କୋହଲି ବାହିନୀକୁ ଅଶି ଦଶକର ଦୁର୍ଦ୍ଧର୍ଷ ୱେଷ୍ଟଇଣ୍ଡିଜ୍ ସହ ତୁଳନା

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଯୁଗଳ ଐତିହାସିକ ଶୃଙ୍ଖଳା ଜିତିବା ପରେ ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟର୍‌ ଡିନ୍ ଜୋନ୍ସ କୋହଲି ବାହିନୀର ବଡ଼ ପ୍ରଶଂସକ ପାଲଟି ଯାଇଛନ୍ତି। ଏପରିକି ସାଂପ୍ରତିକ ଭାରତୀୟ କ୍ରିକେଟ୍ ଦଳକୁ ସେ ଅଶି ଦଶକର ଦୁର୍ଦ୍ଧର୍ଷ ୱେଷ୍ଟଇଣ୍ଡିଜ୍ ଦଳ ସହ ତୁଳନା କରିଛନ୍ତି। ଏକ ଇଂରାଜୀ ଖବର କାଗଜ ପାଇଁ ଲେଖିଥିବା ସ୍ତମ୍ଭରେ ଜୋନ୍ସ କହିଛନ୍ତି ଯେ ଭାରତୀୟ କ୍ରିକେଟ୍ ଦଳର ଏହା ସର୍ବଶ୍ରେଷ୍ଠ ଅଷ୍ଟ୍ରେଲିଆ ଗସ୍ତ ଥିଲା। ପର୍ଥ ଟେଷ୍ଟ ଏଥିରେ ଏକମାତ୍ର କଳଙ୍କ। ହେଲେ ମୋଟ ଉପରେ ଭାରତୀୟ କ୍ରିକେଟ୍ ଦଳ ଅତି ଚମତ୍କାର କ୍ରିକେଟ୍ ଖେଳିଲା। ଦଳୀୟ ବିଜୟ ଲାଗି ପ୍ରତ୍ୟେକ ଭାରତୀୟ ଖେଳାଳି ନିଜ ନିଜର ଶକ୍ତି ମୁତାବକ ଅବଦାନ ଦେଇଥିଲେ। ଦୁଇ ଯୁବ ସ୍ପିନର ୟୁଜବେନ୍ଦ୍ର ଚହଲ ଓ କୁଲଦୀପ ଯାଦବଙ୍କୁ ଜୋନ୍ସ ତାଙ୍କ ଲେଖାରେ ଭୂୟଶୀ ପ୍ରଶଂସା କରିଥିଲେ। ମହମ୍ମଦ ସାମି ଉଭୟ ଟେଷ୍ଟ୍‌ ଏବଂ ଦିନିକିଆରେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନଙ୍କୁ ଅନେକ ଥର ହଇରାଣରେ ପକାଇଥିଲେ। ବିରାଟ କୋହଲି ଦଳକୁ ବଳିଷ୍ଠ ନେତୃତ୍ବ ପ୍ରଦାନ କରିଥିଲେ। ହେଲେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଫର୍ମକୁ ଫେରିବାକୁ ଏକ ବଡ଼ ସମସ୍ୟା ଭାବେ ବର୍ଣ୍ଣନା କରିଛନ୍ତି ଜୋନ୍ସ। ଭାରତ ପାଇଁ ବଡ଼ ସମସ୍ୟା ହେଲା ‘ଧୋନି’। ଧୋନି ଏବେ ଜବରଦସ୍ତ ପ୍ରତ୍ୟାବର୍ତନ କରିଛନ୍ତି। ଏଣୁ ଋଷବ ପନ୍ତଙ୍କୁ କେବଳ ଜଣେ ବ୍ୟାଟ୍ସମ୍ୟାନ୍ ଭାବେ ଖେଳାଇବେ କି ନାହିଁ, ‌ସେ ନେଇ କୋହଲି ଦ୍ବନ୍ଦ୍ବରେ ରହିବା ସ୍ବାଭାବିକ। ବିଶ୍ବକପ୍ ପୂର୍ବରୁ ଅଷ୍ଟ୍ରେଲିଆକୁ ହରାଇଥିବାରୁ ଭାରତ ପାଇଁ ଏହାଠାରୁ ଭଲ ଆରମ୍ଭ ଆଉ କିଛି ହୋଇ ନପାରେ ବୋଲି ଜୋନ୍ସ ଲେଖିଛନ୍ତି।

ସମ୍ବନ୍ଧିତ ଖବର