ଚର୍ଚାରେ କୋହଲିଙ୍କ ଯୁଗଳ ଫଟୋ, ଆନ୍ତର୍ଜାତିକ କ୍ରିକେଟ୍‌ରେ ୧୨ ବର୍ଷ: ୧୦୦୦ତମ ପୋଷ୍ଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଆନ୍ତର୍ଜାତିକ କ୍ରିକେଟ୍‌କୁ ଆସିବା ଏବେ ଏବେ ଭଳି ଲାଗୁଛି। ଲମ୍ବା ସମୟ ଜଣାପଡ଼ୁନି। ହେଲେ କୋହଲିଙ୍କ ଆନ୍ତର୍ଜାତିକ କ୍ରିକେଟ୍‌କୁ ଆସନ୍ତା ମାସରେ ୧୨ ବର୍ଷ ପୂରିଯିବ। ଅଗଷ୍ଟ ମାସ ୧୮ ତାରିଖରେ ୧୨ ବର୍ଷର ଯାତ୍ରା ପୂର୍ଣ୍ଣ ହେବାକୁ ଯାଉଥିଲା ବେଳେ ନିଜେ କୋହଲି ଗୁରୁବାର ଦୁଇଟି ମଜାଳିଆ ଫଟୋ ପୋଷ୍ଟ୍‌ କରି ତାଙ୍କ ପ୍ରଶଂସକ ଏବଂ ଶୁଭେଚ୍ଛୁଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଏହି ପୋଷ୍ଟ୍‌ରେ ଦୁଇ ଜଣ କୋହଲିଙ୍କୁ ଦେଖିବାକୁ ମିଳିଛି। ଜଣେ ଅଳ୍ପ ବୟସ୍କ କୋହଲି ଏବର କୋହଲିଙ୍କ ସହ ମୁହାଁମୁହିଁ ଅଛନ୍ତି। ଫଟୋଟିକୁ ଦେଖି ଭାରତୀୟ ଦଳର ପୂର୍ବତନ ସ୍ପିନର ହରଭଜନ ସିଂହ କୋହଲିଙ୍କୁ ଶୁଭେଚ୍ଛା ଜଣାଇ ଆଉ ୧୦ ବର୍ଷ ଆନ୍ତର୍ଜାତିକ କ୍ରିକେଟ୍‌ରେ ସଫଳତାର ଶିଡ଼ି ଚଢ଼ିଚାଲ ବୋଲି କହିଛନ୍ତି।

୨୦୦୮ ଅଗଷ୍ଟରେ ଆନ୍ତର୍ଜାତିକ କ୍ରିକେଟ୍‌ରେ ପଦାର୍ପଣ କରିଥିଲେ କୋହଲି। ଏହା ପୂର୍ବରୁ ସେ ୧୯ ବର୍ଷରୁ କମ୍‌ ବିଶ୍ବକପ୍‌ ବିଜେତା ଭାରତୀୟ ଦଳର ଅଧିନାୟକ ଭାବେ ଚର୍ଚ୍ଚିତ ଥିଲେ। ୨୦୦୮ ଅଗଷ୍ଟ ୧୮ ତାରିଖରେ ଡାମ୍ବୁଲାରେ ଶ୍ରୀଲଙ୍କା ବିପକ୍ଷରେ ପାଳି ଆରମ୍ଭ କରି ସେ ଭାରତୀୟ କ୍ରିକେଟ୍‌ରେ ଆଉ ଏକ ଜାଜ୍ଜୁଲ୍ୟମାନ ଅଧ୍ୟାୟର ଅୟମାରମ୍ଭ କରିଥିଲେ। ଏବେ ୧୨ ବର୍ଷ ପୂରଣ କରିବାକୁ ଯାଉଥିଲା ବେଳେ ଗୁରୁବାର କୋହଲି ସାମାଜିକ ଗଣମାଧ୍ୟମକୁ ବ୍ୟବହାର କରି ଦୁଇଟି କୌତୁକିଆ ଫ‌ଟୋ ସେୟାର କରିଛନ୍ତି। ପୁଣି ଫଟୋଗୁଡ଼ିକୁ ଏଡିଟିଂ କରି ଯୋଡ଼ିବାରେ ଦକ୍ଷତା ରଖୁଥିବା କୋହଲି ନିଜର ଦୁଇଟି ଫଟୋ (ଗୋଟିଏ ୨୦୦୮ ବେଳର ଏବଂ ଅନ୍ୟଟି ୨୦୨୦ର) ପୋଷ୍ଟ କରିଛନ୍ତି। ମୋତେ ଏତେ ବର୍ଷ ଧରି ଭଲପାଇବା ଏବଂ ଦୃଢ଼ ସମର୍ଥନ ଦେଇ ଆସୁଥିବାରୁ ତୁମମାନଙ୍କ ନିକଟରେ ମୁଁ କୃତଜ୍ଞ ବୋଲି ଇନ୍‌ଷ୍ଟାଗ୍ରାମ୍‌ରେ ନିଜର ୧୦୦୦ତମ ପୋଷ୍ଟ ସେୟାର କରିବା ବେଳେ ପ୍ରଶଂସକ ଓ ଶୁଭେଚ୍ଛୁଙ୍କ ଉଦ୍ଦେଶ୍ୟରେ ବାର୍ତା ଛାଡ଼ିଛନ୍ତି କୋହଲି। ଏହି ପୋଷ୍ଟକୁ ଭାରତୀୟ ଅଫ୍‌ସ୍ପିନର ଏବଂ ବିଶ୍ବକପ୍‌ ବିଜେତା ହରଭଜନ ସିଂହ ସମର୍ଥନ କରିଛନ୍ତି। ତୁମେ ଆଉ ୧୦ ବର୍ଷ ଆନ୍ତର୍ଜାତିକ କ୍ରିକେଟ୍‌ରେ ରାଜୁତି କର ବୋଲି କୋହଲିଙ୍କୁ ଶୁଭେଚ୍ଛା ଜଣାଇ ଭଜି କହିଛନ୍ତି। ୨୦୩୦ ପର୍ଯ୍ୟନ୍ତ ଏହାକୁ ଆଗେଇନିଅ ବୋଲି ସେ ଲେଖିଛନ୍ତି।

