କୋହଲିଙ୍କ ବିରାଟ ପ୍ରଶଂସକ କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ମସିହାଖାଲିର ୩୧ବର୍ଷୀୟ ଯୁବକ ପିଣ୍ଟୁ

ବ୍ରହ୍ମପୁର, କୁକୁଡ଼ାଖଣ୍ଡି : କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ମସିହାଖାଲିର ୩୧ବର୍ଷୀୟ ଯୁବକ ପିଣ୍ଟୁ ଏବେ ସାରା ବିଶ୍ବରେ ଚର୍ଚ୍ଚିତ ଚେହେରା ପାଲଟିଯାଇଛନ୍ତି। ଭାରତୀୟ ପୁରୁଷ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲିଙ୍କ ବିରାଟ ପ୍ରଶଂସକ (ଫ୍ୟାନ୍‌) ଭାବେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଛାତି, ପେଟ, ପିଠି, ବାହୁ ଏମିତି କି ଶରୀରର ବିଭିନ୍ନ ସ୍ଥାନରେ ପିଣ୍ଟୁ ମୋଟ ୧୬ଟି ଟାଟୁ ଆଙ୍କିଛନ୍ତି। ପ୍ରତିଟି ଟାଟୁ ବିରାଟଙ୍କ ସହ ସମ୍ପର୍କିତ। ଏଥିରେ ରହିଛି ବିରାଟଙ୍କ ନାମ, ତାଙ୍କ ଜର୍ସି ନମ୍ବର, ୨୦୦୮ରେ ବିରାଟଙ୍କ ଅଧିନାୟକତ୍ବରେ ଭାରତ ଜିତିଥିବା ୧୯ବର୍ଷରୁ କମ୍‌ ବିଶ୍ବକପ୍‌, ୨୦୧୩ରେ ଅର୍ଜୁନ ପୁରସ୍କାର, ୨୦୧୭ରେ ପଦ୍ମଶ୍ରୀ ପୁରସ୍କାର, ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକରଙ୍କୁ ବ୍ୟାଟ୍‌ ଧରି ସମ୍ମାନ ଜଣାଇବା ଭଳି କେତେକ ସ୍ମରଣୀୟ ମୁହୂର୍ତ୍ତର ଟାଟୁ। ଯାହାକୁ ଦେଖି ନିଜେ ବିରାଟ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ ପ୍ରଶଂସା କରିଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ମ୍ୟାଚ୍‌ ଖେଳିବା ପାଇଁ ଭାରତୀୟ ଦଳ ବିଶାଖାପାଟଣାରେ ପହଁଚିବା ପରେ ଅକ୍ଟୋବର ପହିଲାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ ଅଧିନାୟକ କୋହଲି। ସେହି ସମୟରେ ପିଣ୍ଟୁ ତାଙ୍କୁ ଭେଟିବାର ସୁଯୋଗ ପାଇଥିଲେ। ସାର୍ଟ ଖୋଲି ଟାଟୁ ଗୁଡ଼ିକ ‌ପ୍ରଦର୍ଶିତ କରିଥିଲେ। କୋହଲି ଭାବବିହ୍ବଳ ହୋଇ ତାଙ୍କୁ କୋଳାଗ୍ରତ କରିଥିଲେ। ଭବିଷ୍ୟତରେ ପୁଣି ଦେଖାହେବ ବୋଲି ଆଶ୍ବାସନା ଦେଇଥିବା ପିଣ୍ଟୁ ପ୍ରକାଶ କରିଛନ୍ତି।

କ୍ରିକେଟ୍ ଖେଳ ପ୍ରତି ଆଗ୍ରହ ରଖୁଥିବା ପିଣ୍ଟୁ ୨୦୧୨ମସିହାରେ ବିରାଟ କୋହଲିଙ୍କ ଆକ୍ରମଣାତ୍ମକ ଖେଳ ଦେଖି ତାଙ୍କର ପ୍ରଶଂସକ ପାଲଟି ଯାଇଥିଲେ। ତେବେ ୨୦୧୬ରେ ସେ ବିରାଟଙ୍କ ଟାଟୁ ଶରୀରରେ ଆଙ୍କିବା ପାଇଁ ନିଷ୍ପତ୍ତି ନେଇଥିଲେ। ତେବେ ବିରାଟଙ୍କ ନେତୃତ୍ବରେ ଭାରତୀୟ ଦଳ ୨୦୨୦ରେ ହେବାକୁ ଥିବା ଟି-୨୦ ବିଶ୍ବକପ୍‌ ଏବଂ ୨୦୨୩ର ଦିନିକିଆ ବିଶ୍ବକପ୍‌ ବିଜେତା ହେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ସେହି ବିଶ୍ବକପ୍‌ର ଟାଟୁ ଆଙ୍କିବା ପାଇଁ ଲକ୍ଷ୍ୟ ରଖିଥିବା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର