ଇନ୍ଦୋର: ଭାରତୀୟ ଦ୍ରୁତ ବୋଲରମାନେ ପୁଣି ଚମତ୍କାର ପ୍ରଦର୍ଶନ ଜରିଆରେ ଆଉ ଏକ ପାଳି ବ୍ୟବଧାନ ବିଜୟ ପ୍ରଦାନ କରିଛନ୍ତି। ଇନ୍ଦୋରର ହୋଲକର ଷ୍ଟାଡିୟମ୍ରେ ଚାଲିଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ୍କୁ ଅଢ଼େଇ ଦିନରେ ଶେଷ କରି ୨ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଛି କୋହଲିଙ୍କ ଦଳ। ଶନିବାର ସକାଳେ ଭାରତ ଆଉ ବ୍ୟାଟିଂ ନ କରି ପୂର୍ବ ସଂଧ୍ୟାର ସ୍କୋର୍ ୪୯୩/୬ରେ ଘୋଷଣା କରି ଦେଇଥିଲା। ୩୪୩ ରନ୍ ପଛରେ ଥାଇ ଦ୍ବିତୀୟ ପାଳି ଖେଳିଥିବା ବାଂଲାଦେଶ ୪୪ ରନ୍ରେ ୪ ୱିକେଟ୍ ହରାଇଦେବା ପରେ କେବଳ ୨୧୩ ରନ୍ କରିପାରିଥିଲା। ଫଳରେ ଏକ ପାଳି ଏବଂ ୧୩୦ ରନ୍ର ବଡ଼ ବ୍ୟବଧାନରେ ବିଜୟୀ ହୋଇଥିଲା ଭାରତ। ମୁସଫିକର ରହିମ୍ (୬୪) ଏକମାତ୍ର ଅର୍ଧଶତକ ହାସଲ କରିଥିଲେ। ମହମ୍ମଦ ସାମି ସର୍ବାଧିକ ୪ ୱିକେଟ୍ ନେଇଥିବା ବେଳେ ରବିଚନ୍ଦ୍ରନ୍ ଅଶ୍ବିନ୍ (୩), ଉମେଶ ଯାଦବ (୨) ଏବଂ ଈଶାନ୍ତ ଶର୍ମା (୧) ଗୋଟିଏ ଲେଖାଏଁ କମ୍ ନେଇଥିଲେ। ଦ୍ବିଶତକୀୟ ପାଳି ପାଇଁ ମୟଙ୍କ ଅଗ୍ରୱାଲ୍ (୨୪୩) ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଦ୍ବିତୀୟ ତଥା ଶେଷ ଟେଷ୍ଟ୍ କୋଲକାତାର ଇଡେନ୍ ଗାର୍ଡେନ୍ସରେ ନଭେମ୍ବର ୨୨ ତାରିଖରୁ ଖେଳାଯିବ। ଏହି ଐତିହାସିକ ଷ୍ଟାଡିୟମ୍ରେ ଭାରତ ନିଜର ପ୍ରଥମ ଦିବାରାତ୍ର ଟେଷ୍ଟ୍କୁ ଗୋଲାପି ବଲ୍ରେ ଖେଳିବ।
Sambad is now on WhatsApp
Join and get latest news updates delivered to you via WhatsApp
ଅଧିନାୟକ କୋହଲିଙ୍କ କୀର୍ତ୍ତିମାନ