ସେହିପରି କୋହଲିଙ୍କ ନେତୃତ୍ବାଧୀନ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର (ଆର୍‌ସିବି) ସହିତ କେତେକ ଅନ୍ତରଙ୍ଗ ମୁହୂର୍ତ୍ତ ବିତାଇଥିବା ଅଭିନେତା ତଥା କ୍ରୀଡ଼ା ଉପସ୍ଥାପକ ଦାନିସ ସୈତ୍‌ ଏହି ଦୁଇଟି ଫଟୋ ଉପରେ କୌତୁକିଆ ମନ୍ତବ୍ୟ ଦେଇଛନ୍ତି। ”ଓ ମ୍ୟାନ୍‌, ମୁଁ ଭାବୁଛି ଏହା ବୋଧେ ଗତରାତିର ପାନୀୟ ଥିଲା। ଠିକ୍‌, ଏହା ଦୁଇଟି ବିରାଟ!” ବୋଲି ସୈତ୍‌ ଲେଖିଛନ୍ତି।

କୋହଲି ଏବେ ସୁଦ୍ଧା ୨୪୮ ଦିନିକିଆ, ୮୬ ଟେଷ୍ଟ୍ ଏବଂ ୮୨ ଟ୍ବେଣ୍ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ସାରିଲେଣି। ପୁଣି ନିଜ ନାମରେ ୭୦ ଆନ୍ତର୍ଜାତିକ ଶତକ ରଖି ବ୍ୟାଟିଂ କିଂବଦନ୍ତି ସଚିନ୍‌ ତେନ୍ଦୁଲକର (୧୦୦)ଙ୍କଠାରୁ ପଛରେ ରହିଛନ୍ତି। ବର୍ଷ ବର୍ଷ ଧରି ସେ ଭାରତୀୟ ବ୍ୟାଟିଂ ୟୁନିଟ୍‌ର ମେରୁଦଣ୍ଡ ହୋଇ ରହିଛନ୍ତି। ଏପରିକି କ୍ରିକେଟ୍‌ର ତିନିଟିଯାକ ଫର୍ମାଟ୍‌ (ଟେଷ୍ଟ୍‌, ଦିନିକିଆ ଓ ଟ୍ବେଣ୍ଟି-୨୦)ରେ ୫୦ରୁ ଅଧିକ ହାରାହାରି ରଖିବାରେ କୋହଲି ପ୍ରଥମ ଓ ଏକମାତ୍ର ରହିଛନ୍ତି। ତେବେ ସମାନ ଆଭିମୁଖ୍ୟ ଓ ସାମର୍ଥ୍ୟ ନେଇ ମୁଁ ଆହୁରି ୨-୩ ବର୍ଷ ଆନ୍ତର୍ଜାତିକ କ୍ରିକେଟ୍‌ରେ ଖେଳିବା ଜାରି ରଖିପାରିବି ଏବଂ ୪-୫ ବର୍ଷ ପରେ ହୁଏତ ଶକ୍ତି ଓ ସାମର୍ଥ୍ୟ ଫିକା ପଡ଼ିପାରେ ‌ବୋଲି ଅନୁମାନ କରିଛନ୍ତି କୋହଲି। ଏଭଳି ସମୟ ଆସିବ ‌ଯେତେବେଳେ ଶରୀର ମୋତେ ଅନୁମତି ଦେବନି, ସେତେବେଳେ ବିକଳ୍ପ ଚିନ୍ତା କରିବାକୁ ବାଧ୍ୟ ହେବି। ତଥାପି ଏହି ସମୟ ମୋତେ ୩୪ କିମ୍ବା ୩୫ ବର୍ଷ ହେଲା ବେଳକୁ ଆସିପାରେ ବୋଲି ସେ ଭାବୁଥିବା କଥା କହିଛନ୍ତି କୋହଲି। ତେଣୁ ଆଗାମୀ ଦୁଇ ତିନି ବର୍ଷ ମୋର କୌଣସି ସମସ୍ୟା ନାହିଁ ବୋଲି କୋହଲି ଦୃଢ଼ତାର ସହ କହିଛନ୍ତି।

ସମ୍ବନ୍ଧିତ ଖବର