ପୁଣେ: ବିରାଟ କୋହଲି ଶତକଠୁ ୩ ରନ୍ ଦୂରରେ ଓ ଭାରତ ବିଜୟଠୁ ୨ ରନ୍ ଦୂରରେ ଥିଲା ବେଳେ ବାଂଲାଦେଶ ସ୍ପିନର ନସୁମ ଅହମଦ ଲେଗ୍ ଷ୍ଟମ୍ପ ବାହାରକୁ ବଲ୍ ପକାଇଥିଲେ। ବଲ୍ ସିଧା କୋହଲିଙ୍କ ଗୋଡ଼ରେ ବାଜିବାକୁ ଯାଉଥିଲା ବେଳେ ସେ ଆଗକୁ ଘୁଞ୍ଚିଯିବାରୁ ବଲ୍ ବାହାରେ ଚାଲିଯାଇଥିଲା। ହେଲେ ନିୟମ ଦୃଷ୍ଟିରୁ ଅମ୍ପାୟାର ରିଚାର୍ଡ କେଟଲବରୋ ତାହାକୁ ୱାଇଡ୍ ଘୋଷଣା କରି ନଥିଲେ। କିନ୍ତୁ ନସୁମ ଉଦ୍ଦେଶ୍ୟମୂଳକ ଭାବେ କୋହଲିଙ୍କୁ ଶତକ ନକରାଇ ଦେବା ପାଇଁ ୱାଇଡ୍ ବଲ୍ ପକାଇବାକୁ ଚେଷ୍ଟା କରୁଥିଲେ ବୋଲି ପ୍ରଶଂସକଙ୍କ ସହ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ବାଂଲାଦେଶର କାମଚଳା ଅଧିନାୟକ ନଜମୁଲ ହୋସେନ ସାଣ୍ଟୋ ଏଭଳି ଅଭିଯୋଗକୁ ଅସ୍ବୀକାର କରିଛନ୍ତି। ୱାଇଡ୍ ବଲ୍ ପକାଇବାକୁ ନସୁମ ଚାହୁ ନଥିଲେ। କୋହଲିଙ୍କୁ ଶତକ କରାଇ ନଦେବା ଭଳି ଅଣ ପେସାଦାର କାମ କରିବାକୁ ଆମର କୌଣସି ଉଦ୍ଦେଶ୍ୟ ନଥିଲା। କୌଣସି ବୋଲର ବି ଏପରି କରିବାକୁ ଚାହିବେନି। ଆମେ ପ୍ରକୃତ କ୍ରିକେଟ୍ ଖେଳିବାକୁ ଚାହୁଥିଲୁ ବୋଲି ସାଣ୍ଟୋ ମ୍ୟାଚ୍ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ କହିଥିଲେ। କିନ୍ତୁ ଏହି ବିବାଦୀୟ ବଲ୍ ପରେ କୋହଲି ଛକା ମାରି ଶତକ ପୂରଣ କରିବା ସହ ଭାରତକୁ ମଧ୍ୟ ଜିତାଇଥିଲେ। ଅମ୍ପାୟାର ଜାଣିଶୁଣି ଉକ୍ତ ବଲ୍କୁ ୱାଇଡ୍ ଦେବାକୁ ଚାହିଁ ନଥିଲେ ବୋଲି ପାକିସ୍ତାନୀ କିଂବଦନ୍ତି ୱାସିମ ଆକ୍ରମ ଏକ ଟେଲିଭିଜନ ଆଲୋଚନାରେ କହିଥିଲେ। ଏହା ଏକ ସ୍ପଷ୍ଟ ୱାଇଡ୍ ବଲ୍ ଥିଲା। ସମସ୍ତେ ଏହାକୁ ବଡ଼ ପରଦାରେ କିମ୍ବା ଟିଭି ସ୍କ୍ରିନ୍ରେ ଦେଖିଥିବେ। କିନ୍ତୁ ଅମ୍ପାୟାରଙ୍କର ଏହା ଏକ ବଡ଼ ତ୍ରୁଟି ବୋଲି ଆକ୍ରମ ପ୍ରତିକ୍ରିୟା ରଖିଥିଲେ।
