ନୂଆଦିଲ୍ଲୀ: ‘‘ପଛୁଆ ବ୍ୟାଟିଂ ପାଇଁ ଯଦି କୌଣସି ଜଣେ ଖେଳାଳିଙ୍କୁ ବାଛିବାକୁ କୁହାଯାଏ, ତାହାଲେ ମୋ ଭୋଟ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ଯିବ। ବଡ଼ ଲକ୍ଷ୍ୟକୁ ପିଛା କରୁଥିଲା ବେଳେ ତାଙ୍କ ଭଳି କେହି ନୁହଁ। ମ୍ୟାଚ୍କୁ ଭଲ ଭାବରେ ପଢ଼ି ତଦନୁଯାୟୀ ନିଜ ପାଳିକୁ ଗଢ଼ିବାର କଳା ହିଁ କୋହଲିଙ୍କୁ ଅନ୍ୟମାନଙ୍କଠାରୁ ଆଗରେ ରଖିଥାଏ’’। ଇଂଲଣ୍ଡ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ନାସିର ହୁସେନ ମଙ୍ଗଳବାର ଏଭଳି ମନ୍ତବ୍ୟ ପ୍ରଦାନ କରିଛନ୍ତି। କ୍ରିକେଟ୍ କନେକଟେଡ୍ ନାମକ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କୋହଲିଙ୍କ ପଶ୍ଚାତଧାବନ ପ୍ରଦର୍ଶନକୁ ପ୍ରଶଂସା କରିବା ସହ ଧଳାବଲ୍ କ୍ରିକେଟ୍ (ଦିନିକିଆ ଓ ଟ୍ବେଣ୍ଟି-୨୦)ରେ ବଡ଼ ବିଜୟ ଲକ୍ଷ୍ୟକୁ ପିଛା କରୁଥିଲା ବେଳେ କୋହଲି ଅତୁଳନୀୟ ବୋଲି ନାସିର ମତ ରଖିଛନ୍ତି। ଚେସ୍ ମାଷ୍ଟର ଭାବେ ପରିଚିତ କୋହଲିଙ୍କ ପଶ୍ଚାତଧାବନ ପରିସଂଖ୍ୟାନକୁ ତର୍ଜମା କଲେ ନାସିରଙ୍କ ଆକଳନ ଯେ ଶତପ୍ରତିଶତ ଠିକ୍, ସେ କଥା ସ୍ପଷ୍ଟ ହୋଇଯାଏ। ୩୦୦ରୁ ଅଧିକ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରୁଥିଲା ବେଳେ କୋହଲିଙ୍କ ରନ୍ ସଂଗ୍ରହ ହାର ହେଉଛି ୧୪୧.୮୫।
ଏଭଳି ୧୦ ପାଳିରୁ ୭ ଶତକ ସହ ସେ ୯୯୩ ରନ୍ ସଂଗ୍ରହ କରିଛନ୍ତି। ଏହି କ୍ରମରେ ଅଷ୍ଟ୍ରେଲିଆ ବିପକ୍ଷ ୨୦୧୬ ଟ୍ବେଣ୍ଟି-୨୦ ବିଶ୍ବକପ୍ର କ୍ବାର୍ଟର ଫାଇନାଲ୍ରେ କୋହଲି ଖେଳିଥିବା ୧୦୦* (୫୨ ବଲ୍) ରନ୍ର ପାଳି, ୨୦୧୨ ଏସିଆ କପ୍ରେ ପାକିସ୍ତାନ ବିପକ୍ଷରେ ଖେଳିଥିବା ୧୮୩ ରନ୍ର ପାଳି କିମ୍ବା ହୋବର୍ଟଠାରେ ଶ୍ରୀଲଙ୍କା ବିରୋଧରେ ଖେଳିଥିବା ୧୩୩* ରନ୍ର ପାଳିକୁ ଉଦାହରଣ ଭାବେ ନିଆଯାଇପାରେ। ପଶ୍ଚାତଧାବନରେ ଭାରତକୁ ଅନେକ ସ୍ମରଣୀୟ ବିଜୟ ଉପହାର ଦେଇଥିବା କୋହଲି ନିଜ ବ୍ୟାଟିଂ ଓ ଅଧିନାୟକତ୍ବ ମଧ୍ୟରେ ରଖିଥିବା ସନ୍ତୁଳନକୁ ମଧ୍ୟ ନାସିର ଭୂୟସୀ ପ୍ରଶଂସା କରିଛନ୍ତି। ‘‘ ମୁଁ ତାଙ୍କୁ ମରାମତି କଲାବାଲା ମଣିଷ ବୋଲି ଡାକେ। ପ୍ରତି ଓଭରରେ ଆପଣଙ୍କୁ ଖେଳାଳିଙ୍କ ସ୍ଥାନ ଅଦଳ ବଦଳ କରିବାକୁ ହୁଏ, କୋହଲି ଏହି କ୍ଷେତ୍ରରେ ବେଶ୍ ଚଳଚଞ୍ଚଳ ଥା’ନ୍ତି। ହେଲେ ଖେଳାଳି ଚୟନକଥା ପଡ଼ିଲେ ସେ କିଛିଟା ଦ୍ବନ୍ଦ୍ବରେ ଥାଆନ୍ତି। ଭାରତ ଅନେକ କିଛି କଥା ବହୁତ ଭଲ ଭାବେ କରିଛି। ଦଳ ଚୟନ କିନ୍ତୁ ଏହା ଭିତରେ ଅଛି ବୋଲି ମୁଁ ଭାବୁନି। ଭାରତରେ ଅନେକ ପ୍ରତିଭାବାନ ଯୁବ ଖେଳାଳି ଥିଲା ବେଳେ ବିଶ୍ବକପ୍ରେ କିଏ ୪ ନମ୍ବର ସ୍ଥାନରେ ବ୍ୟାଟିଂ କରିବ, ସେ ନେଇ ଦ୍ବନ୍ଦ୍ବ ଓ ସଂଶୟ ରହିବା ଆଦୌ ଠିକ୍ କଥା ନୁହେଁ। ସେମାନଙ୍କ ଖେଳାଳି ଚୟନ ଦ୍ବନ୍ଦ୍ବ ଖୁବଶୀଘ୍ର ଦୂର ହେବ ବୋଲି ମୁଁ ଆଶା କରୁଛି। ଅଧିନାୟକତ୍ବର ମୂଳମନ୍ତ୍ର ହେଲା ଦଳକୁ ଅଧିକରୁ ଅଧିକ ମ୍ୟାଚ୍ରେ ବିଜୟୀ କରାଇବା। ଆଉ ଏହି କ୍ଷେତ୍ରରେ କୋହଲିଙ୍କ ପ୍ରଦର୍ଶନ ବେଶ ଉଚ୍ଚକୋଟୀର। ସେ ହେଉଛନ୍ତି ଭାରତର ଅନ୍ୟତମ ସଫଳ ଅଧିନାୟକ’’ ବୋଲି ନାସିର କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/india-during-virat-kohli-plays-second-shot_f5170f9a-33b6-11ea-84d3-ff42d0551712.jpg)