ଭାରତ ପାଳିରେ ଶୂନରେ ଆଉଟ୍ ହୋଇଥିଲେ ବିରାଟ କୋହଲି। କିନ୍ତୁ ଅଧିନାୟକ ଭାବେ ଏହି ମହାନ ବ୍ୟାଟସମ୍ୟାନ୍ଙ୍କ ଅଧୀନରେ ଭାରତ ୧୦ ପାଳି ବିଜୟ ହାସଲ କରିଛି। ଏ କ୍ଷେତ୍ରରେ କୋହଲି ନିଜର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂହ ଧୋନି (୯ ପାଳି ବିଜୟ)ଙ୍କୁ ପଛରେ ପକାଇ ଦେଇଥିଲେ। ମହମ୍ମଦ ଆଝାରୁଦ୍ଦିନ୍ (୮) ଏବଂ ସୌରଭ ଗାଙ୍ଗୁଲି (୭) ପଛକୁ ପଛ ରହିଛନ୍ତି। ‘ପ୍ରକୃତରେ ମ୍ୟାଚ୍ ସମ୍ପର୍କରେ କିଛି ଆଉ କହିବାକୁ ନାହିଁ। ଏହା ଏକ ଅଲରାଉଣ୍ଡ୍ ପ୍ରଦର୍ଶନର ଫଳ। ଖେଳାଳିମାନେ ଏବେ ଶୀର୍ଷରେ ଅଛନ୍ତି। ବୋଲରମାନେ ବୋଲିଂ କରୁଥିବା ବେଳେ ଲାଗୁଥିଲା ସବୁ ପିଚ୍ ଭଲ ପିଚ୍। ବୁମରା ନ ଥିଲେ ମଧ୍ୟ ଏହି ବୋଲିଂ ୟୁନିଟ୍ ଯେକୌଣସି ଅଧିନାୟକ ପାଇଁ ସ୍ବପ୍ନର ସମନ୍ବୟ ଭଳି’ ବୋଲି କହିଛନ୍ତି କୋହଲି। ସଂଖ୍ୟା ଓ କୀର୍ତ୍ତିମାନ କେବଳ ଦେଖିବା ପାଇଁ, ଏହା ବହିରେ ରହିବ। ଆମେ ଏହା ଉପରେ ନଜର ପକାଉନାହୁଁ’ ବୋଲି କୋହଲି କହିଛନ୍ତି।
ଦ୍ରୁତ ବୋଲରଙ୍କୁ ୧୪ ୱିକେଟ୍
ଇନ୍ଦୋର ଟେଷ୍ଟ୍ରେ ଭାରତୀୟ ଦ୍ରୁତ ବୋଲରମାନେ ମୋଟ ୨୦ରୁ ମିଳିତ ଭାବେ ୧୪ ୱିକେଟ୍ ନେଇଥିଲେ। ରିଭର୍ସ ସୁଇଙ୍ଗ୍ର ଅନ୍ୟତମ ସଫଳ ତାରକା ମହମ୍ମଦ ସାମି ଉଭୟ ପାଳିରୁ ସର୍ବାଧିକ ୭ ୱିକେଟ୍ ନେଇଥିଲେ। ଉମେଶ ଯାଦବ (୪ ) ଏବଂ ଈଶାନ୍ତ ଶର୍ମା (୩) ମିଳିତ ଭାବେ ୭ ୱିକେଟ୍ ଦଖଲ କରିଥିଲେ। ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ବିନ୍ ଅବଶିଷ୍ଟ ୫ ୱିକେଟ୍ ନେଇ ଦ୍ରୁତ ବୋଲରଙ୍କୁ ଠିକଣା ସହଯୋଗ କରିଥିଲେ। ଯଶପ୍ରୀତ୍ ବୁମରାଙ୍କ ଅନୁପସ୍ଥିତିରେ ଭାରତୀୟ ଦ୍ରୁତ ବୋଲିଂ ୟୁନିଟ୍ର ଏହି ସଫଳତା ନିଶ୍ଚିତ ଚୟନକର୍ତାଙ୍କୁ ତାଙ୍କ ପ୍ରତ୍ୟାବର୍ତନ ବେଳକୁ ଚିନ୍ତାରେ ପକାଇବ।
