ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଏବେ ଲେଗ୍ ସ୍ପିନର୍ଙ୍କ ବିପକ୍ଷରେ ବିଫଳ ହେବାର ସମସ୍ୟା ନଜରକୁ ଆସିଛି। କୋହଲିଙ୍କ ବିଗତ ୪ଟି ଏକଦିବସୀୟ ଆଉଟ୍ରୁ ୩ଟି ଲେଗ୍ ସ୍ପିନର୍ଙ୍କ ଖାତାରେ ପଡ଼ିଛି। ସାଧାରଣତଃ କୋହଲି ଅର୍ଧଶତକ ହାସଲ କରିବା ପରେ ଏହାକୁ ଶତକରେ ପରିଣତ କରିବାରେ ଧୂରଧଂର ଥିଲେ ମଧ୍ୟ ବୁଧବାର ୫୧ ରନ୍ କରିବା ପରେ ନ୍ୟୁଜିଲାଣ୍ଡ୍ ଲେଗ୍ ସ୍ପିନର୍ ଈଶ ସୋଢ଼ିଙ୍କ ଦ୍ବାରା ଆଉଟ୍ ହୋଇଯାଇଥିଲେ। ସୋଢ଼ିଙ୍କ ଗୁଗ୍ଲି କୋହଲିଙ୍କ ବ୍ୟାଟ୍କୁ ପରାସ୍ତ କରି ମଝି ଷ୍ଟମ୍ପ୍ ଶୀର୍ଷ ଛୁଇଁଥିଲା। ଫଳରେ କୋହଲିଙ୍କଠାରୁ ପ୍ରତିଶୋଧ ନେବା ଆଶାୟୀଙ୍କ ମଧ୍ୟରେ ଲେଗ୍ ସ୍ପିନ୍ ଏକ ଅସ୍ତ୍ର ହେବ ବୋଲି ଆଶଙ୍କା କରାଯାଉଛି।
ସୋଢ଼ିଙ୍କ ବିପକ୍ଷରେ କୋହଲିଙ୍କ ପ୍ରଦର୍ଶନ ମଧ୍ୟ ପ୍ରଭାବୀ ରହିନାହିଁ। ଟି-୨୦ ଅନ୍ତର୍ଜାତୀୟରେ ବି ସେ କୋହଲିଙ୍କୁ ଏକାଧିକ ଥର ଆଉଟ୍ କରିଛନ୍ତି। ତାଙ୍କ ବିପକ୍ଷରେ କୋହଲି ୯.୫୦ ହାରରେ ରନ୍ ସଂଗ୍ରହ କରିଛନ୍ତି ଏବଂ ଡଟ୍ ବଲ୍ ପ୍ରତିଶତ ୨୧.୪୩ ରହିଛି। ଧଳାବଲ୍ କ୍ରିକେଟ୍ରେ ମଧ୍ୟ କୋହଲିଙ୍କୁ ଅଷ୍ଟ୍ରେଲୀୟ ଲେଗ୍ ସ୍ପିନର୍ ଆଦାମ ଜାମ୍ପା ବହୁବାର ଅସୁବିଧାରେ ପକାଇଛନ୍ତି। ଦିନିକିଆରେ ସେ କୋହଲିଙ୍କୁ ୭ ଥର ଏବଂ ଟି-୨୦ରେ ୨ ଥର ଆଉଟ୍ କରିଛନ୍ତି। ଜାମ୍ପା ଅନ୍ୟ କୌଣସି ବ୍ୟାଟସମ୍ୟାନ୍ଙ୍କ ବିପକ୍ଷରେ ଏତେ ସଫଳତା ପାଇ ନାହାନ୍ତି। ଜାମ୍ପା କିନ୍ତୁ କହିଛନ୍ତି, ‘ଆମେ ସାଧାରଣତଃ ଦେଖିଥାଉ କୋହଲି ନିଜ ପାଳିର ପ୍ରାରମ୍ଭିକ ଭାଗରେ ଲେଗ୍ ସ୍ପିନ୍ ଖେଳିବାରେ ସମସ୍ୟାରେ ପଡ଼ନ୍ତି’। ଏହି କାରଣରୁ ପ୍ରତିଦ୍ବନ୍ଦ୍ବୀମାନେ ଏବେ କୋହଲିଙ୍କ ବିପକ୍ଷରେ ଲେଗ୍ ସ୍ପିନରଙ୍କୁ ଲଗାଇବା ଏକ ଧାରାରେ ପରିଣତ ହେବାକୁ ଯାଉଛି। କେହି ଜଣେ ପ୍ରଶ୍ନ କରିଛନ୍ତି, କୋହଲି କେବେ ପ୍ରଥମେ ଲେଗ୍ ସ୍ପିନ୍ର ଶିକାର ହୋଇଥିଲେ। ୨୦୦ ଦିନିକିଆ ଏବଂ ୧୧୨ ଟେଷ୍ଟ୍ ପାଳି ପରେ କୋହଲି ଇଂଲଣ୍ଡର ଆଦିଲ ରସିଦ୍ଙ୍କ ଲେଗ୍ସ୍ପିନ୍ରେ ପ୍ରଥମ ଥର କ୍ଲିନ୍ ବୋଲ୍ଡ ହୋଇଥିଲେ। ଲେଗ୍ ଷ୍ଟମ୍ପ୍ରେ ପଡ଼ିଥିବା ବଲ୍ଟି ତାଙ୍କ ଅଫ୍ ଷ୍ଟମ୍ପ୍ ବେଲ୍ ଉଡ଼ାଇଦେବା ପରେ କୋହଲି ନିଜ ଓସାରିଆ ଆଖି ଦୁଇଟିରେ ଏହି ଆଉଟ୍କୁ ଦେଖି ବିଶ୍ବାସ କରିପାରିନଥିଲେ। ଟି-୨୦ ଅନ୍ତର୍ଜାତୀୟରେ କୋହଲି ଡାହାଣହାତୀ କଚଟି ସ୍ପିନରଙ୍କ ବିପକ୍ଷରେ ଦ୍ବିତୀୟ ସର୍ବୋଚ୍ଚ ଡଟ୍ ବଲ୍ ପ୍ରତିଶତରେ ଖେଳିଛନ୍ତି। ୨୦୧୫ ମସିହା ପରଠାରୁ ଟି-୨୦ରେ ସେ ମଧ୍ୟ ଲେଗ୍ ସ୍ପିନରଙ୍କ ବିପକ୍ଷରେ ୨୮.