ନୂଆଦିଲ୍ଲୀ: ରଣଜୀକୁ କିଙ୍ଗ କୋହଲିଙ୍କ କମବ୍ୟାକ୍ । ୧୨ ବର୍ଷ ପରେ ରଣଜୀ ମଇଦାନକୁ ଓହ୍ଲାଇବେ କିଙ୍ଗ କୋହଲି । ଏଥିପାଇଁ କୋହଲି ରଣଜୀ ମ୍ୟାଚ୍ ପୂର୍ବରୁ ଅଭ୍ୟାସ ପାଇଁ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ପହଞ୍ଚିଛନ୍ତି । କୋହଲି ଦିଲ୍ଲୀ ଦଳ ସହ ଅଭ୍ୟାସ ଆରମ୍ଭ କରିଥିବା ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବିରାଟ ଜାନୁଆରି ୩୦ରୁ ଦିଲ୍ଲୀ ତରଫରୁ ରେଲଓ୍ଵେ ବିପକ୍ଷରେ ଅନ୍ତିମ ଗ୍ରୁପ୍ ମ୍ୟାଚ୍ ଖେଳିବେ । ଆୟୁଷ ବଦୋନୀ ଦିଲ୍ଲୀ ଦଳର ନେତୃତ୍ଵ ନେଉଛନ୍ତି ।
ଆପଣଙ୍କୁ ଜଣାଇଦେଉଛୁ ଯେ, କୋହଲି ୧୨ ବର୍ଷ ପରେ ରଣଜୀ ମ୍ୟାଚ୍ ଖେଳିବାକୁ ଯାଉଛନ୍ତି । ଏହାପୂର୍ବରୁ ସେ ଗାଜିଆବାଦର ମୋହନ ନଗରରେ ୨୦୧୨ରେ ଉତ୍ତରପ୍ରଦେଶ ବିପକ୍ଷରେ ଦିଲ୍ଲୀ ପାଇଁ ରଣଜୀ ମ୍ୟାଚ୍ ଖେଳିଥିଲେ । ବର୍ତ୍ତମାନ ବିରାଟ ରେଲଓ୍ଵେ ବିପକ୍ଷରେ ଖେଳିବେ ବୋଲି ନିଶ୍ଚିତ ହୋଇଛି ।
ସୂଚନାଯୋଗ୍ୟ ଯେ, କୋହଲି ତାଙ୍କ କ୍ରିକେଟ କ୍ୟାରିୟରରେ ଏପର୍ୟ୍ୟନ୍ତ ୨୩ଟି ରଣଜୀ ମ୍ୟାଚ୍ ଖେଳିଛନ୍ତି । ଏହି ୨୩ଟି ରୁ ୫୦.୭୭ ହାରାହାରିରେ ୧୫୭୪ ରନ୍ କରିଛନ୍ତି ବିରାଟ ଯେଉଁଥିରେ ୫ଟି ଶତକ ସାମିଲ ଅଛି ।
ନିକଟରେ ଖେଳାଯାଇଥିବା ବର୍ଡର ଗାଭାସ୍କର ଟ୍ରଫିରେ ଟିମ୍ ଇଣ୍ଡିଆ ୩-୧ରେ ପରାଜୟର ସାମ୍ନା କରିଥିଲା । ଏହି ପୂରା ସିରିଜରେ ବିରାଟଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା । କେବଳ ପ୍ରଥମ ଟେଷ୍ଟରେ ଶତକୀୟ ଇନିଂସ ଖେଳିଥିବା ବେଳେ ଅନ୍ୟ ମ୍ୟାଚ୍ ଗୁଡ଼ିକରେ ଫ୍ଲପ୍ ହୋଇଥିଲେ ବିରାଟ । ରନ୍ ମେସିନଙ୍କ ବ୍ୟାଟରୁ ସେଭଳି ବଡ଼ ଇନିଂସ ଦେଖିବାକୁ ମିଳିନଥିଲା ।