କେପ୍ ଟାଉନ୍: ବିରାଟ କୋହଲିଙ୍କ ବହୁ ପ୍ରତୀକ୍ଷିତ ଚମତ୍କାର ଟେଷ୍ଟ୍ ପାଳି (୭୯, ୨୦୧ ବଲ୍, ୧୨ ଚୌକା, ୧ ଛକା) ସତ୍ତ୍ବେ ଭାରତର ପ୍ରଥମ ପାଳି ମାତ୍ର ୨୨୩ ରନ୍ରେ ସୀମିତ ରହିଯାଇଛି। ପୁଣି ଥରେ ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲରମାନେ ଭାରତକୁ ଅଡୁଆରେ ପକାଇଛନ୍ତି। ଐତିହାସିକ ଟେଷ୍ଟ୍ ଶୃଙ୍ଖଳା ବିଜୟ ଆଶାରେ ଥିବା ଭାରତୀୟ ଦଳ କିନ୍ତୁ ପ୍ରଥମ ଦିନ ଅଲ୍ଆଉଟ୍ ହୋଇ ଶକ୍ତ ଝଟ୍କା ପାଇଛି। ପ୍ରଥମ ଦିନ ଖେଳ ଶେଷ ବେଳକୁ ଦକ୍ଷିଣ ଆଫ୍ରିକା ୧ ୱିକେଟ୍ ହରାଇ ୧୭ ରନ୍ ସଂଗ୍ରହ କରିଛି। କୋହଲିଙ୍କ ପାଳି ସତ୍ତ୍ବେ ପ୍ରଥମ ଦିନର ସମ୍ମାନ ଘରୋଇ ଦଳ ନିକଟକୁ ଯାଇଛି।
ହ୍ୟାଟ୍ରିକ୍ ଟସ୍
ଭାରତୀୟ ଦଳ ଚଳିତ ଦକ୍ଷିଣ ଆଫ୍ରିକା ଗସ୍ତରେ ସମସ୍ତ ୩ ଟେଷ୍ଟ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ହ୍ୟାଟ୍ରିକ୍ ଅର୍ଜନ କରିଥିଲା। କୋହଲି ପ୍ରଥମ ଓ ତୃତୀୟ ଟେଷ୍ଟ୍ରେ ଟସ୍ ଜିତିଥିବା ବେଳେ କେଏଲ୍ ରାହୁଲ ଦ୍ବିତୀୟ ଟେଷ୍ଟ୍ରେ ମଧ୍ୟ ସଠିକ୍ କଏନ୍ ଡାକିଥିଲେ। ଉଭୟଙ୍କର ନିଷ୍ପତ୍ତି କିନ୍ତୁ ତିନିଟିଯାକ ଟେଷ୍ଟରେ ସମାନ ଥିଲା। ପ୍ରଥମେ ବ୍ୟାଟିଂକୁ ପସନ୍ଦ କରିଥିଲେ। ଜୋହାନ୍ସବର୍ଗରେ ବିଜୟୀ ଦକ୍ଷିଣ ଆଫ୍ରିକା ଦଳ ଅପରିବର୍ତିତ ରହିଥିଲା। ଭାରତ କିନ୍ତୁ ଦୁଇଟି ପରିବର୍ତନ ସହ ପଡ଼ିଆକୁ ଓହ୍ଲାଇଥିଲା। ହନୁମା ବିହାରୀଙ୍କ ବଦଳରେ ବିରାଟ କୋହଲି ଏବଂ ଆହତ ମହମ୍ମଦ ସିରାଜଙ୍କ ବଦଳରେ ଉମେଶ ଯାଦବ ଖେଳିଥିଲେ। ଈଶାନ୍ତ ଶର୍ମାଙ୍କୁ ଖେଳାଯିବା ନେଇ ପୂର୍ବାନୁମାନ କରାଯାଇଥିଲେ ମଧ୍ୟ ବିରାଟ କୋହଲି ଉମେଶଙ୍କୁ ପସନ୍ଦ କରିଥିଲେ। ଉମେଶ ନୂଆ ବଲ୍ରେ ୨ ଓଭର ବୋଲିଂ କରିଥିଲେ ମଧ୍ୟ ପ୍ରଭାବହୀନ ରହିଥିଲେ।
ରବାଦା ରଡ଼ିଲେ
ଭାରତ ପାଇଁ ପ୍ରଥମ ଟେଷ୍ଟ୍ ଭଳି ଭଲ ଆରମ୍ଭ ଦେଇ ପାରିନଥିଲେ କେଏଲ୍ ରାହୁଲ ଓ ମୟଙ୍କ ଆଗ୍ରୱାଲ୍। ଅବଶ୍ୟ ପ୍ରଥମ ୧୧ ଓଭର ଦୁହେଁ ୱିକେଟ୍ ହରାଇନଥିଲେ। ଏକାଦଶ ଓଭରରେ ଡୁଆନ୍ ଓଲିଭର୍ ୱିକେଟ୍ ପଛପଟେ ରାହୁଲଙ୍କୁ ଆଉଟ୍ କରି ଦେବା ପରେ କାଗିସୋ ରବାଦାଙ୍କ ଶିକାର ହୋଇଥିଲେ ଅଗ୍ରୱାଲ୍। ଏହି ସମୟରେ ଚେତେଶ୍ବର ପୂଜାରା (୪୩, ୭୭ ବଲ୍, ୭ ଚୌକା) ଏବଂ ବିରାଟ କୋହଲି (୭୯, ୨୦୧ ବଲ୍, ୧୨ ଚୌକା, ୧ ଛକା) ଦ୍ବିତୀୟ ୱିକେଟ୍ ଭାଗୀଦାରିରେ ୬୨ ରନ୍ ଯୋଡ଼ିଥିଲେ। ପୂଜାରାଙ୍କୁ ମାର୍କୋ ଜାନ୍ସେନ୍ କଟ୍ ବିହାଇଣ୍ଡ୍ କରାଇ ନେଇଥିଲେ। ଏହା ପରେ କୋହଲିଙ୍କ ସହ କେବଳ ଋଷଭ ପନ୍ତ୍ (୨୭, ୫୦ ବଲ୍) ଆଉ ଏକ ଅର୍ଦ୍ଧଶତକ ଭାଗୀଦାରି ପ୍ରତିଷ୍ଠା କରିଥିଲେ। ରବାଦା ଓ ଜାନସେନ୍ କିନ୍ତୁ ଭାରତର ମଧ୍ୟ ଓ ନିମ୍ନକ୍ରମକୁ ପୋଛି ନେବାର କୌଣସି ସୁଯୋଗ ହାତଛଡ଼ା କରିନଥିଲେ। ଭାରତ ଶେଷ ୫ ୱିକେଟ୍ ୪୮ ରନ୍ ଭିତରେ ହରାଇ ଦେଇଥିଲା।
କୋହଲି-ରବାଦା ମୁହାଁମୁହିଁ
ବିରାଟ କୋହଲି ଏବଂ କାଗିସୋ ରବାଦାଙ୍କ ବ୍ୟକ୍ତିଗତ ମୁକାବିଲା ମଙ୍ଗଳବାର ମ୍ୟାଚ୍ର ଅନ୍ୟତମ ରୋଚକ ଥିଲା। ପ୍ରଥମ ଦଫାରେ ରବାଦାଙ୍କୁ ଏକ ହୁକ୍ ସଟ୍ରେ ଛକା ମାରି କୋହଲି ବିଜୟୀ ହୋଇଥିଲେ। ତେବେ ଫର୍ମକୁ ନେଇ ସଂଘର୍ଷ କରୁଥିବା କୋହଲି ତାଙ୍କ ଶତକ ଆଡ଼କୁ ଅଗ୍ରସର ହେଉଥିବା ବେଳେ ରବାଦା ତାଙ୍କୁ ଆଉଟ୍ କରି ମଧୁର ପ୍ରତିଶୋଧ ନେଇଥିଲେ। କୋହଲିଙ୍କ ୨୮ତମ ଟେଷ୍ଟ୍ ଅର୍ଦ୍ଧଶତକ କିନ୍ତୁ ଅଧିକ ଚର୍ଚ୍ଚାରେ ରହିଥିଲା। ବିଶେଷ କରି ୩ ସଟ୍ରୁ ପାଇଥିବା ରନ୍ ସେ ୩ ଚୌକାରୁ ଅର୍ଜନ କରିଥିଲେ। କିନ୍ତୁ କୋହଲିଙ୍କୁ କଠୋର ପରୀକ୍ଷାରେ ପକାଇଥିବା ଦକ୍ଷିଣ ଆଫ୍ରିକା ବୋଲର୍ଙ୍କ ପ୍ରଥମ ୧୦୦ ବଲ୍ରୁ ୬୮ଟି ଅଫଷ୍ଟମ୍ପ୍ ବାହାରେ ଥିବାରୁ ସେ ୪୪ଟି ଛାଡ଼ି ଅସୀମ ଧୈର୍ଯ୍ୟ ଦେଖାଇଥିଲେ। ୪୨ ବଲ୍ ବେଳକୁ ସେ ୩୨ ବଲ୍ ଛାଡ଼ି ଦେଇଥିଲେ। ଅନ୍ୟପକ୍ଷରେ ପୂଜାରା ସମ୍ମୁଖୀନ ହୋଇଥିବା ୫୩ତମ ବଲ୍ରୁ କଭର୍ ଡ୍ରାଇଭ୍ ସହ ପ୍ରଥମ ଅଫସାଇଡ୍ ରନ୍ ସଂଗ୍ରହ କରିଥିଲେ। ରବାଦାଙ୍କୁ କୋହଲି ଛକା ମାରିବାର ଭିଡିଓ କିନ୍ତୁ ମଙ୍ଗଳବାର ଭାଇରାଲ୍ ହୋଇଯାଇଛି। ରବାଦା କୋହଲିଙ୍କ ସହିତ ମୟଙ୍କ, ରାହାଣେ ଓ ବୁମରାଙ୍କ ୱିକେଟ୍ ନେଇ ସଫଳତମ (୪/୭୩) ବୋଲର ରହିଥିଲେ। କୋହଲି ମଧ୍ୟ ଭାରତୀୟ ପାଳିର ୩୪ ପ୍ରତିଶତ ରନ୍ ସଂଗ୍ରହ କରି ଲୟକୁ ଫେରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/kohli.jpg)