ନୂଆଦିଲ୍ଲୀ: ଟ୍ବେଣ୍ଟି-୨୦ର ଅଭ୍ୟୁଦୟ ସହ କ୍ରିକେଟ୍ରେ ନୂଆ ନୂଆ ସଟ୍ର ମଧ୍ୟ ଆବିଷ୍କାର ହୋଇଛି। ଆଜିକାଲି ‘ଦିଲ୍ ସ୍କୁପ୍’, ରିଭର୍ସ ସ୍କୁପ୍, ସ୍ବିଚ୍ ସଟ୍, ‘ହେଲିକପ୍ଟର ସଟ୍’ ଭଳି ନିଆରା ଓ ଅଭିନବ ସଟ୍ ଖେଳି ବ୍ୟାଟର୍ମାନେ ଅଧିକରୁ ଅଧିକ ରନ୍ ଅମଳ କରିବାକୁ ଚେଷ୍ଟା କରୁଛନ୍ତି। ହେଲେ ଦିଲ୍ଲୀରେ ଲୋକପ୍ରିୟ ‘ଗଲି କ୍ରିକେଟ୍’ରେ ଲାପା ସଟ୍ ନାମରେ ଏକ ସଟ୍ ଖେଳାଯାଇଥାଏ। ଏହି ‘ଲାପା ସଟ୍’ କ’ଣ ଏବଂ ଏହାକୁ କିଏ ଏବଂ କାହିଁକି ଖେଳିଥା’ନ୍ତି? ସେ ବିଷୟରେ ବିସ୍ତୃତ ସୂଚନା ଦେଇଛନ୍ତି ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ବିଶ୍ବ କ୍ରିକେଟ୍ର ସବୁଠାରୁ ଚର୍ଚ୍ଚିତ ନାୟକ ବିରାଟ କୋହଲି। ଦିଲ୍ଲୀର ଗଳିକନ୍ଦିରେ କ୍ରିକେଟ୍ ଖେଳି ବଡ଼ ହୋଇଥିବା କୋହଲି କହିଛନ୍ତି ଯେ ମିଡ୍ ୱିକେଟ୍ ଉପରେ ସ୍ଲଗ୍ ସଟ୍ ଖେଳିବାକୁ ଲାପା କୁହାଯାଏ। ବ୍ୟାଟିଂ ଜାଣି ନଥିବା କିଛି ଅନାଡ଼ି ଖେଳାଳି ସମ୍ଭବତଃ ଏଭଳି ସଟ୍ ଖେଳିଥା’ନ୍ତି।
ସେମାନେ କେବଳ ଗୋଟିଏ ସଟ୍ ଖେଳିବା ଜାଣିଥା’ନ୍ତି, ଆଉ ସେଇଟା ହେଉଛି ଏହି ଲାପା ସଟ୍। ନିଜ ‘ଗଲି କ୍ରିକେଟ୍’ ବେଳ କଥା ମନେ ପକାଇ କୋହଲି କହିଛନ୍ତି ଯେ ଆମେ ଏମିତି କ୍ରିକେଟ୍ ବହୁତ ଖେଳିଛୁ। ଅନେକ କ୍ରିକେଟର୍ ଅଛନ୍ତି, ଯିଏ କେବଳ ଗୋଟିଏ ସଟ୍ ଜାଣିଛନ୍ତି। ତାହା ହେଉଛି ମିଡ୍ ୱିକେଟ୍ ଉପରେ ସ୍ଲଗ୍ କରିବା। ଜଣେ ବ୍ୟାଟ୍ସମ୍ୟାନ୍ ଏଭଳି ଭାବେ ଆଉଟ୍ ହେଲେ ଦଳ ସହ ଆମେ ସମସ୍ତେ ବହୁତ ନିରାଶ ହେଉଥିଲୁ। ସଠିକ୍ କ୍ରିକେଟିଂ ସଟ୍ ଖେଳି ଆଉଟ୍ ହେଲେ ଅବଶ୍ୟ ସେତେଟା ବାଧିନଥାଏ। କୋହଲି ‘ଲାପା ସଟ୍’ ବିଷୟରେ କହୁଥିବା ଏଭଳି ମଜାଦାର କଥାର ଭିଡିଓ ଏକ କ୍ରୀଡ଼ା ସାମଗ୍ରୀ ପ୍ରସ୍ତୁତକାରୀ କଂପାନି ନିଜ ଟ୍ବିଟର ପୃଷ୍ଠାରେ ପ୍ରକାଶ କରିଛି। ଯାହା ଏବେ ଭାଇରାଲ ହେବାରେ ଲାଗିଛି।