ମୋହାଲି: ବିରାଟ କୋହଲି ଏବଂ ଫାପ୍ ଡୁ ପ୍ଲେସିସ୍ଙ୍କ ଶତକୀୟ ଭାଗୀଦାରି ପରେ ମହମ୍ମଦ ସିରାଜଙ୍କ ୪ ୱିକେଟ୍ ବିସ୍ଫୋରଣ ଯୋଗୁ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ (ଆର୍ସିବି) ଗୁରୁବାର ୨୪ ରନ୍ରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି। ଏଥି ସହିତ ଆର୍ସିବି ଷଷ୍ଠ ମ୍ୟାଚ୍ରୁ ତୃତୀୟ ବିଜୟ ପାଇଛି। ପଞ୍ଜାବ କିଙ୍ଗ୍ସ ସମାନ ଷଷ୍ଠ ମ୍ୟାଚ୍ ଖେଳି ତୃତୀୟ ପରାଜୟ ବରଣ କରିଛି। ଚମତ୍କାର ବୋଲିଂ ପାଇଁ ମହମ୍ମଦ ସିରାଜ (୪-୦-୨୧-୪) ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି।
ଗୁରୁବାର ଅପରାହ୍ଣରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଟସ୍ ହାରି ପ୍ରଥମେ ବ୍ୟାଟିଂ ପାଇଥିବା ଆର୍ସିବି ପକ୍ଷରୁ ବିରାଟ କୋହଲି ଏବଂ ଫାପ୍ ଡୁ ପ୍ଲେସିସ ପ୍ରଥମ ୱିକେଟ୍ ପାଇଁ ୧୬ ଓଭରରେ ୧୩୭ ରନ୍ ଉଠାଇଥିଲେ। ଡୁ ପ୍ଲେସିସ୍ ୩୧ ବଲ୍ରୁ ଏବଂ କୋହଲି ୪୦ ବଲ୍ରୁ ଅର୍ଦ୍ଧଶତକ ପୂର୍ଣ୍ଣ କରିଥିଲେ। ସପ୍ତଦଶ ଓଭର ପ୍ରଥମ ଦୁଇ ବଲ୍ରେ କୋହଲି (୪୭ ବଲ୍ରୁ ୫୯) ଏବଂ ଗ୍ଲେନ୍ ମ୍ୟାକ୍ସୱେଲଙ୍କୁ ହରପ୍ରୀତ୍ ବ୍ରାର୍ ଆଉଟ୍ କରି ଆର୍ସିବିର ରନ୍ ହାରକୁ ନିୟନ୍ତ୍ରଣକୁ ଆଣିଥିଲେ। ପରବର୍ତୀ ଓଭରରେ ଡୁ ପ୍ଲେସିସ (୫୬ ବଲ୍ରୁ ୮୪) ମଧ୍ୟ ଏଲିସଙ୍କ ଶିକାର ହୋଇ ଫେରିଯାଇଥିଲେ। ଅନ୍ୟ କୌଣସି ଖେଳାଳି ଦୁଇ ଅଙ୍କ ଛୁଇଁ ପାରିନଥିଲେ। ଶେଷ ୪ ଓଭରରେ ୪ ୱିକେଟ୍ ହରାଇ ଆର୍ସିବି ମାତ୍ର ୩୭ ରନ୍ ଯୋଡ଼ି ପାରିଥିଲା। ରାହୁଲ ଚହର ମିତବ୍ୟୟୀ ବୋଲିଂ କରିଥିଲେ।