କୋହଲି ପ୍ରଶଂସକ ଅଟକ
ଶନିବାର ତୃତୀୟ ଦିନ ଖେଳ ବେଳେ ବିରାଟ କୋହଲିଙ୍କ ଜଣେ ପ୍ରଶଂସକ ସୁରକ୍ଷା ବଳୟ ଭାଙ୍ଗି ପଡିଆ ଭିତରେ ପଶିଯିବାରୁ ତାଙ୍କୁ ପୁଲିସ ଅଟକ ରଖିଛି। ସୁରଜ ବିଷ୍ଟ ନାମକ ଏହି ବ୍ୟକ୍ତି ନିଜକୁ ଉତ୍ତରାଖଣ୍ଡ ଅଧିବାସୀ ବୋଲି କହିଥିଲେ। ଇନ୍ଦୋରରେ ସେ କୁକ୍ ଭାବେ କାମ କରନ୍ତି। କୋହଲିଙ୍କ ନାମ ଲେଖାଥିବା ଏକ ଟି ସାର୍ଟ ପରିଧାନ କରିଥିଲେ ଏବଂ ବାହୁରେ ଟାଟୁରେ କୋହଲି ଲେଖିଛନ୍ତି। ମୁହଁରେ ମଧ୍ୟ ‘ଭିକେ’ ପେଣ୍ଟ କରି ଆସିଥିଲେ। ପୁଲିସ ଅଟକ ରଖି ତାଙ୍କ ପରିଚୟର ତଦାରଖ କରୁଛି ଏବଂ ବିହିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରକାଶ କରିଛି।
ସାମିଙ୍କୁ ପ୍ରଶ୍ନ ‘ଗୋପନ କୁହ’
ଭାରତୀୟ ଦ୍ରୁତ ବୋଲରମାନେ ଗତ ଦକ୍ଷିଣ ଆଫ୍ରିକା ଶୃଙ୍ଖଳା ଭଳି ମଧ୍ୟ ବାଂଲାଦେଶ ବିପକ୍ଷରେ ପ୍ରାଧାନ୍ୟ ବିସ୍ତାର କରିଛନ୍ତି। ମ୍ୟାଚ୍ ପରେ ଏକ ବଂଧୁତ୍ବପୂର୍ଣ୍ଣ ମାହୋଲ ଭିତରେ ୩ ତାରକା ଈଶାନ୍ତ ଶର୍ମା, ଉମେଶ ଯାଦବ ଏବଂ ମହମ୍ମଦ ସାମିଙ୍କ ସହ ହୋଇଥିବା ଏକ ମିଳିତ ମିଡିଆ ସାକ୍ଷାତକାର ବେଳେ ବହୁ ମଜାଦାର କଥା ପଦାକୁ ଆସିଥିଲା। ସାମି ପ୍ରଥମ ପାଳିରେ ଭଲ ବୋଲିଂ କରନ୍ତି, କିନ୍ତୁ ତାଙ୍କୁ ‘ଦ୍ବିତୀୟ ପାଳି ସାମି’ ନାମିତ କରାଯାଇଛି। ଦ୍ବିତୀୟ ପାଳିରେ ସେ ବିଶ୍ବର ସବୁଠୁ ଶ୍ରେଷ୍ଠ ବୋଲର ବୋଲି ବିବେଚିତ ହେଉଥିବାରୁ ଏଭଳି ଆଖ୍ୟା ପାଇଛନ୍ତି। ଏହା ପଛର ଗୋପନ କ’ଣ ବୋଲି ପ୍ରଶ୍ନ ହେବାରୁ ସାମି କହିଥିଲେ ‘ଏଥିରେ କିଛି ଗୋପନ ନାହିଁ, ଆମେ ପରସ୍ପରକୁ ଉତ୍ସାହିତ କରିଥାଉ ଏବଂ ସମସ୍ତ ଦ୍ରୁତ ବୋଲର ଭଲ କରିବାକୁ ଠେଲିଥାଉ। ଏହା କଷ୍ଟକର କାମ, କିନ୍ତୁ ଥଟ୍ଟାମଜାରେ ମାତିଥାଉ, ଏହା ଭାରି ଭଲ ଅନୁଭବ ଦିଏ। ପଡିଆରେ ଥିବାବେଳେ ପରସ୍ପରର ସଫଳତାକୁ ଉପଭୋଗ କରୁନଥିବାରୁ ଅନୁଭବ ଆସେ ନାହିଁ। ବିରିୟାନି ମୋ ସଫଳତାର ରହସ୍ୟ ବୋଲି ମଜାରେ କହିଥିଲେ ସାମି।
