ମା’କୁ ଫିଟ୍‌ନେସ୍‌ ମନ୍ତ୍ର ବୁଝାଇ ପାରନ୍ତିନି କୋହଲି

‘ପିଲାଟି ଗୋଲଗାଲିଆ ନଥିଲେ, ତା’ ହେଲେ କିଛି ଭୁଲ ଅଛି’

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି କେବଳ ଭାରତ ପାଇଁ ନୁହେଁ ବିଶ୍ବ କ୍ରିକେଟ୍‌ ପାଇଁ ବି ଫିଟନେସ୍‌ ସ୍ତର ବଜାୟ ରଖିବାର ଉଦାହରଣ ପାଲଟିଛନ୍ତି। ୨୦୧୦ ମସିହା ପ୍ରାରମ୍ଭରେ କୋହଲିଙ୍କ ଫିଟ୍‌ନେସ୍‌ ଅନୁଶାସନ ତାଙ୍କୁ କେବଳ ଭାରତୀୟ ଦଳକୁ ଆଣିନଥିଲା, ସବୁ ଫର୍ମାଟରେ ସଫଳ ବ୍ୟାଟସମ୍ୟାନ୍‌ ଭାବେ ବିଶ୍ବବିଦିତ କରିପାରିଛି। ତାଙ୍କ କଠୋର ଖାଦ୍ୟପେୟ ନୀତି ଓ ରୁଟିନ୍‌ ବ୍ୟାୟାମ ବର୍ଷସାରା ଚାଲିଥାଏ। ଯାହାକି ତାଙ୍କୁ ଜଣେ ଶାଣିତ କ୍ରିକେଟର୍‌ ଭାବେ ଗଢ଼ି ତୋଳିବାରେ ପ୍ରମୁଖ ଭୂମିକା ନେଇଛି। କିନ୍ତୁ ନିଜ ଖେଳ ଜୀବନର ପ୍ରାରମ୍ଭରେ ଫିଟନେସ୍‌ ଗୁରୁତ୍ବ ସମ୍ପର୍କରେ କୋହଲିଙ୍କ ପତଳା ଚେହେରା ଦେଖି ତାଙ୍କ ମା’ ବିରକ୍ତ ହେଉଥିଲେ ଏବଂ କହୁଥିଲେ ‘ତୁ ତ ରୋଗିଣା ଲାଗୁଛୁ’।

କୋହଲି କହିଛନ୍ତି ମୋ ମା’ ଏମିତି ନିୟମିତ କହିଥାଏ, ମୁଁ ତାକୁ ବୁଝାଇପାରେନି। ଦୁନିଆର ସବୁ ମା’ ଏଭଳି କୁହନ୍ତି। ବେ‌ଳେବେଳେ ଏହା ମଜା ଲାଗେ ଏବଂ କେବେ କେବେ ବିରକ୍ତ କରିଥାଏ। ତାଙ୍କ ବିଶ୍ବାସରେ ‘ଯଦି ଗୋଟିଏ ପିଲା ଗୋଲଗାଲିଆ ନାହିଁ, ତେବେ କିଛି ଭୁଲ ଅଛି, ସେ ନିଶ୍ଚିତ ରୋଗିଣା’। ସେମାନେ (ମା’ମାନେ) ବୁଝିପାରନ୍ତି ନାହିଁ ‘ସେମାନଙ୍କ ଚିନ୍ତା ଓ କୌଣସି ଖେଳର ପେସାଦାର ଜୀବନ ମଧ୍ୟରେ କି ପ୍ରଭେଦ ରହିଛି’। ମୁଁ ପ୍ରତିଦିନ ମା’କୁ ବୁଝାଉଥିଲି ମୁଁ ରୋଗିଣା ନାହିଁ, କିନ୍ତୁ ବୁଝାଇପାରୁନଥିଲି’’ ବୋଲି କୋହଲି ପ୍ରକାଶ କରିଥିଲେ। ବିରାଟ କୋହଲି ଏବଂ ତାଙ୍କ ସାଥୀ ଖେଳାଳି ମୟଙ୍କ ଅଗ୍ରୱାଲଙ୍କ ସହିତ ଏକ ଆଲୋଚନାର ଭିଡିଓକୁ ବିସିସିଆଇ ଟ୍ବିଟର୍‌ରେ ଛାଡ଼ିବା ପରେ ଏହାକୁ ଢେର ପସନ୍ଦ ମିଳିଛି। ହେଲେ ଭାରତୀୟ ମା’ମାନଙ୍କ ପୁରୁଣାକାଳିଆ ବିଶ୍ବାସ ପଦାକୁ ଆସିଛି।

ସମ୍ବନ୍ଧିତ ଖବର