ଜବାବରେ ପଞ୍ଜାବ କିନ୍ତୁ ପାୱାର ପ୍ଲେ ଭିତରେ ୪ ୱିକେଟ୍ ହରାଇ ଦେବାରୁ ପଶ୍ଚାତଧାବନ ସମସ୍ୟାରେ ପଡ଼ିଥିଲା। ଅର୍ଥବ ଟାଇଡ, ମାଥ୍ୟୁ ସର୍ଟ, ଲିଆମ ଲିଭିଙ୍ଗଷ୍ଟୋନ୍, ହରପ୍ରୀତ୍ ସିଂହ ଭାଟିଆ ଏହି ସମୟରେ ଆଉଟ୍ ହୋଇଯିବା ଘରୋଇ ଦଳକୁ ଦିଗହରା କରିଦେଇଥିଲା।
ଅଧିନାୟକ ସାମ କରନ୍ ମଧ୍ୟ ବିଶେଷ କିଛି କରିପାରିନଥିଲେ। ବିପର୍ଯ୍ୟୟ ସତ୍ତ୍ବେ ପ୍ରାରମ୍ଭିକ ବ୍ୟାଟର୍ ପ୍ରଭସିମ୍ରନ ସିଂହ ପ୍ରତିଆକ୍ରମଣ ଜାରି ରଖି ୩୦ ବଲ୍ରୁ ୪୬ ରନ୍ କରିଥିଲେ। ୧୦୬ ରନ୍ରେ ୭ ୱିକେଟ୍ ହରାଇ ଦେବା ପରେ ପଞ୍ଜାବ ପାଇଁ ଶେଷ ଆଶା ଥିଲେ ୱିକେଟ୍ରକ୍ଷକ ବ୍ୟାଟର୍ ଜିତେଶ ଶର୍ମା। ୨୭ ବଲ୍ରୁ ୪୧ ରନ୍ ପାଳି ଖେଳିଥିଲେ ମଧ୍ୟ ଦଳକୁ ବିଜୟ ପର୍ଯ୍ୟନ୍ତ ନେଇପାରିନଥିଲେ। ଶୀର୍ଷକ୍ରମରେ ହରପ୍ରୀତ୍ ଭାଟିଆ ଓ ସାମ କରନ୍ଙ୍କ ରନ୍ ଆଉଟ୍ ମଧ୍ୟ ପଞ୍ଜାବକୁ ପ୍ରତ୍ୟାବର୍ତନ ସୁଯୋଗ ଦେଇନଥିଲା। ମହମ୍ମଦ ସିରାଜ ପ୍ରଥମ ସ୍ପେଲ୍ରେ ୨ଟି ଏବଂ ଶେଷ ସ୍ପେଲ୍ରେ ୨ଟି ୱିକେଟ୍ ନେଇ ପଞ୍ଜାବର ବାଟ ଓଗାଳିଥିଲେ। ୱାନିନ୍ଦୁ ହସରଙ୍ଗା, ୱେନ୍ ପାର୍ଣ୍ଣେଲ, ହର୍ଷଲ ପଟେଲ୍ ମଧ୍ୟ ସିରାଜଙ୍କ ସହ ତାଳ ଦେଇ ମିଳିତ ଭାବେ ୪ ୱିକେଟ୍ ଦଖଲ କରି ନେଇଥିଲେ।
ପ୍ରଥମ ପାଳି ଶେଷ ହେବା ମାତ୍ରେ ପଞ୍ଜାବ କିଙ୍ଗ୍ସ ରାହୁଲ ଚହରଙ୍କ ବଦଳରେ ବ୍ୟାଟର୍ର ପ୍ରଭସିମ୍ରନ ସିଂହଙ୍କୁ ଇମ୍ପାକ୍ଟ ଖେଳାଳି ଭାବେ ଖେଳାଇଥିଲା। ସେହିଭଳି ଆର୍ସିବି ମଧ୍ୟ ଫାପ୍ ଡୁ ପ୍ଲେସିସ୍ଙ୍କ ବଦଳରେ ବିଜୟ କୁମାର ବୈଶାକଙ୍କୁ ଖେଳାଇଥିଲା। ବିରାଟ କୋହଲି ମଧ୍ୟ ଏହି ମ୍ୟାଚ୍ରେ ଦଳକୁ ତାଙ୍କ ଉତ୍ସାହଭରା ନେତୃତ୍ବ ଦେଇଥିଲେ।