ଈଶାନ୍ତଙ୍କୁ ସିନିଅର ଭାବନ୍ତିନି
ମୋତେ ସାଥୀ ଦ୍ରୁତ ବୋଲରମାନେ କେହି ସିନିଅର୍ ଭାବେ ଦେଖନ୍ତି ନାହିଁ ବୋଲି ସ୍ମିତହାସ୍ୟ ଦେଇ କହିଥିଲେ ଈଶାନ୍ତ ଶର୍ମା। ଦଳ ଭିତରେ ବି ସିନିଅର-ଜୁନିଅର୍ ନାହିଁ। ସାମିଙ୍କ କହିବା କଥା ଅନୁସାରେ ଆମେ ପରସ୍ପରର ସଫଳତାକୁ ଉପଭୋଗ କରିଥାଉ। ପରସ୍ପରର ଦୁର୍ବଳତାକୁ ଚିହ୍ନଟ କରିବାରୁ ଦଳ ପାଇଁ ଏହା ସହଜ ହୋଇଥାଏ। ମୋତେ ୩୧ ବର୍ଷ ହୋଇଗଲାଣି। ତଥାପି ମୁଁ ଭଲ ଯାଗାରେ ବୋଲିଂ କରୁଛି, ୱିକେଟ୍ ନେଉଛି ଏବଂ ଉପଭୋଗ କରୁଛି ବୋଲି ଈଶାନ୍ତ ପ୍ରକାଶ କରିଥିଲେ।
ଉମେଶ କହିଲେ ଜିନ୍ କଥା
ଉମେଶ ଯାଦବଙ୍କ କହିବା ପାଳି ଆସିବାରୁ ସେ କିଭଳି ଘଣ୍ଟାପ୍ରତି ୧୪୦/୧୪୫ କିଲୋମିଟର୍ ବେଗରେ ବୋଲିଂ କରୁଛନ୍ତି ବୋଲି ପ୍ରଶ୍ନ ଉଠିଥିଲା। ସେ କହିଥିଲେ, ‘ଏହା ମୋ ପରିବାର ମୋତେ ଦେଇଛନ୍ତି। ପିଲାଦିନୁ ପିତାଙ୍କଠାରୁ ମୁଁ ଏହା ଶିଖିଛି। ମୋତେ ସେ ବହୁ ଦୌଡାଉଥିଲେ, ତାଙ୍କ ପାଇଁ ମୁଁ ଆଜି ଏଠି ପହଞ୍ଚିଛି। ଏହାକୁ ବଜାୟ ରଖିବାକୁ ଚାହୁଁଛି। ବୋଲିଂ ସମ୍ପର୍କରେ ଉମେଶ କହିଥିଲେ, ‘ଏକାଠି ବୋଲିଂ କରିବାର ଶକ୍ତି ରହିଛି। ଅଧିକ ୱିକେଟ୍ ନେଲେ, ଅଧିକ ବୋଲିଂ ମିଳିବାର ସୁଯୋଗ ଥାଏ। ଏହା ଆମ ପାଇଁ ଭଲ। ବିସ୍ଫୋରକ ବ୍ୟାଟିଂ ସମ୍ପର୍କରେ କହିଥିଲେ, ‘ବ୍ୟାଟିଂ ପ୍ରଶିକ୍ଷକ ଏବଂ ଅଧିନାୟକ ମୋତେ ଲାଇସେନ୍ସ ଦେଇଥିଲେ ବ୍ୟାଟିଂକୁ ଉପଭୋଗ କରିବାକୁ। ନିମ୍ନକ୍ରମରେ ୨୫-୩୦ ରନ୍ କରିପାରିଲେ ୪ ଜଣ ବି ୧୦୦ ରନ୍ ଯୋଡ଼ି ଦେଇ ପାରିବେ।