ ଏସବୁ ମୋ ପାଇଁ ଗୁରୁତ୍ବହୀନ ଏବଂ ଚିନ୍ତାର କାରଣ ନୁହେଁ ବୋଲି କୋହଲି କହିଛନ୍ତି। ସେହିଭଳି କୋହଲିଙ୍କ ସହ ଛାତିରେ ଛାତି ଲଗାଇବା ପ୍ରସଙ୍ଗରେ ଟିମ୍ ପେନ୍ କହିଛନ୍ତି ‘ମୋ ଭାବନାରେ ଏଭଳି ହୋଇନାହିଁ, ଏହା ପାଖାପାଖି ହୋଇଥିଲା। କିନ୍ତୁ ଏହା ଯାହା ହୋଇଥିଲା ସେତିକିର କଥା। ଉଭୟ ଦଳ ପାଇଁ ଏହା ଏକ ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ଟେଷ୍ଟ୍ ମ୍ୟାଚ୍ ଥିଲା। ଅନେକ କିଛି ସୀମା ଉପରେ ଥିଲା ଏବଂ ଉଭୟ ଦଳ ବିଜୟ ପାଇଁ ବ୍ୟାକୁଳ ଥିଲେ। କୋହଲିଙ୍କ ଆଚରଣରେ ସେ ବିରକ୍ତ ନୁହନ୍ତି ବୋଲି ମଧ୍ୟ ସ୍ପଷ୍ଟ କରି ଦେଇଛନ୍ତି। ଏହାକୁ ମୁଁ ଭଲ ପାଏ ଏବଂ ଉପଭୋଗ କରିଥାଏ। ମୋ ପାଖରେ ବି ଏଭଳି ରହିଛି। ଏଭଳି କଥା ମଧ୍ୟ ନିଜ ଭିତରୁ ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ଉତ୍ସାହକୁ ବାହାର କରିଥାଏ, ଯାହାକି ଭଲ କଥା। ନିଶ୍ଚିତ ଏହାକୁ ଦେଖିବାକୁ ଭଲ ଲାଗୁଥିବ’ ବୋଲି ପେନ୍ କହିଛନ୍ତି।
ଷ୍ଟମ୍ପ୍ ମାଇକ୍ରୋଫୋନ୍କୁ ନେଇ କୋହଲି ବେଫିକର
/sambad/media/post_attachments/wp-content/uploads/2018/12/khel.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)