୭୪ ପ୍ରତିଶତ ଡଟ୍ ବଲ୍ ଖେଳିଛନ୍ତି। ଦିନିକିଆରେ କୋହଲି ଲେଗ୍ ସ୍ପିନରଙ୍କ ବିପକ୍ଷରେ ୧୭ ଥର ଆଉଟ୍ ହୋଇ ମୋଟ ୧୮୫ ରନ୍ କରିଛନ୍ତି। ତଥାପି କୋହଲି ଲେଗ୍ ସ୍ପିନରଙ୍କ ବିପକ୍ଷରେ ପ୍ରତିଆକ୍ରମଣ କରିବାରେ ମଧ୍ୟ ଓସ୍ତାଦ୍। ଲେଗିଙ୍କ ବିପକ୍ଷରେ ସେ ଦ୍ବିତୀୟ ଶ୍ରେଷ୍ଠ ଷ୍ଟ୍ରାଇକ୍ ରେଟ୍ (୧୩୮.୩୨) ଏବଂ ୪୬.୨୦ ହାରାହାରିରେ ରନ୍ ସଂଗ୍ରହ କରିଛନ୍ତି।
ସମସ୍ୟା କେଉଁଠି?
ମୌଳିକତାରୁ ଦେଖାଯାଉ, କୋହଲି କିଭଳି ସ୍ପିନରଙ୍କୁ ଖେଳନ୍ତି? ସାଧାରଣତଃ ସ୍ପିନରଙ୍କ ବିପକ୍ଷରେ କୋହଲି ଲେଗ୍ସାଇଡ୍ରେ ଖେଳନ୍ତି। କ୍ବଚିତ୍ ପଛକୁ ଯାଇ ଲେଗ୍ ସାଇଡ୍କୁ ବଲ୍କୁ ପଠାଇ ଦିଅନ୍ତି। ଏ କ୍ଷେତ୍ରରେ କୋହଲିଙ୍କୁ ଏକାଗ୍ରତା ଆଣିବାକୁ ପଡ଼ିବ। ନିଜକୁ ଠିକଣା ଜାଗାରେ ରଖିବା ପରେ ସଟ୍ ଖେଳିବା ତାଙ୍କ ପାଇଁ ଶ୍ରେୟସ୍କର। ବ୍ୟାଟ୍କୁ ଆଗକୁ ବଢ଼ାଇ ଖେଳିବାକୁ ଚେଷ୍ଟା କରୁଥିବାରୁ ଲାଇନ୍ ମିସ୍ କରିବାର ଆଶଙ୍କା ବି ଆସିଥାଏ। ବୁଧବାରର ଆଉଟ୍ ସମ୍ପର୍କରେ କିଂବଦନ୍ତି ବ୍ୟାଟସମ୍ୟାନ୍ ସୁନିଲ ଗାଭାସ୍କର କହିଛନ୍ତି, ‘ବୋଲରଙ୍କ ହାତରୁ ହିଁ ଜଣେ ବ୍ୟାଟ୍ସମ୍ୟାନ ବଲ୍କୁ ପଢ଼ିନେବା କଥା। ସୋଢ଼ିଙ୍କ ବଲ୍କୁ କୋହଲି ଲେଗ୍ ବ୍ରେକ୍ ଭାବି ନେଇଥିଲେ ମଧ୍ୟ ଏହା ଗୁଗୁଲି ଥିଲା। କୋହଲି ଏହାକୁ ବୁଝିବା ବେଳକୁ ବିଳମ୍ବ ହୋଇ ସାରିଥିଲା। କୋହଲିଙ୍କୁ ଏହି ଦୁର୍ବଳତା ସମ୍ପର୍କରେ ଜଣାଇଦେବା ଉଚିତ୍, ଲେଗ୍ ସ୍ପିନରଙ୍କ ବିପକ୍ଷରେ ନିଜ ଫୁଟ୍ୱାର୍କକୁ ଠିକ୍ କରିଦେବା ଆବଶ୍ୟକ। ନୂଆ ସମସ୍ୟାକୁ ହାତେଇବାରେ କୋହଲି ବିଶ୍ବର ଅନ୍ୟ ସମସ୍ତ ବ୍ୟାଟ୍ସମ୍ୟାନଙ୍କ ତୁଳନାରେ ବେଶ ଦକ୍ଷ। ନିଜ ଖେଳ ଜୀବନରେ କୋହଲି ଏହାକୁ ପ୍ରମାଣିତ କରି ସାରିଛନ୍ତି। ତାଙ୍କ ଷ୍ଟାନ୍ସରେ କିଛି ସମସ୍ୟା ନାହିଁ, ବର୍ତମାନ ପାଇଁ ଏହା ଏକ ଛୋଟିଆ ଗବାକ୍ଷ ଭଳି, ସମ୍ଭବତଃ ଅଧିକ ଦିନ ରହିବ ନାହିଁ।