ନିୟମ ଅନୁସାରେ ୱାଇଡ୍ ନଥିଲା: ବାସା
ଭୁବନେଶ୍ବର: ଓଡ଼ିଶାର ବିସିସିଆଇ ପ୍ୟାନେଲ୍ (ଲେଭଲ-ସି’) ଅମ୍ପାୟାର ଅରୁଣ ବାସାଙ୍କ ମତରେ, ‘‘ୱାଇଡ୍ ପାଇଁ ଏମ୍ସିସିର ସ୍ବତନ୍ତ୍ର ନିୟମ ରହିଛି। ଜଣେ ବ୍ୟାଟର୍ ଯଦି କୌଣସି ବଲ୍କୁ ସ୍ବଭାବିକ ଷ୍ଟ୍ରୋକ୍ ଖେଳି ନପାରିବେ ତାହା ୱାଇଡ୍ ହେବ। ସାଧାରଣତଃ ଷ୍ଟମ୍ପ୍ ପାଖରେ ଯେଉଁ ଗାର ପଡ଼ିଥିବା ଦେଖୁଛୁ, ତାହା ୱାଇଡ୍ ଲାଇନ୍ ବୋଲି ସାଧାରଣ ଲୋକେ ଧରି ନେଉଛନ୍ତି। ଯେଉଁଥି ପାଇଁ ବଲ୍ ତାହାର ବାହାରକୁ ଗଲେ ୱାଇଡ୍ ହୋଇଥିବ ବୋଲି ସମସ୍ତେ ବିଶ୍ବାସ କରନ୍ତି। ହେଲେ ଏମ୍ସିସି ନିୟମରେ ୱାଇଡ୍ ପାଇଁ ସେଭଳି କୌଣସି ମାପଦଣ୍ଡ ନାହିଁ। ଅଫ୍ ଷ୍ଟମ୍ପ୍ କିମ୍ବା ଲେଗ୍ ଷ୍ଟମ୍ପ୍ ବାହାରେ ଯେଉଁ ଗାର ଟଣା ଯାଇଥାଏ, ତାହା ବୋଲରଙ୍କ ସ୍ଥିର ପ୍ରଦର୍ଶନ ପାଇଁ ଏକ ଚିହ୍ନ ମାତ୍ର ହୋଇଥାଏ। ଯଦି ବ୍ୟାଟର୍ ବଲ୍ ଖେଳିବାକୁ ସେହି ଚିହ୍ନ ବାହାରକୁ ଯାଇ ମାରିବାକୁ ଚେଷ୍ଟା କରେ ଓ ମିସ୍ କରିଯାଏ, ତାହେଲେ ଉକ୍ତ ବଲ୍କୁ ୱାଇଡ୍ ଦିଆ ଯାଇ ପାରିବନି। କିମ୍ବା ନିଜ ଆଡ଼କୁ ଆସୁଥିବା ବଲ୍କୁ ନଖେଳି ଆଗକୁ ଘୁଞ୍ଚିଗଲେ ତାହାକୁ ମଧ୍ୟ ୱାଇଡ୍ ଦିଆ ଯାଇ ପାରିବନି।’’ ତେଣୁ ଏହି ନିୟମ ଅନୁସାରେ କୋହଲିଙ୍କୁ ପଡ଼ିଥିବା ଉକ୍ତ ବଲ୍ ଆଦୌ ୱାଇଡ୍ ହେବ ନାହିଁ ବୋଲି ଅରୁଣ କହିବା ସହ ଅମ୍ପାୟାର ରିଚାର୍ଡଙ୍କୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି।
କ’ଣ ରହିଛି ୱାଇଡ୍ ନିୟମ?
