ଜନ୍ମଦିନ ବିଶେଷ: କେବଳ ଦିଲ୍ଲୀରେ ନୁହେଁ, ମଧ୍ୟପ୍ରଦେଶର କଟନୀର ଲୋକେ ମଧ୍ୟ କୋହଲିଙ୍କୁ ନେଇ ଗର୍ବିତ 

ନୂଆଦିଲ୍ଲୀ: ସମସ୍ତେ କୁହନ୍ତି ଟିମ୍‌ ଇଣ୍ଡିଆର କ୍ୟାପ୍‌ଟେନ୍‌ ଦିଲ୍ଲୀର ପୁଅ। କିନ୍ତୁ ଅନେକ କ୍ରିକେଟ ପ୍ରେମି ବୋଧେ ଜାଣି ନଥିବେ ଯେ, କୋହଲିଙ୍କ ପରିବାର ମଧ୍ୟପ୍ରଦେଶର କଟନୀରୁ ଆସି ଦିଲ୍ଲୀରେ ବସତି ସ୍ଥାପନ କରିଛନ୍ତି। ଏଇଥି ପାଇଁ କଟନୀ ଅଞ୍ଚଳର ଲୋକେ ମଧ୍ୟ ବିରାଟ କୋହଲିଙ୍କୁ ନେଇ ଗର୍ବ ଅନୁଭବ କରନ୍ତି। କୋହଲି ମଧ୍ୟ କଟନୀରେ ରହୁଥିବା ତାଙ୍କର ଦାଦା, ଖୁଡ଼ି ଓ ଅନ୍ୟ ପରିବାରଙ୍କ ସହିତ ସମ୍ପର୍କରେ ଅଛନ୍ତି। ଭାରତ-ପାକିସ୍ତାନ ବିଭାଜନ ବେଳେ କୋହଲିଙ୍କ ପରିବାର କଟନୀରେ ବସତି ସ୍ଥାପନ କରିଥିଲେ। ପରେ କୋହଲିଙ୍କ ପିତା ପ୍ରେମ କୋହଲି ୧୯୬୧ରେ ଦିଲ୍ଲୀରେ ଆସି ବସତି ସ୍ଥାପନ କରିଥିଲେ।

ମାତ୍ର ୯ ବର୍ଷର ଅନ୍ତର୍ଜାତୀୟ କ୍ୟାରିୟର ଭିତରେ କ୍ରିକେଟ ଜଗତରେ ଲୋକପ୍ରିୟ ହୋଇପାରଇଛନ୍ତି ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି। ବର୍ଷ ୧୯୮୮ ନଭେମ୍ବର ୫ରେ ଦିଲ୍ଲୀର ଏକ ମଧ୍ୟମ ଧରଣର ପରିବାରରେ ଜନ୍ମଲାଭ କରିଥିବା କୋହଲି ରବିବାର ୨୯ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏହାରି ଭିତରେ ବିରାଟ ଦେଶ ପାଇଁ ଉତ୍ସର୍ଗୀକୃତ ମନୋଭାବ ନେଇ ଖେଳି ଚାଲିଛନ୍ତି। ଇଣ୍ଟରନ୍ୟାସନାଲ କ୍ରିକେଟରେ କୋହଲି ଗୋଟିଏ ପରେ ଗୋଟିଏ ରେକର୍ଡ ସ୍ଥାପନା କରି ଚାଲିଥିଲେ ମଧ୍ୟ ତାଙ୍କର ଇଚ୍ଛା ଆହୁରି ଅନେକ ରହିଛି। ଅନ୍ତର୍ଜାତୀୟ କ୍ରିକେଟରେ ସେ ୧୫,୬୩୧ ରନ୍‌ ପୂର୍ଣ୍ଣ କରିସାରିଛନ୍ତି। ଏଥିରେ ୪୯ଟି ଶତକ, ୪ଟ ଦ୍ୱିଶତକ ଓ ୭୭ଟି ଅର୍ଦ୍ଧଶତକ ସାମିଲ ଅଛି।

ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଟିମ୍‌ ୨୦୦୮ରେ ୧୯ ବର୍ଷରୁ କମ୍‌ ବିଶ୍ୱ କପ୍‌ ବିଜୟୀ ହୋଇଥିଲା। ୨୦୦୮ ଅଗଷ୍ଟ ୧୮ରେ କୋହଲି ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ। ସେ ୨୦୧୧ ବିଶ୍ୱ କପ ଖେଲି ବାଂଲାଦେଶ ବିପକ୍ଷରେ ପ୍ରଥମ ଶତକ ହାସଲ କରିଥିଲେ। ଏହା ପରେ କୋହଲି ଗୋଟିଏ ପରେ ଗୋଟି ରେକର୍ଡର ଅଧିକାରୀ ହୋଇ ପାରଛନ୍ତି। ଆଗାମୀ ଦିନ ପାଇଁ ମଧ୍ୟ ସେ ଅନେକ ସ୍ୱପ୍ନ ଦେଖିଛନ୍ତି। 

ଟେଷ୍ଟମ୍ୟାଚ:୬୦, ରନ୍‌: ୪୬୫୮, ସର୍ବାଧିକ: ୨୩୫, ଶତକ:୧୭, ଦ୍ୱି-ଶତକ: ୪, ଅର୍ଦ୍ଧଶତକ: ୧୪, ଚୌକା: ୫୨୬, ଛକା: ୧୩

ଦିନିକିଆ: ୨୦୨, ରନ୍‌: ୯୦୩୦, ସର୍ବାଧିକ: ୧୮୩, ଶତକ: ୩୨, ଅର୍ଦ୍ଧଶତକ: ୪୫, ଚୌକା: ୮୩୯, ଛକା: ୯୯

ଟି-୨୦: ୫୪, ରନ୍‌: ୧୯୪୩, ସର୍ବାଧିକ: ୯୦, ଶତକ:୦, ଅର୍ଦ୍ଧଶତକ: ୧୮: ଚୌକା: ୨୦୭, ଛକା: ୩୯

ଦିଲ୍ଲୀର ବିଶାଳ ଭାରତୀ ପବ୍ଲିକ ସ୍କୁଲ ଓ ସୋଭିୟର କନଭେଣ୍ଟ ସ୍କୁଲର ଛାତ୍ର କୋହଲି ପିଲାଟି ଦିନରୁ କ୍ରିକେଟ ପ୍ରତି ଆକର୍ଷିତ ଥିଲେ। କୋହଲିଙ୍କ ଇଚ୍ଛା ପୂରଣ କରିବାକୁ ପିତା ଏକ ସ୍କୁଟିରେ ନେଇ ଦିଲ୍ଲୀ କ୍ରିକେଟ ଏକାଡେମୀରେ ଛାଡୁଥିଲେ। ସେତେବେଳକୁ କୋହଲିଙ୍କ ବୟସ ମାତ୍ର ୯ ବର୍ଷ ଥିଲା। ରାଜକୁମାର ଶର୍ମାଙ୍କ ତତ୍ୱାବଧାନରେ ସେ ପ୍ରଶିକ୍ଷଣ ନେଇଥିଲେ। ଦ୍ୱାଦଶ ଶ୍ରେଣୀ ପଢ଼ିଥିଲେ ମଧ୍ୟ କୋହଲି ଇଂରାଜୀରେ ପାରଙ୍ଗମ। ସବୁଠାରୁ ବଡ଼ କଥା ହେଲା ଯେ, କୋହଲି ଜଣେ ଜିଜ୍ଞାସୁ ପୁରୁଷ। ଯେଉଁ କାମ କରିବାକୁ ସଂକଳ୍ପ ନିଅନ୍ତି, ତାହା ପୂରା ନ ହେବା ପର୍ଯ୍ୟନ୍ତ ଓହରନ୍ତି ନାହିଁ।

 

ସମ୍ବନ୍ଧିତ ଖବର