ମେରିଲିବୋନ୍ କ୍ରିକେଟ୍ କ୍ଲବ୍ (ଏମ୍ସିସି) ପକ୍ଷରୁ ରହିଥିବା ୱାଇଡ୍ ନିୟମ ୨୨.୧.୧ ଅନୁସାରେ ଯଦି ବୋଲର ବଲ୍ ପକାନ୍ତି (ନୋ ବଲ୍ ହୋଇ ନଥିବ) ଏବଂ ତାହା ବ୍ୟାଟର୍ ଛିଡ଼ା ହୋଇଥିବା ସ୍ଥାନଠୁ ଦୂରରେ ଯାଇଥାଏ କିମ୍ବା ବଲ୍ ଆସିବା ବେଳକୁ ଯେଉଁଠାରେ ସେ ସ୍ବଭାବିକ ଭଙ୍ଗୀରେ ଛିଡ଼ା ହୋଇଥିବେ, ସେହି ସମୟରେ ଯଦି ବଲ୍ ବ୍ୟାଟର୍ଙ୍କଠୁ ଦୂରରେ ଚାଲିଯାଇଥାଏ, ତାହେଲେ ଏହାକୁ ଅମ୍ପାୟାର ୱାଇଡ୍ ବଲ୍ ଘୋଷଣା କରିବେ। ସେହିପରି ନିୟମ ୨୨.୪ରେ କାହାକୁ ୱାଇଡ୍ ଘୋଷଣା କରାଯିବ ନାହିଁ ବୋଲି ଅନ୍ୟ ଏକ ନିୟମାବଳୀ ରହିଛି। ଯଦି ବ୍ୟାଟର୍ ବଲ୍କୁ ୱାଇଡ୍ ହେବା ପାଇଁ ଘୁଞ୍ଚିବାକୁ ଚେଷ୍ଟା କରନ୍ତି କିମ୍ବା ଦୂରରେ ବଲ୍ ଯାଉଥିଲେ ତାହାକୁ ସଟ୍ ମାରିବାକୁ ତାହାର ନିକଟତର ହୁଅନ୍ତି, ସେକ୍ଷେତ୍ରରେ ଏହାକୁ ୱାଇଡ୍ ଘୋଷଣା କରାଯାଇ ପାରିବ ନାହିଁ। ଏକ୍ଷେତ୍ରରେ ବ୍ୟାଟର୍ ଘୁଞ୍ଚିବାକୁ ଚେଷ୍ଟା କଲେ ମଧ୍ୟ ଯଦି ମୁଖ୍ୟ ଅମ୍ପାୟାର ହୃଦ୍ବୋଧ କରିବେ ଯେ, ବଲ୍ ଯଥେଷ୍ଟ ଦୂରରେ ଯାଉଛି, ତାହେଲେ ଉକ୍ତ ବଲ୍କୁ ୱାଇଡ୍ ଘୋଷଣା କରିପାରିବେ। କିନ୍ତୁ କୋହଲିଙ୍କୁ ପଡ଼ିଥିବା ବଲ୍ ସିଧାସଳଖ ତାଙ୍କ ପ୍ୟାଡ୍ରେ ବାଜିବାକୁ ଯାଉଥିଲା ଏବଂ ସେ ଆଗକୁ ଘୁଞ୍ଚିଯିବାରୁ ବଲ୍ ୱିକେଟରକ୍ଷକଙ୍କ ହାତକୁ ଚାଲିଯାଇଥିଲା। ତେଣୁ ବଲ୍ କୋହଲିଙ୍କଠୁ ଦୂରରେ ଯାଉ ନଥିବା ସ୍ପଷ୍ଟ ଜଣା ପଡ଼ୁଥିବାରୁ ଅମ୍ପାୟାର ରିଚାର୍ଡ ତାହାକୁ ୱାଇଡ୍ ଦେଇ ନଥିଲେ।